ଭୁବନେଶ୍ୱର,୧୯/୦୩: ଖରା ଟାଏଁ ଟାଏଁ ହେଲାଣି । ତାତି ବଢ଼ିଲାଣି । ମାର୍ଚ୍ଚ ମାସରେ ପାରଦ ରାଜଧାନୀରେ ୪୦ ମୁହାଁ । ହେଲେ ବିଏମ୍ସି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଜଳଛତ୍ର ଖୋଲିନାହିଁ । ଫଳରେ ଏବେ ପାଣି ଟୋପାଏ ପାଇଁ ଉଭୟ ପଥଚାରୀ ଏବଂ ପଶୁପକ୍ଷୀ ଡହଳ ବିକଳ ହେଉଛନ୍ତି । ବୁଧବାର ପାରଦ ୩୭ ଡିଗ୍ରୀ ଛୁଇଁଛି । ଦିନ ୧୨ଟା ବେଳକୁ ସହର ଶୂନଶାନ । ରାଜଭବନ ଭଳି ବ୍ୟସ୍ତବହୁଳ ଜାଗାରେ ଭିଡ଼ ନଥିଲା । ସହର ସାରା ଗରମ ଯୋଗୁଁ ଲୋକ କମ ସଂଖ୍ୟକ ବାହାରେ ବୁଲୁଥିଲେ । ଟ୍ରାଫିକ ଛକରେ ଖରା ଦେହରେ ପଡ଼ିଲେ ପୋଡ଼ି ଗଲା ଭଳି ଅନୁଭବ ହେଉଥିଲା ।
ଗ୍ରୀଷ୍ମ ପ୍ରଭାବକୁ ଆଖି ଆଗରେ ରଖି ତୁରନ୍ତ ଜଳଛତ୍ର ଖୋଲିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ । ହେଲେ ବର୍ତ୍ତମାନ ସୁଦ୍ଧା ଗୋଟିଏ ବି ଜଳଛତ୍ର ଖୋଲିଲା ନାହିଁ । ଜଳଛତ୍ର ନ ଖୋଲିବାରୁ ସାଧାରଣ ଲୋକେ କିଭଳି ଦୁର୍ଦ୍ଦଶା ଭୋଗୁଛନ୍ତି ତାହା କଳନା କରିବା ମୁସକିଲ୍ । ବିଏମ୍ସି ପକ୍ଷରୁ ଚଳିତ ବର୍ଷ ନର୍ଥ ଜୋନ୍ରେ ୬୭ଟି, ସାଉଥ୍-ଇଷ୍ଟ ଜୋନ୍ରେ ୬୯ଟି ଏବଂ ସାଉଥ୍-ୱେଷ୍ଟ ଜୋନ୍ ୭୭ଟି ଜଳଛତ୍ର କେନ୍ଦ୍ର ଖୋଲାଯିବାକୁ ସ୍ଥିର ହୋଇଥିଲା । ସେହିପରି ପ୍ରାଣୀମାନଙ୍କ ପାଇଁ ନର୍ଥ ଜୋନ୍ରେ ୫୧ଟି, ସାଉଥ୍-ଇଷ୍ଟ ଜୋନରେ ୧୩୪ଟି ଏବଂ ସାଉଥ୍-ୱେଷ୍ଟ ଜୋନ୍ରେ ୭୩ଟି ଜଳଛତ୍ର କେନ୍ଦ୍ର ଖୋଲିବାକୁ ବିଏମ୍ସି ନିଷ୍ପତ୍ତି ନେଇଥିଲା । ସେହିପରି ଚଳିତ ବର୍ଷ ଜନ ଗହଳିପୂର୍ଣ୍ଣ ସ୍ଥାନ, ବସ୍ ଷ୍ଟାଣ୍ଡ, ବିଭିନ୍ନ ଛକ, ବଜାର, ହାଟ ଆଦିରେ ପାନୀୟ ଜଳ ସେବା କେନ୍ଦ୍ରମାନ ଖୋଲାଯିବ । ହେଲେ କେବଳ ପ୍ରାଣୀମାନଙ୍କ ପାଇଁ ହାତଗଣତି କିଛି ଜାଗାରେ ପାଣି କୁଣ୍ଡ ବସାଇ ବିଏମ୍ସି ହାତଝାଡ଼ି ଦେଇଛି ।
ଅଧିକ ପଢ଼ନ୍ତୁ :- ରାଜ୍ୟରେ ୨୪ ଯାଏ କାଳବୈଶାଖୀ, ତାପମାତ୍ରା ୨ରୁ ୩ ଡିଗ୍ରୀ କମିପାରେ
ବିଏମ୍ସି ପକ୍ଷରୁ ଦିନ ୧୧ଟାରୁ ୩ଟା ନିର୍ମାଣ କାର୍ଯ୍ୟବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଏବେ ବିଭିନ୍ନ ଉଚ୍ଚ ଅଟ୍ଟାଳିକାରେ ବିନା କୌଣସି ସେଫ୍ଟିରେ କାମ ଚାଲୁଥିବାର ନଜରକୁ ଆସିଛି । ହେଲେ ଏହି ସବୁ କାମ ବନ୍ଦ କରାଯାଉନି । ଘର ନଥିବା ଲୋକମାନେ ଦିନ ବେଳା ସର୍ବସାଧାରଣ ଗୃହ, କମ୍ୟୁନିଟ୍ ହଲ୍, ଅର୍ବାନ ସେଲଟର ଆଦିରେ ବିଶ୍ରାମ ନେବା ପାଇଁ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ବ୍ୟବସ୍ଥା ରହିବ ଏବଂ ପାନୀୟ ଜଳ ଏବଂ ଓଆରଏସ୍ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି । ହେଲେ ଏବେବି ଖରାବେଳେ ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ ଓ ଅଟୋ ଷ୍ଟାଣ୍ଡ୍ରେ ଲୋକେ ଶୋଇ ରହୁଛନ୍ତି । ଏସମ୍ପର୍କରେ ବିଏମ୍ସିର ଡେପୁଟି କମିଶନର ଅଶୋକ କୁମାର ଦାସ(ଏବିସି)ଙ୍କୁ ପଚାରିବାରେ ସେ କହିଛନ୍ତି, କମିଶନରଙ୍କ ଅନୁମୋଦନ ନିମନ୍ତେ ଫାଇଲ ଯାଇଛି । ଆସିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହେବ ।