ବିଏମସିର ଡ୍ରାଇ ଡେ ପାଳନ, ମଶା ବଂଶ ବୃଦ୍ଧିକୁ ନାଶ କରିବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର

ଭୁବନେଶ୍ଵର, ୩୦/୦୬ : ଡେଙ୍ଗୁ ଡ୍ରାଇ ଡେରେ ସାମିଲ ହେବାକୁ ରାଜଧାନୀବାସୀଙ୍କୁ ଆହ୍ଵାନ କଲେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ। ବିଏମସି କମିଶନର ଆଜି ନୀଳାଦ୍ରି ବିହାର ଅଞ୍ଚଳରେ ବୁଲି ଲୋକଙ୍କୁ ସଚେତନ କରିଛନ୍ତି ।
ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାର ମୁକାବିଲା ପାଇଁ ଅଣ୍ଟା ଭିଡିଛି ବିଏମସି । ଏଣିକି ଭୁବନେଶ୍ୱରରେ ସପ୍ତାହକୁ ଦୁଇ ଦିନ ପାଳନ ହେବ ଡ୍ରାଇ ଡେ । ସପ୍ତାହରେ ଗୁରୁବାର ଓ ରବିବାର ଡ୍ରାଇ ଡେ ପାଳନ କରାଯିବ । ଡ୍ରାଇ ଡେର ଅର୍ଥ ହେଉଛି ଘରେ କିମ୍ବା ଅଫିସରେ ସମ୍ଭାବ୍ୟ ମଶା ବଂଶ ବୃଦ୍ଧି ସ୍ଥାନ ଗୁଡିକୁ ସଫା କରିବା। ଆଜି ଗୁରୁବାର ଥିବାରୁ ବିଏମ୍ସି କମିଶନର ଭୁବନେଶ୍ୱରର ବିଭିନ୍ନ ୱାର୍ଡ ବୁଲି ଲୋକମାନଙ୍କୁ ସଚେତନ କରିଛନ୍ତି। ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ଏବଂ ରବିବାର ପ୍ରତ୍ୟେକଙ୍କ ବାସଭବନରେ ଡ୍ରାଇ ଡେ ପାଳନ କରାଯିବ ବୋଲି ସେ କହିଛନ୍ତି।