ରାୟଗଡ଼(ଗଜପତି)୨୭/୫: ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ପୂର୍ବତନ ଭାରପ୍ରାପ୍ତ ବିଡିଓ ତଥା ତହସିଲଦାର ସୁକାନ୍ତ ପ୍ରଧାନଙ୍କ ଗାଡିର ତେଲ ଦୁର୍ନତୀର ତଦନ୍ତ ଦାବୀ କରିଛନ୍ତି ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ । ମଙ୍ଗଳବାର କଇଁପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି l
ପ୍ରକାଶ ଯେ, ରାୟଗଡ଼ ବ୍ଲକ କାର୍ଯ୍ୟାଳୟରେ ଆବାସ ଯୋଜନା ନିରୀକ୍ଷଣ ନିମନ୍ତେ ଏକ ପ୍ରାଇଭେଟ ଗାଡି ଭଡା ଆକାରରେ ନିୟୋଜିତ ରହିଅଛି l ତେବେ ଉକ୍ତ ଗାଡିର ଲଗ ବୁକ ଓ ସ୍ପିଡ଼ ମିଟର ରିଡିଙ୍ଗକୁ ଯାଞ୍ଚ କଲାବେଳେ ଏଥିରେ ପୂର୍ବତନ ଭାରପ୍ରାପ୍ତ ବିଡ଼ିଓ ତଥା ତହସିଲଦାର ଶ୍ରୀ ପ୍ରଧାନ ଦୁର୍ନୀତିରେ ଲିପ୍ତ ଥିବା ଜଣାପଡ଼ଛି l କିଛି ଦିନ ପୂର୍ବେ ବ୍ଲକରେ ନୂତନ ଭାବେ ବିଡ଼ିଓ ସନ୍ତୋଷ କୁମାର ବାରିକ ପୂର୍ବତନ ଭାରପ୍ରାପ୍ତ ବିଡ଼ିଓ ଶ୍ରୀ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ l ତେବେ ଦାୟିତ୍ୱ ହସ୍ତାନ୍ତର ପରେ ବ୍ଲକରେ ଭଡାରେ ଲାଗିଥିବା ପ୍ରାଇଭେଟ ଗାଡିର ଲଗ ଵୁକ୍ ଏବଂ ସ୍ପୀଡ଼ ମିଟର ରିଡିଙ୍ଗକୁ ତଦାରଖ କରାଗଲାବେଳେ ଏଥିରେ ତାଳମେଳ ହେଉନଥିବା ଦେଖାଦେଇଥିଲା l
ଏନେଇ ସମ୍ପୃକ୍ତ ଗାଡିର ଡ୍ରାଇଭର କୃଷ୍ଣଚନ୍ଦ୍ର ଶବରଙ୍କୁ ପଚାରିବାରେ ସେ ତାଙ୍କ ଅଧିକାରୀ ଭାବେ ସୁକାନ୍ତ କୁମାର ପ୍ରଧାନଙ୍କ ନିର୍ଦ୍ଦେଶ ଅନୁଯାଇ ମିଥ୍ୟା ଗସ୍ତ ଦେଖାଇ ଲଗ୍ ଵୁକ୍ ରେ ଲେଖିଥିବା ସ୍ୱୀକାର କରିଥିଲେ l ତେଣୁ ଏଥିରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଅଧିକାରୀଙ୍କ ବିରୋଧରେ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ କରିଛନ୍ତି l ଏଥିସହ ତହସିଲ କାର୍ଯ୍ୟାଳରେ ଲାଗିଥିବା ଭଡାଗାଡିର ସମସ୍ତ କାଗଜ ପତ୍ରକୁ ମଧ୍ୟ ଯାଞ୍ଚ କରିବାକୁ ଅନୁରୋଧ କରିଛନ୍ତି l ଉକ୍ତ ଘଟଣାର ତଦନ୍ତ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି l ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ବିଜୟ କୁମାର ଦାସ କହିଛନ୍ତି l