ନୂଆଦିଲ୍ଲୀ ୦୭/୦୫: କେବେ ଭାବିଛନ୍ତି କି ଯେଉଁ ଭରସା ସମ୍ପର୍କକୁ ମଜଭୁତ କରିଥାଏ, କେବେ କେବେ ସେହି ଭରସା ବା ବିଶ୍ୱାସ ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ସମ୍ପର୍କର ଆରମ୍ଭ ଓ ବୟସ, ଉଭୟ ଭରସା ଉପରେ ନିର୍ଭର କରିଥାଏ । ବିଶ୍ୱାସ ବିନା କୌଣସି ସମ୍ପର୍କ ତିଷ୍ଠିବା ସମ୍ଭବ ନୁହେଁ । କିନ୍ତୁ ଯଦି ବିଶ୍ୱାସ ଆବଶ୍ୟକଠାରୁ ଅଧିକ ବଢିଯାଏ, ତେବେ ଏହା ଶକ୍ତି ପରିବର୍ତ୍ତେ ସବୁଠାରୁ ବଡ଼ ଦୁର୍ବଳତା ସାବ୍ୟସ୍ତ ହୋଇଥାଏ । ଦିଲ୍ଲୀର ପିଏସ୍ଆର୍ଆଇ ହସ୍ପିଟାଲ୍ର ମନୋଚିକିତ୍ସକ ଅର୍ପିତା କୋହଲୀଙ୍କ ଅନୁସାରେ ଆମେ ଯେତେବେଳେ ଆବଶ୍ୟକଠାରୁ ଅଧିକ ବିଶ୍ୱାସ କରିବସୁ, ଠିକ୍ ସେତେବେଳେ ଏହା କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ବିନା ଭାବିଚିନ୍ତି ବିଶ୍ୱାସ କରିବସୁ: ମଣିଷ କେବେବି ଏକା ରହିପାରେନା । ଆମକୁ ସମାଜରେ ନିଜ ପାଇଁ ପ୍ରେମ ଓ ସୁରକ୍ଷାର ଆବଶ୍ୟକ ହୋଇଥାଏ । ପିଲାବେଳୁ ଆମ ମନରେ ପରିବାର ଓ ସମ୍ପର୍କୀୟ ଏହି ଚିନ୍ତାକୁ ଆପଣାର କରାଇ ଦେଇଥାନ୍ତି । ସେମାନେ ଯେହେତୁ ଆପଣାର ତେଣୁ ସେମାନଙ୍କ କଥାରେ ବିଶ୍ୱାସ କରିଯାଇଥାଉ । ଧୀରେ ଧୀରେ ଆମେ ସେହି ଅଭ୍ୟାସରେ ପଡିଯାଇଥାଉ । ଏହି ଅଭ୍ୟାସ କାରଣରୁ ଆମେ କାହା ବିଷୟରେ ଅଧିକ ଜାଣିବା ପୂର୍ବରୁ ତାକୁ ବିଶ୍ୱାସ କରିବସୁ ।

ସାହାଯ୍ୟ କରୁଥିବା ଲୋକର ଦୁର୍ଗୁଣକୁ ଅଣଦେଖା: ଆମେ ଯେତେବେଳେ କୌଣସି ସମସ୍ୟାରେ ରହିଥାଉ,ସେହି ସମୟରେ ଯିଏ ସହଯୋଗର ହାତ ବଢାଏ ଆମେ ତାକୁ ଆପଣାର ଭାବି ବିଶ୍ୱାସ କରିବସୁ । ଆମେ ମାନିନେଉ ଯେ ସେହି ବ୍ୟକ୍ତି ଆମ ପାଇଁ ଭଲ ଚିନ୍ତା କରୁଛି, ସେ କେବେବି କ୍ଷତି କରିବନି । ଏହି ଭାବନା ଆମକୁ ସେହି ବ୍ୟକ୍ତିର ଖରାପ ଗୁଣ ଓ ବ୍ୟବହାରକୁ ପୁରା ଅଣଦେଖା କରିବାକୁ ବାଧ୍ୟ କରେ, ଯାହା ପରେ ଭୁଲ୍ ସାବ୍ୟସ୍ତ ହୋଇଥାଏ ।

​​​​​​​

ମାନସିକ ସ୍ଥିତି ଉପରେ ପ୍ରଭାବ: ଆବଶ୍ୟକଠାରୁ ଅଧିକ ବିଶ୍ୱାସ କରିବା ପଛରେ ଅନେକ ସମୟରେ ଆମର ମାନସିକ ସ୍ଥିତି ଦାୟୀ ରହିଥାଏ ।

ଏକଲାପଣ ଓ ଆତ୍ମବିଶ୍ୱାସର ଅଭାବ: ଯେଉଁ ଲୋକମାନେ ନିଜକୁ ଏକଲା ଅନୁଭବ କରିଥାନ୍ତି କିମ୍ବା ଯେଉଁମାନଙ୍କଠାରେ ଆତ୍ମବିଶ୍ୱାସର ଅଭାବ ରହିଥାଏ, ସେମାନେ ଅନ୍ୟମାନଙ୍କ ଉପରେ ଖୁବ୍ ଶୀଘ୍ର ବିଶ୍ୱାସ କରିଯାଆନ୍ତି । କାହାର ସାମାନ୍ୟ ସହଯୋଗ ମିଳିଲେ, ସେମାନେ ପୁରା ନିର୍ଭର କରିବସନ୍ତି ।

ଆବଶ୍ୟକଠାରୁ ଅଧିକ ସକାରାତ୍ମକ ଭାବନା: କିଛି ଲୋକ ସ୍ୱଭାବତଃ ଖୁବ୍ ଭଲ ହୋଇଥାନ୍ତି । ସେମାନଙ୍କୁ ସାରା ଦୁନିଆର ଲୋକ ଭଲ ଅନୁଭବ ହୋଇଥାନ୍ତି । ଏପରି ଲୋକଙ୍କର ସକାରାତ୍ମକ ଭାବନା ଅନ୍ୟକୁ ଯାଞ୍ଚ କରିବାକୁ ଅନୁମତି ଦେଇ ନଥାଏ । ତେଣୁ ସେମାନେ ଅନେକ ସମୟରେ ଧୋକା ଖାଇଥାନ୍ତି ।

ଆହୁରି ପଢ଼ନ୍ତୁ...ବାରମ୍ବାର ପଡ଼ିବା ପିଲାର ମସ୍ତିଷ୍କକୁ ପ୍ରଭାବିତ କରେ କି? ଜାଣନ୍ତୁ କେତେବେଳେ ଚିନ୍ତା କରିବା ଆବଶ୍ୟକ...

ଯେତେବେଳେ ବିଶ୍ୱାସ, ଘାତକ ସାବ୍ୟସ୍ତ ହୁଏ: ଭରସାରେ ସନ୍ତୁଳନ ନ ରହିବା ଦ୍ୱାରା ସମ୍ପର୍କରେ ବିଘ୍ନ ଆସିଥାଏ । ଆମେ ଜୀବନରେ ଅନ୍ୟକୁ ଆବଶ୍ୟକଠାରୁ ଅଧିକ ଅଧିକାର ଦେବା କିମ୍ବା କୌଣସି ସୀମା ନ ରଖିବା ଦ୍ୱାରା ସାମ୍ନା ଲୋକକୁ ଆମର ଦୁର୍ବଳତା ଜଣାପଡିଥାଏ । ଏହିଠାରୁ ଅନ୍ଧ ଭରସା ଜନ୍ମ ହୋଇଥାଏ । ସାମ୍ନା ଲୋକର ସମସ୍ତ କଥାକୁ ଅନ୍ୟଜଣେ ବିଶ୍ୱାସ କରିବସେ । ଫଳରେ ବ୍ୟକ୍ତି ବିପଦକୁ ଅଣଦେଖା କରିବା ଦ୍ୱାରା ପରିଣାମ ଭୋଗିବାକୁ ପଡିଥାଏ ।

ସମାଧାନ କ'ଣ?

ଏପରି ସମସ୍ୟାକୁ ଦୂର କରିବା ପାଇଁ ଆମେ ସମସ୍ତଙ୍କୁ ଅବିଶ୍ୱାସ କରିବା ଉଚିତ୍ ହେବନି । ତେଣୁ ଅନ୍ୟକୁ ବିଶ୍ୱାସ କରନ୍ତୁ କିନ୍ତୁ ତୁରନ୍ତ ନୁହେଁ । ଧୀରେ ଧୀରେ ନିଜ ଅନୁଭବକୁ ଆଧାର କରି ବିଶ୍ୱାସ ବଢାନ୍ତୁ ।