PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଶେଷରେ ଚେତିଲେ ସମ୍ବଲପୁର ପୁଲିସ, ଭାଙ୍ଗିଲା କୋରେକ୍ସ ମାଫିଆଙ୍କ ଘର
  • ||
  • ବଲାଙ୍ଗୀର: ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ଟିମ୍
  • ||
  • ନୂଆପଡ଼ା : ଘର ଭିତରୁ ବୃଦ୍ଧାଙ୍କୁ ଟାଣିନେଲା ମହାବଳ ବାଘ, ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ
  • ||
  • ବିଶ୍ୱ ଘରଚଟିଆ ଦିବସ, ଏ ବର୍ଷର ଥିମ୍ ‘ଆଇ ଲଭ୍‌ ସ୍ପାରୋ’..
  • ||
  • ଭୁବନେଶ୍ଵର : ଆଜି ବିଶ୍ୱ ପଖାଳ ଦିବସ, ପାଗ ଖରାପ ଲାଗି ଟିକେ ମାନ୍ଦା, ଆଗୁଆ ପାଳିଲେ ଆମିଷ ପ୍ରେମୀ
  • ||
  • କେନ୍ଦୁଝର ସଦର : ଥାନାରେ ପହଞ୍ଚିଲା ସ୍ଵାମୀ-ସ୍ତ୍ରୀଙ୍କ କଳି, ଫାଶୀ ଲଗାଇ ଆତ୍ମହତ୍ୟା କଲା ସ୍ଵାମୀ
  • ||
  • ବୌଦ୍ଧ : କେନ୍ଦୁକାଠ ବୋଝେଇ ଟ୍ରକ୍ ଜବତ, ୩ ଗିରଫ
  • ||

ବିଜେପିକୁ ଥରେ ସୁଯୋଗ ଦିଅ

କଟକ/ସାଲେପୁର,୨୯ା୧(ବ୍ୟୁରୋ): ବିଜେଡି ଓ କଂଗ୍ରେସ, ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ଦୁର୍ନୀତି ଓ ଭ୍ରଷ୍ଟାଚାରରେ କେହି କାହାରିଠାରୁ କମ୍‌ ନୁହନ୍ତି । ଉଭୟ ଦଳ ଓଡ଼ିଶାକୁ ଦୀର୍ଘ ଦିନ ଧରି ଶାସନ କରିଛନ୍ତି । କଂଗ୍ରେସ ତିନି ଦଶନ୍ଧିରୁ ଅଧିକ ଏବଂ ବିଜେଡି ଗତ ୧୯ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ରହିଛି । କିନ୍ତୁ ଉଭୟ କରିଛନ୍ତି କ’ଣ? ଓଡ଼ିଶା ଯେମିତି ଗରିବ ଥିଲା, ସେମିତି ଗରିବ ହୋଇ ରହିଛି । ଥରଟିଏ ବିଜେପି ସରକାରକୁ ୫ ବର୍ଷ ପାଇଁ ସୁଯୋଗ ଦିଅ । ଓଡ଼ିଶାକୁ ଆମେ ଭାରତର ନମ୍ବର ୧ ରାଜ୍ୟ କରିବୁ । – ସାଲେପୁର ଉପକଣ୍ଠ କୁଳିଆ ମଞ୍ଚରୁ ସାରା ଓଡ଼ିଶାକୁ ଆଜି ଏଭଳି ଆହ୍ୱାନ ଜଣାଇଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଯାଜପୁର ଜିଲ୍ଲାର ବୁଥ୍‌ସ୍ତରୀୟ କର୍ମକର୍ତ୍ତାଙ୍କୁ ନେଇ ସାଲେପୁରର କୁଳିଆଠାରେ ଆଜି ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଆୟୋଜିତ ହୋଇଥିଲା । ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ୬ ହଜାର ୮ଶହ ବୁଥ୍‌ରୁ ପ୍ରାୟ ୩୦ହଜାର କାର୍ଯ୍ୟକର୍ତ୍ତା ସମାବେଶରେ ଏକାଠି ହୋଇଥିଲେ । ଆଗାମୀ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ତୃଣମୂଳ ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେବା ଉଦ୍ଦେଶ୍ୟରେ ଓଡ଼ିଶା ଆସିଥିଲେ ଶ୍ରୀ ଶାହ । କର୍ମୀଙ୍କୁ ବିଜୟମନ୍ତ୍ର ଓ ନିର୍ବାଚନୀ ଟାସ୍କ୍‌ ଦେବା ସହ ଉଭୟ ବିଜେଡିଓ କଂଗ୍ରେସ ସରକାରକୁ ମନଭରି ଭର୍ତ୍ସନା କରିଥିଲେ ।
କର୍ମୀଙ୍କୁ ଉଦ୍‌ବୋଧନ ଦେଇ ଶାହ କହିଥିଲେ, ଦେଶରେ ରାହୁଲ ବାବାଙ୍କ ଚାରି ପିଢ଼ି ଶାସନ କରିଛନ୍ତି । କିନ୍ତୁ ଦୁଃଖର ବିଷୟ ଗରିବଙ୍କ ଘରେ ଗ୍ୟାସ ପହଞ୍ଚି ନଥିଲା । ଏବେ ନରେନ୍ଦ୍ର ମୋଦି ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସାକାର କରିଛନ୍ତି । ସେହିପରି ବିଜେପି ସରକାର ସମସ୍ତ ଘରକୁ ଶୌଚାଳୟ ଦେଇଛି । ପ୍ରତି ଘରକୁ ବିଜୁଳି, ମହିଳାଙ୍କୁ ସୁରକ୍ଷା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିନ୍ତୁ ଆହୁରି ଅନେକ ଯୋଜନା ରାଜ୍ୟ ସରକାରଙ୍କ ଅନିଚ୍ଛା ଯୋଗୁଁ ଲୋକଙ୍କ ପାଖରେ ପହଞ୍ଚିପାରୁନି । ଏହାର ଏକ ଉଦାହରଣ ହେଉଛି ଆୟୁଷ୍ମାନ ଭାରତ ଯୋଜନା । ଓଡ଼ିଶାର ମୁଖ୍ୟମନ୍ତ୍ରୀ କାହିଁକି ଏ ଯୋଜନାକୁ ରାଜ୍ୟରେ ଲାଗୁ କରାଉନାହାନ୍ତି ବୋଲି ଶାହ ପ୍ରଶ୍ନ କରିଥିଲେ । ମୋଦିଙ୍କ ଲୋକପ୍ରିୟତାର ଭୟ ନବୀନଙ୍କୁ ଗୋଡ଼ାଇ ଖାଉଥିବାରୁ ନବୀନ ଜାଣିଶୁଣି ଏହି ଯୋଜନା କାର୍ଯ୍ୟକାରୀ କରୁନାହାନ୍ତି ବୋଲି ଶାହ ଆକ୍ଷେପ କରିଥିଲେ ।
ଶାହ ଆହୁରି କହିଥିଲେ, ପୁର୍ବରୁ କେନ୍ଦ୍ରରେ ଥିବା କଂଗ୍ରେସ ସରକାରଙ୍କ ସମୟରେ ଓଡ଼ିଶାକୁ ୭୯ହଜାର କୋଟି ମିଳିଥିଲା । କିନ୍ତୁ ମୋଦି ସରକାରରେ ରାଜ୍ୟକୁ ୨ଲକ୍ଷ ୧୧ହଜାର ୫୧୦ କୋଟି ଟଙ୍କା ଦେଇଛି । ଏହାବାଦ୍‌ ୫୧ହଜାର କୋଟିର ଅତିରିକ୍ତ ଅର୍ଥ ମଧ୍ୟ ରହିଛି । ଏଥିରେ ରେଳ ପାଇଁ ୨୦ହଜାର କୋଟି, ଜଳ ପାଇଁ ୨ହଜାର କୋଟି, ମେଡିକାଲ ପାଇଁ ୧୬ହଜାର କୋଟି, ପୁରୁଣା ମେଡିକାଲ ପାଇଁ ୪ହଜାର କୋଟି, ପୁରୀ ସହରର ବିକାଶ ପାଇଁ ୧୭ଶହ କୋଟି, ପାରାଦ୍ୱୀପକୁ ୩୩ଶହ କୋଟି ଟଙ୍କା ରାଜ୍ୟକୁ ମିଳିଛି । ଏହାବାଦ୍‌ ୩୩ହଜାର କୋଟିର ଋଣ ମଧ୍ୟ ମିଳିଛି । ପେଟ୍ରୋଲିୟମ ସହ ଡିଏମ୍‌ଏଫ୍‌ ପାଣ୍ଠି ବାବଦରେ ମୋଟ ୫ଲକ୍ଷ ୧୩ହଜାର କୋଟି ଓଡ଼ିଶାକୁ ମିଳିଛି । କିନ୍ତୁ ଏତେ ପରିମାଣର ଟଙ୍କା ଓଡ଼ିଶାବାସୀଙ୍କ ପାଖରେ ପହଞ୍ଚି ପାରୁନି । ଯାହାଫଳରେ ଓଡ଼ିଶାର ଅନେକ ଗ୍ରାମରେ ଆଜି ମଧ୍ୟ ୨୪ ଘଣ୍ଟା ବିଜୁଳି, ପାଣି ସୁବିଧା ଅପହଞ୍ଚ ରହିଛି । ହସ୍ପିଟାଲରେ ଡାକ୍ତର ନାହାନ୍ତି । ୪୦ % ଲୋକଙ୍କ ପକ୍କାଘର ନାହିଁ । ୩୮ % ପରିବାର ବିଶୁଦ୍ଧ ପିଇବା ପାଣି ଟୋପାଏ ପାଉନାହାନ୍ତି । ତେଣୁ ଆଗାମୀ ଦିନରେ ଓଡ଼ିଶାକୁ ମଜବୁର୍‌ ନୁହେଁ, ମଜଭୁତ୍‌ ସରକାରର ଆବଶ୍ୟକତା ରହିଛି ବୋଲି ଶାହ କହିଥିଲେ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରର ସୁରକ୍ଷାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଥିଲେ ଶାହ । କହିଥିଲେ, ଯେଉଁ ସରକାର ରତ୍ନଭଣ୍ଡାରକୁ ସୁରକ୍ଷା ଦେଇପାରୁନି ସିଏ ରାଜ୍ୟକୁ, ଲୋକଙ୍କୁ କଣ ସୁରକ୍ଷା ଦେବ? ରାଜ୍ୟର କଣ ବିକାଶ କରିବ? ଏହି ଅବସରରେ ‘ଭାଷା କାର୍ଡ’ ମଧ୍ୟ ଖେଳି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ ଶାହ । ଆଗାମୀ ଦିନରେ ଓଡ଼ିଆ କହୁଥିବା ଜଣେ ବ୍ୟକ୍ତିଙ୍କୁ ହିଁ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ କରିବାକୁ ସେ ଆହ୍ୱାନ ଜଣାଇଥିଲେ । ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ କଠିନ ପରିଶ୍ରମ କରିବା ପାଇଁ ଓ ଭୋଟ ଗଣତିଯାଏ ଆରାମ୍‌ ନ କରିବା ପାଇଁ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ ସେ । ମଞ୍ଚରୁ ବିରୋଧୀ ମହାମେଣ୍ଟକୁ ବି ଟାର୍ଗେଟ୍‌ କରିଥିଲେ ଶାହ । କହିଥିଲେ, କଂଗ୍ରେସ ନେତୃତ୍ୱରେ ମହାମେଣ୍ଟ ହୋଇଛି । କିନ୍ତୁ ହାସ୍ୟାସ୍ପଦ କଥା ହେଉଛି, ମେଣ୍ଟର ନା ନେତା ଠିକ୍‌ ଅଛି ନା ନୀତି । ତେଣୁ ମହାମେଣ୍ଟର କୌଣସି ପ୍ରଭାବ ବିଜେପି ଉପରେ ପଡ଼ିବ ନାହିଁ । ସେହିପରି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ କହିଥିଲେ, ଦୁର୍ନୀତି ଓ ଭ୍ରଷ୍ଟାଚାରରେ ନବୀନ ସରକାର ଜାନକୀ ବଲ୍ଲଭ ପଟ୍ଟନାୟକ ସରକାରଠାରୁ ଆଗକୁ ବଢ଼ିଗଲା । ବ୍ଲକ୍‌ ସ୍ତରରୁ ସଚିବାଳୟ ପର୍ଯ୍ୟନ୍ତ ସବୁଠି ଖୋଲାମେଲା ଦୁର୍ନୀତି ଚାଲିଛି । ତେଣୁ ଏ ସରକାରର ମୂଳୋôପାଟନ କରି ଫିଙ୍ଗି ଦେବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଜଣାଇଥିଲେ ଶ୍ରୀ ଓରାମ୍‌ । ଏହି ଅବସରରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ରାଜ୍ୟ ବିଜେପିର ବରିଷ୍ଠ ନେତୃବୃନ୍ଦ ମଞ୍ଚରୁ ବିଜେଡି ସରକାରକୁ କଡ଼ା ସମାଲୋଚନା କରିଥିଲେ । ସମ୍ମିଳନୀରେ ଯୋଗ ଦେବା ପୂର୍ବରୁ ଶ୍ରୀ ଶାହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ ସତ୍ୟଭାମାପୁରକୁ ଯାଇ ସେଠାରେ ମଧୁବାବୁଙ୍କ ଉଦ୍ଦେଶ୍ୟରେ ଭକ୍ତିସୁମନ ଅର୍ପଣ କରିଥିଲେ ।