ବିଏମ୍ସିରେ ଚାକିରି କାରସାଦି : ଡାଟା ଏଣ୍ଟ୍ରି ଅପରେଟରଙ୍କୁ ତରବରିଆ ସାନି ପରୀକ୍ଷା, ପଚରା ଗଲା ସଫ୍ଟୱେର ଇଞ୍ଜିନିୟରିଂ ପ୍ରଶ୍ନ…

ରାତାରାତ୍ ସାକ୍ଷାତକାର ପଛରେ କିଏ?
ଭୁବନେଶ୍ୱର,୨୨/୦୫: ରାଜଧାନୀବାସୀ ନୂଆ ମେୟର ଓ କର୍ପୋରେଟରଙ୍କୁ ବାଛିଲେ । ଆଶା ଥିଲା, ସହରର ରୂପ ବଦଳିବ । ନୂଆ ମେୟର ଆସିଲା ପରେ ସହର ବଦଳୁ କି ନ ବଦଳୁ, ସହର ପାଇଁ ବିପଦରେ ଲଢ଼ିଥିବା ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ ଚାକିରି ନେବାକୁ ହୀନ ଉଦ୍ୟମ ଚାଲିଲାଣି । ଆଉ ସେମାନଙ୍କୁ ବିଦା କରିବା ନିଶା ଏମିତି ଘାରିଛି ଯେ, ପରୀକ୍ଷା କରାଇବା ବାହାନାରେ ସେମାନଙ୍କ ଆଗରେ ଇଞ୍ଜିନିୟରିଂ ପ୍ରଶ୍ନ ଥୁଆ ଯାଇଛି ।
ଶନିବାର ତରବରିଆ ଭାବେ କାର୍ଯ୍ୟରତ ଡିଇଓଙ୍କୁ ଡାକି ସାନି ପରୀକ୍ଷା ଦେବାକୁ କୁହାଯାଇଥିଲା । ପରାକ୍ଷା ପାଇଁ ସେମାନଙ୍କୁ ପଟିଆସ୍ଥିତ ଏକ ଘରୋଇ କମ୍ପ୍ୟୁଟର ଲାବ୍କୁ ଡକା ଯାଇଥିଲା । ତିନୋଟି ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା । ପ୍ରଥମେ ୬୦ଟି ମଲ୍ଟିପଲ ଚଏସ୍ ପ୍ରଶ୍ନ ଦିଆଯାଇଥିଲା । ଏହାପରେ କମ୍ପ୍ୟୁଟର ଟାଇପିଂ ସ୍କିଲ ଟେଷ୍ଟ୍ ହେଲା । ଶେଷରେ ମୌଖିକ ପ୍ରଶ୍ନ ପଚରା ଯାଇଥିଲା । କିନ୍ତୁ ଚକିତ କରିବା ଭଳି କଥା, ଡିଇଓଙ୍କୁ ସଫ୍ଟୱେର ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଆସୁଥିବା ଅନେକ ପ୍ରଶ୍ନ ପଚାରିଥିଲେ । ନେଟୱର୍କିଂ ଆଣ୍ଡ ୱେବ୍ ଡେଭଲପ୍ମେଣ୍ଟ, ସଫ୍ଟୱେର ଡେଭଲପମେଣ୍ଟ ଲାଇଫ୍ ସାଇକେଲ୍, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଉପରେ ଅନେକ ପ୍ରଶ୍ନ ପଚରାଗଲା । ଆଦୌ ପ୍ରସ୍ତୁତ ନଥିବାରୁ ଏହି ପ୍ରଶ୍ନ ଶୁଣି ପରୀକ୍ଷା ଦେଉଥିବା ଡିଇଓ ଥତମତ ହୋଇଥିଲେ । ଶେଷରେ ନିରାଶ ହୋଇ ଫେରିଥିଲେ ।
ହେଲେ ସାକ୍ଷାତ୍କାର ନେଉଥିବା ସଂସ୍ଥା କିଏ? ପିଏମଆର୍ ସ୍ଥାନରେ କେଉଁ ନୂଆ ସଂସ୍ଥା ଅଧୀନରେ ଡିଇଓମାନେ ରହିବେ ତାହା ନିଷ୍ପତ୍ତି ହୋଇନି । କିନ୍ତୁ ତରବରିଆ ଭାବେ ଡିଇଓଙ୍କୁ ଡାକି ଅନାବଶ୍ୟକ ସାକ୍ଷାତକାର କରାଇବା କାହା ନିଷ୍ପତ୍ତି ? ଡିଇଓଙ୍କୁ ଛଟେଇ ଓ ନୂଆ ସାକ୍ଷାତକାର ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବାବଦରେ କର୍ପୋରେସନ୍ର ଅନୁମତି ଅଛି ତ? ଏଭଳି ମାଳ ମାଳ ପ୍ରଶ୍ନ ସାମ୍ନାକୁ ଆସିଲାଣି ।
ବିଏମ୍ସିରେ ୫୮ଜଣ ଡାଟା ଏଣ୍ଟ୍ରି ଅପରେଟର ନିୟୋଜିତ ହୋଇଥିଲେ । ପ୍ରାୟ ୫/୭ ବର୍ଷ ତଳୁ ସେମାନେ ବିଏମ୍ସିରେ ରହି କାମ କରି ଆସୁଛନ୍ତି । ଘରୋଇ ସଫେଇ ଏଜେନ୍ସି ପିଏମଆର୍ ଜରିଆରେ ସେମାନଙ୍କୁ ପ୍ରତି ମାସରେ ଦରମା ଦିଆଯାଉଥିଲା । ବିଏମ୍ସି କର୍ପୋରେସନର ଅନୁମୋଦନ ପରେ ସମସ୍ତଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେମାନେ ମାସକୁ ୭ରୁ ୮ହଜାର ଟଙ୍କା ଦରମା ପାଉଥିଲେ । ଇପିଏଫ୍ ବାବଦରେ ୧୦୦୦ରୁ ୧୫୦୦ ଟଙ୍କା କଟାଯାଉଥିଲା ।
ଡାଟା ଏଣ୍ଟି ଅପରେଟରଙ୍କୁ ମାସକୁ ସର୍ବନିମ୍ନ ୧୨୦୦୦ ଟଙ୍କା ଦେବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ । ଏହାସତ୍ତେ୍ୱ ବିଏମ୍ସିରେ କାର୍ଯ୍ୟରତ ଡିଇଓଙ୍କୁ କମ୍ ଦରମାରେ ରଖାଯାଇଥିଲା । କୋଭିଡ୍ ସମୟରେ ଏମାନେ ନିଜ ଜୀବନକୁ ବିପଦରେ ପକାଇ କାମ କରୁଥିଲେ । ଯେବେ ବାହାରକୁ ବାହାରିବାକୁ ଲୋକେ ଡରୁଥିଲେ ସେବେ ଏହି ଡିଇଓମାନେ ୱାର୍ଡ ବୁଲି ଟିକାକରଣ ଅଭିଯାନରେ ସାମିଲ ହୋଇଥିଲେ । ସଂକ୍ରମଣ ଓ ଲୋକଙ୍କ ଭିଡ଼କୁ ଖାତିର ନ କରି ଟିକା କେନ୍ଦ୍ରରେ ଲୋକଙ୍କ ତଥ୍ୟ ଏଣ୍ଟ୍ରି କରୁଥିଲେ । କୋ-ୱିନ୍ ପୋର୍ଟାଲରେ ଡିଇଓ ଡାଟା ଏଣ୍ଟ୍ରି କଲା ପରେ ଯାଇ ଲୋକଙ୍କୁ ଟିକା ମିଳୁଥିଲା ।
ସଂକ୍ରମଣ ପିକ୍ରେ ଥିବାବେଳେ ଦୈନିକ ହଜାର ହଜାର ଲୋକଙ୍କ ସଂସ୍ପର୍ଶରେ ଆସୁଥିଲେ । ତଥାପି ଜୀବନକୁ ଖାତିର ନ କରି ଟିକାକରଣରେ ସାମିଲ ହୋଇଥିଲେ । ଖାଲି ସ୍ୱାସ୍ଥ୍ୟକର୍ମୀ ନୁହେଁ, ଏହି ଡିଇଓଙ୍କ ଅଦମ୍ୟ ସାହସକୁ ସବୁ ମହଲରେ ପ୍ରଂଶସା କରାଯାଇଥିଲା । ସେମାନଙ୍କୁ ଆଗଧାଡିର ଯୋଦ୍ଧା ମାନ୍ୟତା ମିଳିଥିଲା । କିନ୍ତୁ ମହାମାରୀ ସମୟରେ ଖଟିଥିବା ଏହି ଡିଇଓଙ୍କୁ ପୁରସ୍କାର ବଦଳରେ ସେମାନଙ୍କ ଚାକିରି ନେବାକୁ ହୀନ ପ୍ରୟାସ ଚାଲିଛି ।
ଶନିବାର ସାକ୍ଷାତକାରକୁ ଅନେକ ଡିଇଓ ବିରୋଧ ବି କରିଥିଲେ । ଏଥିପାଇଁ ସେଠାକୁ ଯାଇ ୧୫ରୁ ଅଧିକ ଡିଇଓ ଫେରି ଆସିଥିଲେ । ଆଉ କିଛି ଡିଇଓ ସାକ୍ଷାତକାର ଦେବାକୁ ଆଦୌ ଯାଇନଥିଲେ । ୫୮ ଜଣରୁ ମାତ୍ର ୩୫ଜଣ ଡିଇଓ ସାକ୍ଷାତକାର ଦେଇଥିଲେ । ହେଲେ ସାକ୍ଷାତକାର ପରେ ନିରାଶ ମନରେ ଫେରିଥିଲେ । ଜଣେ ମହିଳା ଡିଇଓ ନିଜ ନାମ ଗୋପନ ରଖବା ସର୍ତ୍ତରେ କହିଛନ୍ତି, ଆମେ ନିଷ୍ଠାପର ଭାବେ କାମ କରୁଥିଲେ ବି ଆମକୁ ଚାକିରିରୁ ବାହାର କରିବାକୁ ଏବେ ଭିତିରି ଯୋଜନା ଚାଲିଛି । ଆଜି ସାକ୍ଷାତକାରର ପ୍ରଶ୍ନ ଶୁଣିଲା ପରେ ଆମେ ଏହା ନିଶ୍ଚିତ ହୋଇଗଲୁ । ନୂଆ ମେୟର ଆମକୁ ବିଦା କରିବାକୁ ଲାଗିଛନ୍ତି । ଆମ ଜାଗାରେ ନିଜ ମନପସନ୍ଦର ପିଲାଙ୍କୁ ଆଣି ଥଇଥାନ କରିବେ ।