ବିଜେପି କାର୍ଯ୍ୟାଳୟରେ ମାନସମନ୍ଥନ, ସଂକଳ୍ପ; ରାଜ୍ୟ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରହିବ

ଭୁବନେଶ୍ୱର,୯ା୬(ବ୍ୟୁରୋ): ଦଳୀୟ ଅନ୍ତର୍ଘାତୀ କାର୍ଯ୍ୟ ଯୋଗୁଁ ହାରିଲି । ସରକାରୀ କଳ ବିଜେଡି ପ୍ରାର୍ଥୀଙ୍କୁ ପୂର୍ଣ୍ଣ ସହଯୋଗ ଦେଲା । ବୁଥ୍ ରିଗିଂ ମୋ ପରାଜୟର କାରଣ । ମୋଦିଙ୍କ ଜନକଲ୍ୟାଣ ଯୋଜନାକୁ ଠିକଣା ଭାବେ ତଳସ୍ତରରେ ପହଞ୍ଚାଇବାରେ କର୍ମୀ ଫେଲ୍ ମାରିଲେ । ଜିଲ୍ଲାସ୍ତରୀୟ ନେତା ଓ ଆମ ମଧ୍ୟରେ ପ୍ରଚାର ନେଇ ସମନ୍ୱୟ ରହିଲାନି ।
ବିଜେପିର ମିଶନ ୧୨୦ ଫେଲ୍ ମାରିବା ନେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବହୁ ପରାଜିତ ପ୍ରାର୍ଥୀ ଓ ନେତା ଏମିତି ମତ ରଖିଛନ୍ତି । ତେବେ ପ୍ରଥମ ଥର ଦଳ ବିଧାନସଭାରେ ବିରୋଧୀ ଦଳ ଆସନରେ ବସିଛି । ୨୩ ବିଧାୟକ ଓ ୮ ସାଂସଦ ସିଟ୍ ଜିତିଥିବାରୁ ଓଡିଶାବାସୀଙ୍କୁ ଦଳ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ପରାଜୟର କାରଣ ଖୋଜିବା ସହ ଦଳ ପକ୍ଷରୁ ପାଟକୁରା ଓ ବିଜେପୁର ଉପନିର୍ବାଚନ ପାଇଁ ମଧ୍ୟ ରଣକୌଶଳ ପ୍ରସ୍ତୁତ ହୋଇଛି ।
ବିଜେପି କୋର କମିଟି ସହ ବରିଷ୍ଠ ପଦାଧିକାରୀଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ବୈଠକରେ ପରାଜୟର ସମୀକ୍ଷା କରାଯାଇଥିଲା । କେଉଁଠି ତ୍ରୁଟି ବିଚ୍ୟୁତି ରହିଲା ସେନେଇ ସମୀକ୍ଷା ହୋଇଥିଲା । ଆଗାମୀ ଦିନରେ କିଭଳି ସାଙ୍ଗଠନିକ ସ୍ଥିତିକୁ ସମସ୍ତ ସ୍ଥାନରେ ସୁଦୃଢ କରାଯିବ ସେନେଇ ବୈଠକରେ ଆଲୋଚନା ହୋଇଛି ।
ବୈଠକ ସଂପର୍କରେ ସୂଚନା ଦେଇ ପୃଥ୍ୱୀରାଜ ହରିଚନ୍ଦନ କହିଲେ, ଆଗାମୀ ପାଟକୁରା ଏବଂ ବିଜେପିର ଉପନିର୍ବାଚନ ରଣନୀତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଛି । ଦଳ ଏ ଦୁଇ ଆସନରେ ଆତ୍ମବିଶ୍ୱାସର ସହ ଲଢ଼ିବ । ଆଗାମୀ ଦିନରେ ଓଡ଼ିଶାବାସୀଙ୍କ ଜନଜୀବନ ସୁରକ୍ଷା ଏବଂ ଓଡ଼ିଶାର ସ୍ୱାର୍ଥର ସୁରକ୍ଷା ପାଇଁ ବିଜେପି ଚୌକିଦାର ଭଳି ଛିଡ଼ା ହୋଇ ଲଢ଼େଇ ଜାରି ରଖିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଶ୍ରୀ ହରିଚନ୍ଦନ ସୂଚନା ଦେଇ କହିଲେ, ଓଡ଼ିଶାର ବିକାଶ ପାଇଁ ପୁଣିଥରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବରିଷ୍ଠ ମନ୍ତ୍ରୀଭାବେ ଦାୟିତ୍ୱ ଦେଇଥିବାରୁ ଏବଂ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ମନ୍ତ୍ରିମଣ୍ଡଳରେ ନେଇଥିବାରୁ ରାଜ୍ୟ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରାଯାଇଛି । ସେହିପରି ୨୦୧୯ ସାଧାରଣ ନିର୍ବାଚନରେ ରାଜ୍ୟ ବିଜେପିର ୮ ସାଂସଦ ଏବଂ ୨୩ ବିଧାୟକଙ୍କୁ ଓଡ଼ିଶାର ଜନସାଧାରଣ ବିଜୟୀ କରିଥିବାରୁ ସମଗ୍ର ଓଡ଼ିଶାବାସୀଙ୍କୁ ରାଜ୍ୟ ବିଜେପି ଧନ୍ୟବାଦ ଜଣାଇଛି । ବାତ୍ୟା ‘ଫୋନି’କୁ ଏକ ମାସରୁ ଅଧିକ ସମୟ ବିତିଥିଲେ ମଧ୍ୟ ଏଯାଏ ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ କରି ପାରିନାହାନ୍ତି ।
ଏବେ ବି ପୁରୀ ଜିଲ୍ଲାର ଅଧିକାଂଶ ଗାଁରେ ବିଦ୍ୟୁତ ପହଞ୍ଚିନି । ବାତ୍ୟା ପରେ ମୌଳିକ ସୁବିଧାରୁ ହଜାର ହଜାର ଜନସାଧାରଣ ବଞ୍ଚିତ ଅଛନ୍ତି । ଶାସକ ବିଜେଡି ବିଧାୟକମାନଙ୍କ ଅହଂକାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗତ ୫ ବର୍ଷରେ ବିଜେଡି ବିଧାୟକମାନେ ଅନେକ ସ୍ଥାନରେ ସରକାରୀ ଅଫିସରମାନଙ୍କୁ ମାଡ ମାରିବା, ଧମକ ଦେବା ଏବଂ ବିରୋଧୀ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ଉପରେ ଆକ୍ରମଣ କରିଥିଲେ । ଏବେ ପାଟଣାଗଡର ବିଜେଡି ବିଧାୟକ ସରୋଜ ମେହେର ସରକାରୀ ଅଫିସରଙ୍କୁ ରାସ୍ତା ଉପରେ ଉଠ ବସ୍ କରାଇ ପୁଣିଥରେ ବିଜେଡିର ଗୁଣ୍ଡାରାଜ ଶାସନ ଚଳାଇବାର ଆରମ୍ଭ କରିଛନ୍ତି । ଏ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ସଂପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି ।
ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ପ୍ରଥମେ ରାଜ୍ୟ ବିଜେପି କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏହାପରେ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତିମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭାପତି ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ଓ ମୁଖପାତ୍ର ବୈଜୟନ୍ତ ପଣ୍ଡା, ରାଷ୍ଟ୍ରୀୟ ସାଧାରଣ ସଂପାଦକ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ଗିରିଧର ଗମାଙ୍ଗ, କନକ ବର୍ଦ୍ଧନ ସିଂହଦେଓ ଏବଂ ମନମୋହନ ସାମଲଙ୍କ ସମେତ ସମସ୍ତ ରାଜ୍ୟ ପଦାଧିକାରୀ ଏବଂ ଜିଲ୍ଲା ସଭାପତି ପ୍ରମୁଖ ଉପସ୍ଥିତ ଥିଲେ ।