ଭବାନୀପାଟଣା/ଲାଞ୍ଜିଗଡ,୮/୬ : ରାଜ୍ୟ ଦଶମ ବୋର୍ଡ ପରୀକ୍ଷାରେ ଏ-୨ ଗ୍ରେଡ଼ ପାଇ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ଟପ୍ପର ହୋଇଥିବା ବନ୍ଧପାରୀ ପଞ୍ଚାୟତ ଟିମନବାଡି ଗାଁର ସୂରଜ ନାଗ ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଅଭାବରୁ ଦାଦନ ଖଟିବାକୁ ଯାଉଛନ୍ତି । ଖବର ଲୋକଲୋଚନକୁ ଆସିବା ପରେ ଆମ ବ୍ୟବସ୍ଥାକୁ ନେଇ ସଚେତନ ମହଲରେ ତୀବ୍ର ଆଲୋଡ଼ନ ଦେଖାଯାଇଛି । ସୁରଜ୍ ବିଶ୍ବନାଥପୁର ଗୋପବନ୍ଧୁ ହାଇସ୍କୁଲର ଛାତ୍ର। ସେ ମାଟ୍ରିକ ପରୀକ୍ଷା ଫଳାଫଳରେ ୪୯୮ମାର୍କ ରଖି କୃତିତ୍ବ ଅର୍ଜନ କରିଛି । ପରୀକ୍ଷାରେ ସଫଳତାକୁ ନେଇ ପରିବାର ଓ ଗାଁ ଲାକେ, ସ୍କୁଲ କର୍ତ୍ତୃପକ୍ଷ ସମସ୍ତେ ବେଶ ଖୁସି ଜାହିର କରୁଛନ୍ତି । ସୂରଜଙ୍କ ସହ ଆଉ ଦୁଇ ଜଣ ଛାତ୍ରଛାତ୍ରୀଙ୍କୁ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ଥିଲା। ମାତ୍ର ଏହି ସମ୍ବର୍ଦ୍ଧନା ସଭାରେ ସୂରଜ ନିଜେ ଅନୁପସ୍ଥିତ ଥିଲେ। ତେବେ ସେ କାହିଁକି ଆସିଲେ ନାହିଁ ବୋଲି ଖବର ନେବାରୁ ତିନି ମାସ ହେଲା କେରଳରେ ସୁରଜ୍ ଦାଦନ ଭାବେ ଖଟୁ ଥିବା ଜଣାପଡ଼ିଥିଲା।
ମେଧାବୀ ଛାତ୍ର ସୂରଜ ପରିବାରର ଆର୍ଥିକ ଅନଟନ ଯୋଗୁଁ ପରିବାର ପ୍ରତିପୋଷଣ ଭାର ଉଠାଇବାକୁ ଦାଦନ ଶ୍ରମିକ ହୋଇ ବାହାରକୁ ଯିବାକୁ ବାଧ୍ୟ ହୋଇଛନ୍ତି। କେରଳର ଆଲୁଭା ନିକଟସ୍ଥ ଏକ ପଥର କ୍ରସରରେ ସେ ଏବେ ଦିନ ମଜୁରିଆ ଦାଦନ ଶ୍ରମିକ। ଯେଉଁଠି ପାଦ ପାଦରେ ପ୍ରତି ମୁହୂର୍ତ୍ତରେ ବିପଦ ରହିଛି । ସେଇ ପଥର କ୍ରସରରେ ଜଣେ ୧୪ ବର୍ଷିୟା ବାଳକ/ ଛାତ୍ର ସୂରଜ ଦାଦନ ଖଟୁଛନ୍ତି ।
ସୁରଜଙ୍କ ଘରେ ବୁଢା ବାପ-ମାଆ ଓ ଭାଇ ଥିବା ବେଳେ ନିଜ ଫର୍ମ ପୂରଣ ଓ କଲେଜ୍ ନାମଲେଖା ପାଇଁ ଟଙ୍କା ଯୋଗାଡ଼ କରିବାକୁ ଦାଦନ ଖଟିବାକୁ ଯାଇଥିବା ତାଙ୍କ ପରିବାର ଲୋକେ ସ୍ଵୀକାର କରିଛନ୍ତି। ତେବେ ଅର୍ଥାଭାବ ଓ ପରିବାରର ଆର୍ଥିକ ଅନଗ୍ରସର ଥିବା ଯୋଗୁଁ ଜଣେ ମେଧାବୀ ଛାତ୍ର ଦାଦନ ଖଟିବାକୁ ବାଧ୍ୟ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଚିନ୍ତାଜନକ ହୋଇଛି। ସୁରଜଙ୍କୁ ଉଦ୍ଧାର କରି ଉଚ୍ଚଶିକ୍ଷା ପ୍ରଦାନ ପାଇଁ ସରକାର, ପ୍ରଶାସନ କିମ୍ବା କୌଣସି ଘରୋଇ ଶିକ୍ଷାନୁଷ୍ଠାନ ଆଗେଇ ଆସିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଅନୁରୋଧ କରାଯାଉଛି।