ଖଣ୍ଡଗିରି ମେଳା ପାଇଁ ଏସ୍ଓପି ଜାରି କଲା ବିଏମ୍ସି: ବିନା ମାସ୍କରେ ଯାତ୍ରା ମନା, ଯାତ୍ରା କମିଟି ସଦସ୍ୟ ଟିକା ନେବା ବାଧ୍ୟତାମୂଳକ

ଭୁବନେଶ୍ୱର,୨୪/୦୧: ବିନା ମାସ୍କରେ ଯାତ୍ରା ମନା । ସମ୍ପୂର୍ଣ୍ଣ କୋଭିଡ ଗାଇଡ୍ ଲାଇନ୍ ଅନୁସାରେ ଖଣ୍ଡଗିରି ମେଳା ଅନୁଷ୍ଠିତ ହେବ । ଯାତ୍ରା ସମୟରେ ଅଶ୍ଳୀଳ ନାଚକୁ ପ୍ରସୟ ଦିଆଯିବନି । ପରିମଳକୁ ଯାତ୍ରା କମିଟି ଗୁରୁତ୍ୱ ଦେବା ସହ ଆଇନଶୃଙ୍ଖଳା ପାଇଁ ସିସିଟିଭି ଲଗାଇବାକୁ ବିଏମ୍ସି ସୋମବାର ଚୂଡାନ୍ତ ଏସ୍ଓପି ଜାରି କରିଛି ।
୨୮ ତାରିଖରେ ଯାତ୍ରା ଆରମ୍ଭ ହେବ । ଯାତ୍ରା କମିଟି ସଦସ୍ୟ ଟିକା ନେବାକୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଯାତ୍ରା ପ୍ରବେଶ ପଥରେ କମିଟି ପକ୍ଷରୁ ସାନିଟାଇଜର ବ୍ୟବସ୍ଥା କରିବାକୁ କୁହାଯାଇଛି । ମାସ୍କ ନ ପିନ୍ଧିଥିଲେ ଲୋକଙ୍କୁ ଏଣ୍ଟ୍ରି ଦେବାକୁ ମନା ହୋଇଛି । ଯାତ୍ରା ପାଇଁ ପ୍ରଚାର ବେଳେ ମାଇକ କମ୍ ସାଉଣ୍ଡରେ ବଜାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରା ପେଣ୍ଡାଲ ପାଇଁ ପୂର୍ତ୍ତ ବିଭାଗ ଏନ୍ଓସିକୁ ବାଧ୍ୟତାମୂଳକ କରାଯାଇଛି । ଅଗ୍ନି ନିରାପତ୍ତା ପାଇଁ ଯାତ୍ରା କମିଟିକୁ ଧ୍ୟାନ ଦେବାକୁ ବିଏମ୍ସି ପରାମର୍ଶ ଦେଇଛି । ସେହିପରି ଅଗ୍ନିଶମ ବିଭାଗ ନିକଟରୁ ଯାତ୍ରା କମିଟି ଏନ୍ଓସି ଆଣିବେ । ଯାତ୍ରାସ୍ଥଳ ପରିଷ୍କାର ରଖିବାକୁ କୁହାଯାଇଛି । ଆବଶ୍ୟକୀୟ ଡଷ୍ଟବିନ୍ ରଖିବା ବାଧ୍ୟତାମୂଳକ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପେଣ୍ଡାଲ ବାହାରେ ସିସିଟିଭି ଲଗାଇବାକୁ ପରାମର୍ଶ ଦିଆଯାଇଛି । ଅଶ୍ଳୀଳ ନାଚ କିମ୍ବା ସାଂପ୍ରାଦାୟିକତା ଉପରେ କୌଣସି ମତ ଦେବାକୁ ବାରଣ କରାଯାଇଛି ।
ଯାତ୍ରାରେ ଦୋକାନ ଖୋଲିବାକୁ ବିଏମ୍ସି ଅନୁମତି ଦେବ । ଏନେଇ ଦକ୍ଷିଣ-ପଶ୍ଚିମ ଜୋନ୍ ଅଫିସରେ ଆବେଦନ କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି । ଖଣ୍ଡଗିରି ଛକରୁ ଜୟଦେବ ବାଟିକା ପର୍ଯ୍ୟନ୍ତ ଦୋକାନ ଖୋଲିପାରିବେ । ଦୋକାନୀମାନଙ୍କୁ ଡଷ୍ଟବିନ୍ ବ୍ୟବହାର କରିବାକୁ ବିଏମ୍ସି ପକ୍ଷରୁ କୁହାଯାଇଛି । ସେହିପରି ଖାଦ୍ୟ ଦୋକାନ ଗୁଡିକ ସିଟି ହେଲଥ୍ ଅଫିସରୁ ଲାଇସେନ୍ସ ନେବାକୁ ଏସ୍ଓପିରେ ଜାରି କରାଯାଇଛି ।