ନୂଆଦିଲ୍ଲୀ: ଦିଲ୍ଲୀର ଆପ୍‌ ସରକାରଙ୍କ ବିରୋଧରେ ବିଜେପି ଚାର୍ଜସିଟ୍‌ ଜାରି କରିବା ପରେ ପାଲଟା ଜବାବ ଦେଇଛନ୍ତି ଅରବିନ୍ଦ କେଜ୍ରିଓ୍ବାଲ । ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଆପ୍‌ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିଓ୍ବାଲ ବିଜେପି ଉପରେ ବର୍ଷିଛନ୍ତି । ବିଜେପି ଆଗାମୀ ବିଧାନସଭା ନିର୍ବାଚନ ଲାଗି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାରେ ବିଫଳ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । ବିଜୁଳୀ, ପାଣି ଏବଂ ସ୍ବାସ୍ଥ୍ୟ ସେବା ଦିଗରେ ଆପ୍‌ର କାର୍ଯ୍ୟ ସଂପର୍କରେ କହିବା ସହ ବିଜେପିକୁ କଟାକ୍ଷ କରିଛନ୍ତି କେଜ୍ରିଓ୍ବାଲ । ଦିଲ୍ଲୀବାସୀଙ୍କ ପାଇଁ ସେମାନେ କଣ କରିଛନ୍ତି ହିସାବ ଦିଅନ୍ତୁ । ଏପରିକି ବିଜେପିର ନିର୍ବାଚନ ଲାଗି କୌଣସି ଏଜେଣ୍ଡା ନାହିଁ ବୋଲି ସେ କହିଛନ୍ତି । 

କେଜ୍ରିଓ୍ବାଲ କହିଛନ୍ତି, ଦିଲ୍ଲୀବାସୀଙ୍କ ପାଇଁ ଆପ୍‌ ଅନେକ କାର୍ଯ୍ୟ କରିଛି । ସେମାନେ (ବିଜେପି) କଣ କରିଛନ୍ତି ? ଦିଲ୍ଲରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡ଼ି ପଡ଼ିଛି । ସେମାନେ କିଛି କାମ କରିନାହାନ୍ତି । ନିର୍ବାଚନ ହେବାକୁ ଥିବାରୁ ମୋ ବିରୋଧରେ ଚାର୍ଜସିଟ୍‌ ଜାରି କରୁଛନ୍ତି ବୋଲି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟା ଜବାବ ଦେଇଛନ୍ତି । ସେପଟେ ବିଜେପିର କୌଣସି ମୁଖ୍ୟମନ୍ତ୍ରୀ ଚେହେରା ନାହାନ୍ତି ବୋଲି କେଜ୍ରିଓ୍ବାଲ ଦାବି କରିଛନ୍ତି । 

ଏହା ପୂର୍ବରୁ ବିଜେପି ଦିଲ୍ଲୀର ଆପ ସରକାରଙ୍କ ବିରୋଧରେ ଅଭିଯୋଗ ପତ୍ର ‘ଚାର୍ଜସିଟ୍‌’ ଜାରି କରିଛି ।  ବିଜେପି ନେତା ଅନୁରାଗ ଠାକୁର ‘ଚାର୍ଜସିଟ୍‌’ ଜାରି କରିବା ସହ କେଜ୍ରିଓ୍ବାଲଙ୍କଚ ଟାର୍ଗେଟ କରିଛନ୍ତି । ଅନୁରାଗ ଠାକୁର କହିଛନ୍ତି, ‘ଏହି ଚାର୍ଜସିଟ୍‌ରେ ଆପ୍‌ର ଦୁର୍ନୀତିର କାହାଣୀ ରହିଛି । ଦିଲ୍ଲୀବାସୀଙ୍କୁ ଅରବିନ୍ଦ କେଜ୍ରିଓ୍ବାଲ ମିଛ ପ୍ରତିଶ୍ରୁତି ଦେଇଛନ୍ତି । ସେ ମାଗଣା ବିଜୁଳୀ, ସ୍ବାସ୍ଥ୍ୟ ସେବା ଏବଂ ପାଣି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏବେ ବି ଲୋକମାନେ ଏହି ସେବା ଲାଗି ଟଙ୍କା ଦେଉଛନ୍ତି । ଦିଲ୍ଲୀକୁ ଦୁର୍ନୀତିମୁକ୍ତ କରିବ ବୋଲି ଆପ୍‌ କହିଥିଲା, କିନ୍ତୁ ସେହି ଦଳର ୮ ମନ୍ତ୍ରୀ ଏବଂ ୧୫ ଜଣ ବିଧାୟକ ଜେଲ ଯାଇଛନ୍ତି ।’ 

ସେ କେଜ୍ରିଓ୍ବାଲଙ୍କୁ ଟାର୍ଗେଟ କରି କହିଛନ୍ତି, କେଜ୍ରିଓ୍ବାଲ ନିଜକୁ ନମ୍ବର ଓ୍ବାନ କହୁଛନ୍ତି । କେଉଁ କ୍ଷେତ୍ରରେ ଆପଣ ନମ୍ବର ଓ୍ବାନ ? ଦେଶରେ ସବୁଠାରୁ ଅଧିକ ଦାମରେ ଦିଲ୍ଲୀରେ ପାଣି ମିଳୁଛି ବୋଲି ଅନୁରାଗ ଠାକୁର ଅଭିଯୋଗ କରିଛନ୍ତି ।  ସେପଟେ କେଜ୍ରିଓ୍ବାଲଙ୍କ ଦଳ ପ୍ରତିବନ୍ଧିତ ସଂଗଠନ ଶିଖ ଫର ଜଷ୍ଟିସ୍‌ (ଏସ୍‌ଏଫଜେ) ପାଖରୁ ୧.୬ ମିଲିୟନ୍‌ ଡଲାର ଗ୍ରହଣ କରିଛି ବୋଲି ଅନୁରାଗ ଦାବି କରିଛନ୍ତି ।