ଟଙ୍କା ଲୁଟିବାକୁ‘ଭଡ଼ା ଅଫିସ୍’, ନିଜସ୍ୱ ବିଲ୍ଡିଂ ଫାଙ୍କା

ଭୁବନେଶ୍ୱର,୪ା୨(ବ୍ୟୁରୋ): କୋଟି କୋଟି ଟଙ୍କା ଖର୍ଚ୍ଚରେ ତିଆରି ନିଜସ୍ୱ ବିଲ୍ଡିଂ ଫାଙ୍କା ପଡି଼ଛି । କେଉଁଠି ଅଳନ୍ଧୁ ଲାଗିଗଲାଣି ତ, ଆଉ କେଉଁଠି ଉଇ ହୁଙ୍କା ଠିଆ ହେଲାଣି । ଆଉ କିଛି ଜାଗାରେ ରକ୍ଷଣାବେକ୍ଷଣା ଅଭାବରୁ ପୁରୁଣା ବିଲ୍ଡିଂ ଖତ ଖାଉଛି । ସେ ସବୁକୁ ବିଏମ୍ସିର ଖାତିର ନାହିଁ । କିନ୍ତୁ ନିଜ ମାଲିକାନାରେ ଥିବା ମାଳ ମାଳ ବିଲ୍ଡିଂ ଛାଡ଼ି ଏବେ ଭଡ଼ା ଘର ପଛରେ ପଡ଼ିଛି ବିଏମ୍ସି । ନିଜସ୍ୱ ବିଲ୍ଡିଂରେ ଚାଲିଥିବା ଜୋନ୍ ଅଫିସ୍କୁ ଭଡ଼ା ଘରକୁ ଉଠାଇ ନିଆଯାଇଛି । ଅଫିସ୍ ବାବଦରେ ରାଜସ୍ୱରୁ ମାସକୁ ୭୫ହଜାର ଟଙ୍କା ଭଡ଼ା ଗଣାଚାଲିଛି ।
ଭତ୍ତା ଦୁର୍ନୀତି, ଅଳିଆ ଦୁର୍ନୀତି ପରେ ବିଏମ୍ସି ମୁଣ୍ଡିଆଳମାନେ ଟଙ୍କା ଖାଇବାକୁ ଏବେ ନୂଆ ତରିକା ଧରିଛନ୍ତି । ଏବେ ଟଙ୍କା ଲୁଟିବାକୁ ବିଏମ୍ସିର ସାଉଥ୍ ଇଷ୍ଟ ଜୋନ୍ ବା ଦକ୍ଷିଣ-ପୂର୍ବ ମଣ୍ଡଳର ଅଫିସ୍ ଏକ ଭଡ଼ା ବିଲ୍ଡିଂକୁ ଉଠାଇ ନେଇଛନ୍ତି । ସାମନ୍ତରାପୁର ଭୁଆସୁଣୀ ମନ୍ଦିର ପାଖରେ ଥିବା ଏକ ବିଲ୍ଡିଂରେ ଏହି ଜୋନ୍ ଅଫିସ୍ ଚାଲିଛି । ପ୍ରାୟ ୬ ମାସ ତଳୁ ବିଏମ୍ସିର ମୁଖ୍ୟ କାର୍ଯ୍ୟାଳୟର ଓଏପି ସେକ୍ସନ୍ ପାଖରେ ଚାଲିଥିବା ଏହି ଜୋନ୍ ଅଫିସ୍ରୁ ସେଠାକୁ ଉଠାଇ ନିଆଯାଇଛି । ଭଡା ବାବଦକୁ ମାସକୁ ୭୫ ହଜାର ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି । ୩ ବର୍ଷ ପାଇଁ ଆଗୁଆ ୩ଲକ୍ଷ ଟଙ୍କାର ସିକ୍ୟୁରିଟି ମଧ୍ୟ ଜମା ଦେଇଛି ବିଏମ୍ସି ।
ଲୋକଙ୍କୁ ହାତପାଅ।।ନ୍ତାରେ ସେବା ଯୋଗାଇବାକୁ ବିଏମସି ସହରର ୩ଟି ସ୍ଥାନରେ ଜୋନ୍ ଅଫିସ୍ ଖୋଲଛି । ସହିଦନଗର, କଟକ ରୋଡ୍ ଅଞ୍ଚଳ, ସବୁ ୟୁନିଟ୍ ଅଞ୍ଚଳ, ବମିଖାଲ, ପୁରୁଣା ଭୁବନେଶ୍ୱର ଅଞ୍ଚଳ ଦକ୍ଷିଣ-ପୂର୍ବ ଜୋନ୍ ଅଧୀନରେ ଆସୁଛି । କିନ୍ତୁ ଏହି ଅଞ୍ଚଳର ଲୋକଙ୍କୁ ସେବା ଦେବାକୁ ବିଏମ୍ସି ସାମନ୍ତରାପୁରକୁ ଅଫିସ୍ ଉଠାଇ ନେଇଛି । ସାମନ୍ତରାପୁର ଅଞ୍ଚଳର ଆଗକୁ ଗଲେ ବିଏମ୍ସି ସୀମା ସରୁଛି । ଏଣୁ କେଉଁ ସ୍ୱାର୍ଥରେ ସହର ଭିତରେ ଜୋନ୍ ଅଫିସ୍ ନ କରି ସହର ଉପକଣ୍ଠକୁ ଉଠାଇ ନିଆଯାଇଛି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଭଡାରୁ ବେଶ୍ ମୋଟା ଅଙ୍କର କମିଶନ କାରବାର ହୋଇଛି ବୋଲି ମଧ୍ୟ କିଛି ତଳିଆ କର୍ମଚାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଖାଲି ସେତିକି ନୁହେଁ, ନୂଆ ଅଫିସ୍ ପାଇଁ ଅଫିସ ସାମଗ୍ରୀ କିଣା ଓ ପୁରୁଣା ଅଫିସ୍ରୁ ନୂଆ ଅଫିସ୍କୁ ସାମଗ୍ରୀ ସ୍ଥାନାନ୍ତର ବାବଦରେ ଲକ୍ଷାଧିକ ଟଙ୍କାର ବିଲ୍ ହୋଇଛି । ଏଥିରୁ ବି ବେଶ୍ ହାତସଫେଇ ହୋଇଛି ବୋଲି ଅଭିଯୋଗ ଆସିଛି ।
ସେପଟେ ବିଏମ୍ସିର ଅନେକ ନିଜସ୍ୱ ବିଲ୍ଡିଂ ଅପରିତ୍ୟକ୍ତ ହୋଇପଡ଼ିଛି । ଦକ୍ଷିଣ-ପୂର୍ବ ଜୋନ୍ ଅଧୀନରେ ସହରର ପ୍ରମୁଖ ସ୍ଥାନରେ ଥିବା ଅନେକ ବିଲ୍ଡିଂ ଫାଙ୍କା ପଡ଼ିଛି । ୟୁନିଟ୍-୪ରେ ପଞ୍ଚଦୀପ ମାର୍କେଟ୍ କମ୍ପେ୍ଲକ୍ସ ତିଆରି ହୋଇ ଖତ ଖାଉଛି । ସହିଦନଗର ବିଏମ୍ସି ଭବାନୀ ମଲ୍ରେ ବିଏମ୍ସି ଅଧୀନରେ ଥିବା ଅନେକ ବ୍ଲକ୍ ଫାଙ୍କା ପଡ଼ିଛି । ଯାତ୍ରୀ ନିବାସର ଦୁଇଟି ମହଲା ଅପରିତ୍ୟକ୍ତ ହୋଇ ରହିଛି । ମାର୍କେଟ୍ ବିଲ୍ଡିଂ ପାଖରେ ବିଏମ୍ସିର ବିଲ୍ଡିଂ, ସହିଦନଗର କଲ୍ୟାଣ ମଣ୍ଡପ, ଦକ୍ଷିଣ-ପୂର୍ବ ଜୋନ୍ର ଏକାଧିକ କମ୍ୟୁନିଟି ସେଣ୍ଟର ଓ ଅନ୍ୟ ବିଲ୍ଡିଂଗୁଡିକ ବ୍ୟବହାର ଅଭାବରୁ ନଷ୍ଟ ହେବାକୁ ବସିଲାଣି । କିନ୍ତୁ ବିଏମ୍ସି ଅଫିସରଙ୍କୁ ନିଜସ୍ୱ ବିଲ୍ଡିଂକୁ ଗନ୍ଧାଉଛି । ନିଜ ବିଚକ୍ଷଣ ବୁଦ୍ଧି ଖଟାଇ କିଭଳି ଓ କେଉଁ ବାଟରେ ଟଙ୍କା ଖାଇ ହେବ ସେ କାମରେ ମାତିଛନ୍ତି । ଏଥିପାଇଁ ଜୋନ୍ ଅଫିସ୍ ଭଡ଼ାକୁ ଟେକି ଦେଇଛନ୍ତି ।