ବିଏମ୍ସିରେ ଚାକିରି କାରସାଦି: ପୁରୁଣା କର୍ମଚାରୀଙ୍କୁ କାଢ଼ି ଅନୁଗତଙ୍କୁ ଥଇଥାନ କରିବାକୁ ହୋଇଛି ସାଙ୍ଘାତିକ ଖେଳ

ଭୁବନେଶ୍ୱର,୨୩/୦୫: ଚାକିରି ନେବ, ଚାକିରି… । ଦରକାର ଯଦି କୁହ । କମ୍ପ୍ୟୁଟର ଟାଇପ୍ ଜାଣିଥିଲେ ଯଥେଷ୍ଟ । ମାସକୁ ୧୦ ହଜାର ଦେବୁ । ୧୦ରୁ ୫ଟା ଡ୍ୟୁଟି । ତା ପରେ ଛୁଟି । ବିିଏମ୍ସିର କିଛି ବଡ଼ବଡ଼ିଆ ଏବେ ଏଭଳି ଚାକିରି ବଣ୍ଟାରେ ମାତିଛନ୍ତି । ବିଏମ୍ସିରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ)ଙ୍କୁ ବିଦା କରି ଏହି ଚାକିରି କାରସାଦି ଚଳାଇଛନ୍ତି ।
ଗତ ୧୭ ତାରିଖରେ ପିଏମ୍ଆରକୁ ଲେଖାଯାଇଥିବା ଏକ ଚିଠି ‘ପ୍ରମେୟ’ ପାଖରେ ପହଞ୍ଚିଛି । ଏଥିରେ କାର୍ଯ୍ୟରତ ଡିଇଓଙ୍କର କୌଣସି ଆବଶ୍ୟକତା ନାହିଁ ବୋଲି ଲେଖାଯାଇଛି । କିନ୍ତୁ ଏହି ଡିଇଓଙ୍କୁ ପୁଣି ସାକ୍ଷାତକାର ପାଇଁ ଡାକିବା ଓ ନୂଆ ଡିଇଓ ଖୋଜିବା, ବିଏମ୍ସିର ଭିତିରି କାରସାଦିକୁ ପଦାରେ ପକାଇ ଦେଇଛି ।
ବିଏମ୍ସିରେ ଯେଉଁ ୫୮ ଡିଇଓ କାର୍ଯ୍ୟ କରୁଥିଲେ ସେମାନଙ୍କର ଜୁନ୍ ୧ ତାରିଖ ପରଠାରୁ ଆଉ ଆବଶ୍ୟକତା ନାହିଁ । ପିଏମ୍ଆର୍ କନସୋର୍ଟିୟମ୍କୁ ଗତ ୧୭ ତାରିଖରେ ବିଏମ୍ସି ପକ୍ଷରୁ ଏଭଳି ଚିଠି ଲେଖାଯାଇଥିଲା । ଏଣୁ ଏହି ଡିଇଓଙ୍କୁ ଆଉ ନ ରଖିବାକୁ ଚିଠିରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଡିଇଓମାନେ ବିଏମ୍ସି ଅଧୀନରେ କାର୍ଯ୍ୟ କରୁଥିଲେ ବିପିଏମଆର୍ଠାରୁ ମାସିକ ଦରମା ପାଉଥିଲେ । ଏଥିପାଇଁ ସେମାନଙ୍କୁ ବିଦା କରିବାକୁ ପିଏମ୍ଆରକୁ କୁହାଯାଇଥିଲା । ଡିଇଓଙ୍କୁ ବାହାର କରି ନୂଆ ଡିଇଓଙ୍କୁ ରଖିବାକୁ ଯୋଜନା ଚାଲିଥିବା ଜଣାପଡ଼ିଥିଲା ।
ଡିଇଓମାନେ ଏହା ଜାଣିବା ପରେ ମେୟରଙ୍କ ପାଖକୁ ଯାଇ ଗୁହାରି କରିଥିଲେ । ପିଏମଆର ସଂସ୍ଥାର ଟେଣ୍ଡର ସରୁଛି । ଏଣୁ ନୂଆ ସଂସ୍ଥା ଆସି ଦାୟିତ୍ୱ ନେବ । ଯେଉଁ ସଂସ୍ଥା ଆସିବ ସେ ସାନି ସାକ୍ଷାତକାର କରି ନୂଆ ଡିଇଓଙ୍କୁ ରଖିବ ବୋଲି ସଫେଇ ଦିଆଗଲା । ହେଲେ ସଂସ୍ଥା ଚୟନ ପାଇଁ ଟେଣ୍ଡର ଖୋଲା ହେବା ଆଗରୁ ରାତିଅଧିଆ ଡିଇଓଙ୍କୁ ଡାକି ଶନିବାର ସାକ୍ଷାତକାର ନିଆଗଲା କାହିଁକି? ପୁଣି ସାକ୍ଷାତକାରରେ ଡିଇଓଙ୍କୁ ସଫ୍ଟୱେର ଇଞ୍ଜିନିୟରିଂର ପ୍ରଶ୍ନ ପଚାରିଲେ । ଏଠାରେ ପ୍ରଶ୍ନ ଉଠୁଛି, ଯଦି ଡିଇଓଙ୍କ ଆବଶ୍ୟକତା ନାହିଁ ବୋଲି ବିଏମ୍ସି ଚିଠି ଲେଖିଲା ତା ହେଲେ, ନୂଆ ଡିଇଓ ନିଯୁକ୍ତି ପାଇଁ ସାକ୍ଷାତକାର ପ୍ରହସନ କ’ଣ ପାଇଁ? ଡିଇଓଙ୍କ ଆବଶ୍ୟକତା ନ ଥିବାରୁ ସେମାନଙ୍କୁ ଛଟେଇ କଲେ । ପୁଣି ଡିଇଓ ନିଯୁକ୍ତି ପାଇଁ ପ୍ରକ୍ରିୟା କାହିଁକି? କୋଭିଡ୍ ସମୟରେ ନିଜ ଜୀବନକୁ ବାଜି ଲଗାଇ ସହରବାସୀଙ୍କ ସେବା କରିଥିବା ଆଗଧାଡିର ଏହି ଯୋଦ୍ଧାଙ୍କ ଚାକିରି ସହ ବିଏମ୍ସିର ଖେଳୁଛି କାହିଁକି? ଛଟେଇ ଆଶଙ୍କାରେ ଡିଇଓମାନେ କାନ୍ଦ କାନ୍ଦ ହୋଇ ଏଭଳି ପ୍ରଶ୍ନ କରୁଛନ୍ତି ।
ଭିତିରି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଡିଇଓ ପଦବିରେ ଥଇଥାନ ପାଇଁ ଏବେ ୪୦ଜଣିଆ ତାଲିକା ପ୍ରସ୍ତୁତ ଚାଲିଛି । ନିଜ ଖାସ୍ ଅନୁଗତ ଓ ଚିହ୍ନା ପରିଚିତଙ୍କୁ ଏଥିରେ ଥଇଥାନ କରିବାକୁ ଯୋଜନା ହୋଇଛି । କିଏ କେତେ ଲୋକଙ୍କୁ ରଖିବେ ତାର କୋଟା ବି ଧାର୍ଯ୍ୟ କରାଯାଇଛି । ଅମୁକ ଏତେ ଲୋକ ରଖିବେ, ସମୁକ ସେତେ ରଖିବେ.., ଏଭଳି ମୂଲଚାଲ ହେଉଛି । ଆଉ ଏହି ଚାକିରି ଲବି ଆଗରେ ଆଶାୟୀ ଡିଇଓମାନେ ଅସହାୟ ହୋଇ ବସିଛନ୍ତି । ଏହି ଚାକିରି ଥଇଥାନ ଚର୍ଚ୍ଚାକୁ ଅଧିକ ବଳିଷ୍ଠ କରିଛି ବିଏମ୍ସିର ରାତିଅଧିଆ ସାକ୍ଷାତକାର । ନୂଆ ସଂସ୍ଥା ଚୟନ ଆଗରୁ ଏହି କମ୍ପ୍ୟୁଟର ଲାବ୍କୁ କିଏ ବାଛିଲା ତାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହେଲାଣି ।