ନୂଆଦିଲ୍ଲୀ ୨୨/ ୦୯: ଚଳିତ ବର୍ଷ ୫ ରାଜ୍ୟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିଛି ବିଜେପି? ତାହାର ପୂରା ହିସାବ ରଖିଛି ଦଳ । ମୋଟ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ମୋଟ ୩୪୪.୨୭ କୋଟି ଟଙ୍କା ଖର୍ଚ୍ଚ କରିଛି । ସେହି ହିସାବରେ ଗତ ନିର୍ବାଚନରେ ଏହି ସବୁ ରାଜ୍ୟରେ ୨୧୮.୨୬ କୋଟି ଟଙ୍କା ଖର୍ଚ୍ଚ କରିଥିଲା ବିଜେପି । ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ ରିପୋର୍ଟରେ ଏ ନେଇ ତଥ୍ୟ ରଖିଛି ଦଳ ।
କେବଳ ବିଜେପି ନୁହେଁ କଂଗ୍ରେସ ମଧ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଖର୍ଚ୍ଚ ହିସାବ ରଖିଛି । ୨୦୨୨ରେ ହୋଇଥିବା ୫ଟି ରାଜ୍ୟ ନିର୍ବାଚନରେ କଂଗ୍ରେସ ମୋଟ ୧୯୪.୮୦ କୋଟି ଟଙ୍କା ଖର୍ଚ୍ଚ କରିଛି । ସେହିଭଳି ୨୦୧୭ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୦୮.୧୪ କୋଟି ଟଙ୍କା ଖର୍ଚ୍ଚ କରିଥିଲା ।
ବିଜେପି ଖର୍ଚ୍ଚ କରିଥିବା ମୋଟ ୩୪୪.୨୭ କୋଟି ଟଙ୍କା ମଧ୍ୟରୁ କେବଳ ଉତ୍ତରପ୍ରଦେଶରେ ୨୨୧.୩୨ କୋଟି ଟଙ୍କା ଖର୍ଚ୍ଚ କରିଛି । ସେହିଭଳି ୨୦୧୭ରେ ୟୁପିରେ ବିଜେପି ୧୭୫.୧୦ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ୨୦୨୨ ବିଧାନସଭା ନିର୍ବାଚନରେ ସେଠାରେ ଦଳ ବହୁମତ ପାଇଥିଲେ ମଧ୍ୟ ପୂର୍ବାପେକ୍ଷା କମ ସିଟ୍ ପାଇଥିଲା । ସେହିଭଳି ପଞ୍ଜାବରେ ଦଳ ୩୬.୭୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ଗୋଆରେ ୧୯.୦୭ କୋଟି ଟଙ୍କା ମଣିପୁରରେ ୨୩.୫୨ କୋଟି ଟଙ୍କା ଏବଂ ଉତ୍ତରାଖଣ୍ଡ ନିର୍ବାଚନରେ ବିଜେପି ୪୩.୬୭ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ମୋଟ ୫ ରାଜ୍ୟରୁ ୪ଟି ରାଜ୍ୟରେ ଦଳ ସତ୍ତାକୁ ଫେରିଥିବା ବେଳେ ପଞ୍ଜାବରେ କ୍ଷମତାକୁ ଆସିଥିଲା ଆମ୍ ଆଦମୀ ପାର୍ଟି ।
ନିର୍ବାଚନୀ ଖର୍ଚ୍ଚ ମଧ୍ୟରେ ବିଶେଷ କରି ରାଲି, ସାର୍ବଜନୀକ ସଭା, ପ୍ରଚାର ଖର୍ଚ୍ଚ ଆଦି ସାମିଲ ଅଛି । ଭର୍ଚୁଆଲ ରାଲି ମାଧ୍ୟମରେ ବି ଦଳ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ କରିଥିଲା । ନିର୍ବାଚନ ଆୟୋଗଙ୍କ ନିୟମ ଅନୁଯାୟୀ, ରାଜନୈତିକ ଦଳମାନେ ନିର୍ବାଚନ ତାରିଖ ଘୋଷଣା ହେବା ଦିନ ଠାରୁ ଶେଷ ହେବା ତାରିଖ ଯାଏଁ ନଗଦ କାରବାର, ଚେକ୍ କିମ୍ବା ଅନ୍ୟ କୌଣସି ଉପାୟରେ ଖର୍ଚ୍ଚ କରିଥିବା ଟଙ୍କାର ହିସାବ ଦେବାକୁ ହୋଇଥାଏ । ବିଧାନସଭା ନିର୍ବାଚନ ଶେଷ ହେବାର ୭୫ ଦିନ ଭିତରେ ଏକ ଲୋକସଭା ନିର୍ବାଚନ ଶେଷ ହେବାର ୯୦ ଦିନ ମଧ୍ୟରେ ଖର୍ଚ୍ଚ ହିସାବ ନିର୍ବାଚନ ଆୟୋଗଙ୍କୁ ଦେବାକୁ ହୋଇଥାଏ ।