ଭୁବନେଶ୍ୱର, ୧୪/୦୭: ଇନ୍‌ଫୋସିଟି ଥାନା ଅଧୀନ ପଥରଗାଡ଼ିଆ  ଗାଁ ପୁଣି ଅଶାନ୍ତ ହୋଇପଡ଼ିଛି । ପୁଣି ୨  ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଛି ।  ସଂଘର୍ଷରେ ୨ ଜଣ ଗୁରୁତର ହୋଇଛନ୍ତି ।  ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ପପୁନା ଜେନା  ଓ ଜଗଦୀଶ ବେହେରାଙ୍କୁ ନିକଟସ୍ଥ  ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗାଁରେ ଉତ୍ତେଜନା ଥମି ନଥିବାରୁ ବ୍ୟାପକ ପୁଲିସ  ମୁତୟନ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ :-  Nabajouban Darshan: ଆଜି ମହାପ୍ରଭୁଙ୍କ ପବିତ୍ର ନବଯୌବନ ଦର୍ଶନ, ସାଢ଼େ୨ଟା ରୁ ସାଢ଼େ ୩ଟା ଯାଏ ପରମାଣିକ ଦର୍ଶନ କରିବେ ଶ୍ରଦ୍ଧାଳୁ

ସୂଚନା ମୁତାବକ, ଗତବର୍ଷ ଗଣେଷ ପୂଜାରେ ବେହେରା  ସାହି ଓ ଜେନା ସାହି ଭିତରେ ତୀବ୍ର ବିବାଦ  ଲାଗିଥିଲା । ସେବେଠାରୁ ୨ ସାହି ଭିତରେ  ଶତ୍ରୁତା ଲାଗି ରହିଥିଲା । ସୋମବାର ଅପରାହ୍ଣରେ କ୍ରିକେଟ୍‌ ଖେଳ ବେଳେ କମେଣ୍ଟ ମରାକୁ କେନ୍ଦ୍ର କରି ପପୁନା ଓ ଜଗଦୀଶ ଭିତରେ ଝଗଡ଼ା ଲାଗିଥିଲା । ଦୁଇ ସାହିର ଏହି  ଦୁଇଜଣଙ୍କ ଭିତରେ ଗଣ୍ଡଗୋଳ ପୂର୍ବ ଶତ୍ରୁତାକୁ ନେଇ ଭୀଷଣ ରୂପ ନେଇଥିଲା ।  ରାତି ୯ଟାରେ ୨ ସାହିର ଦୁହେଁ ପରସ୍ପରକୁ  କଟୁରିରେ ଆକ୍ରମଣ କରିଥିଲେ । ପରେ  ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା  ପଥର ଫିଙ୍ଗିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ  ମାର୍‌ପିଟ୍‌ ଚାଲିଲା । ସ୍ଥିତି ଅଣାୟତ ହେବାରୁ ପୁଲିସକୁ ଖବର ଦିଆଗଲା । ପୁଲିସ ଟିମ୍‌ ପହଞ୍ଚିବା ପରେ ୨ ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ । ୨ ସାହିରେ ପୁଲିସ ପକ୍ଷରୁ  ୪ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି ।