ଅହମଦାବାଦ: ଗୁଜରାଟର ଅହମଦାବାଦରେ ଏୟାର ଇଣ୍ଡିଆର ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଦିନକ ପରେ ତଦନ୍ତକାରୀମାନେ ବିମାନର ବ୍ଲାକ୍ ବକ୍ସ ଉଦ୍ଧାର କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ଉପକରଣ ଦୁର୍ଘଟଣାର କାରଣ ଅନୁସନ୍ଧାନରେ ସହାୟକ ହେବ। ଏୟାର ଇଣ୍ଡିଆ ଫ୍ଲାଇଟ୍ AI171, ଯାହା ଏକ ବୋଇଙ୍ଗ 787-8 ଡ୍ରିମଲାଇନର, ଅହମଦାବାଦର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିବାର ମାତ୍ର କିଛି ସମୟ ପରେ ମେଘାନୀ ନଗର ଅଞ୍ଚଳରେ ଥିବା ଏକ ଡାକ୍ତରୀ ମହାବିଦ୍ୟାଳୟର ହଷ୍ଟେଲ ଉପରେ ଖସି ପଡ଼ିଥିଲା। ଯାହା ଫଳରେ ଏକ ବିଶାଳ ଅଗ୍ନିକାଣ୍ଡ ଘଟିଥିଲା। ଯେଉଁଥିରେ ପ୍ରାୟ ୨୬୫ ଜଣ ଲୋକଙ୍କ ପ୍ରାଣହାନି ଘଟିଛି।
ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବିମାନର ଫ୍ଲାଇଟ୍ ଡାଟା ରେକର୍ଡର (ବ୍ଲାକ୍ ବକ୍ସ) ଦୁର୍ଘଟଣା ସ୍ଥଳରୁ ୨୮ ଘଣ୍ଟା ମଧ୍ୟରେ ଉଦ୍ଧାର କରାଯାଇଛି। ଏହା ଏୟାରକ୍ରାଫ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ (AAIB) ଦ୍ୱାରା ହଷ୍ଟେଲର ଛାତ ଉପରୁ ଉଦ୍ଧାର କରାଯାଇଛି। ଜଣେ ବିଶେଷଜ୍ଞ ଏନେଇ କହିଛନ୍ତି ଯେ, "ବ୍ଲାକ୍ ବକ୍ସର ଉଦ୍ଧାର ତଦନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହା ଘଟଣାର ଅନୁସନ୍ଧାନରେ ବହୁତ ସହାୟକ ହେବ।"
ଏହି ଦୁର୍ଘଟଣାରେ ଏଯାଏ ୨୬୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯେଉଁଥିରେ ୨୪୧ ଜଣ ବିମାନରେ ଥିବା ଯାତ୍ରୀ ଓ କ୍ରୁ ସଦସ୍ୟ ଥିବା ବେଳେ ଅନ୍ୟମାନେ ହଷ୍ଟେଲରେ ଥିବା ଛାତ୍ର ଓ କର୍ମଚାରୀ ବୋଲି ଜଣାପଡିଛି। କେବଳ ଭିଶ୍ୱାସ କୁମାର ରମେଶ ନାମକ ଜଣେ ଯାତ୍ରୀ ଏହି ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଏହି ୪୦ ବର୍ଷୀୟ ଭାରତୀୟ ମୂଳ ବ୍ରିଟିଶ ନାଗରିକ ଏକ ଜରୁରୀ ନିର୍ଗମନ ଦ୍ୱାର ନିକଟରେ ଥିବା ସିଟ୍ 11Aରେ ବସିଥିବା ଯୋଗୁଁ ରକ୍ଷା ପାଇଜାଇଛନ୍ତି ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।
ବ୍ଲାକ୍ ବକ୍ସରେ ଫ୍ଲାଇଟ୍ ଡାଟା ରେକର୍ଡର (FDR) ଏବଂ କକ୍ପିଟ୍ ଭଏସ୍ ରେକର୍ଡର (CVR) ଥାଏ। ଯାହା ବିମାନର ଗତି, ଉଚ୍ଚତା, ଇଞ୍ଜିନ୍ କାର୍ଯ୍ୟଦକ୍ଷତା ଏବଂ ପାଇଲଟ୍ଙ୍କ ମଧ୍ୟରେ ହେଉଥିବା କଥାବାର୍ତ୍ତା ରେକର୍ଡ କରିଥାଏ। ଏହା ଦୁର୍ଘଟଣାର କାରଣ ଯଥା ଇଞ୍ଜିନର ବିଫଳତା, ପକ୍ଷୀ ସଂଘର୍ଷ କିମ୍ବା ଯାନ୍ତ୍ରିକ ତ୍ରୁଟି ଆଦି ଜାଣିବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି ଏବଂ ଆହତମାନଙ୍କୁ ଅହମଦାବାଦ ସିଭିଲ ହସ୍ପିଟାଲରେ ଭେଟିଛନ୍ତି। ଟାଟା ଗ୍ରୁପ୍ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୧ କୋଟି ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ଗୁଜରାଟ ସରକାର ଏବଂ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ତଦନ୍ତ ଓ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି।