ଆସିଲା ମୌସୁମୀ; ୩୭ ଜଳବନ୍ଦୀ ସ୍ଥାନ ଜଗିବ ବିଏମ୍ସି

ଭୁବନେଶ୍ୱର,୨୦ା୬(ବ୍ୟୁରୋ): ମୌସୁମୀ ଆସିଲାଣି । ବର୍ଷା ଆରମ୍ଭ ହୋଇଗଲାଣି । ଆଗକୁ ଆହୁରି ବର୍ଷିବ । ଆକାଶରେ ବର୍ଷା ଦେଖି ଛାନିଆ ହୋଇପଡ଼ିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ବର୍ଷାରେ ଉବୁଟୁବୁ ହେଉଥିବା ୩୭ଟି ଜଳବନ୍ଦୀ ସ୍ଥାନକୁ ଚିହ୍ନଟ କରିଛି ବିଏମ୍ସି । କଡ଼ା ନିର୍ଦ୍ଦେଶ ଜାରି ହୋଇଛି, ଜଳବନ୍ଦୀ ଜାଗାକୁ ଜଗ । ଏସବୁ ସ୍ଥାନରେ ଜଳ ନିଷ୍କାସନ ପାଇଁ ବ୍ୟାପକ ବ୍ୟବସ୍ଥା ପାଇଁ କୁହାଯାଇଛି । ବର୍ଷା ପରେ ତୁରନ୍ତ ଜଳ ନିଷ୍କାସନ ପାଇଁ ଏହି ୩୭ଟି ସ୍ଥାନରେ ପମ୍ପ ଲଗାଇବାକୁ ସ୍ଥିର ହୋଇଛି ।
ଚଳିତ ବର୍ଷ ମୌସୁମୀ ଆସିବା ପୂର୍ବରୁ ବିଏମ୍ସି ଆକ୍ସନ ମୋଡ୍କୁ ଆସିଛି । ୧୦ଟି ଯାକ ମୁଖ୍ୟ ଡ୍ରେନ୍ର ସଫେଇ ସହ ଆବଶ୍ୟକ ସ୍ଥଳେ ମରାମତି କରାଯାଇଛି । ସହର ଭିତରର ରାସ୍ତାକଡ଼ ଡ୍ରେନ୍ ସଫେଇ ଏବେ ଜୋର୍ସୋର୍ରେ ଚାଲିଛି । ବାକି କାମ ଖୁବ୍ଶୀଘ୍ର ସରିବ ବୋଲି ଇଂ ପ୍ରଦୀପ ଦୁରିଆ ସୂଚନା ଦେଇଛନ୍ତି ।
ବର୍ଷା ଜଳ ନିଷ୍କାସନ ପାଇଁ ୧୨ଟି ୫ଏଚ୍ପି କ୍ଷମତା ବିଶିଷ୍ଟ ପମ୍ପ, ୬ଟି ୧୦ ଏଚ୍ପି ପମ୍ପ ବିଏମ୍ସି ନିୟୋଜିତ କରିଥିବା ବେଳେ ପ୍ରବଳ ବର୍ଷାକୁ ଲକ୍ଷ୍ୟ ରଖି ଅଗ୍ନିଶମ ବିଭାଗ ୧୯ଟି ପମ୍ପ ନିୟୋଜିତ କରିବାକୁ ଯୋଜନା ହୋଇଛି ।
ଚିହ୍ନଟ ଜଳବନ୍ଦୀ ଅଞ୍ଚଳ-
ଶିଖରଚଣ୍ଡୀ (ତ୍ରିନାଥ ନଗର), ରୁଦ୍ରପୁର/ହସଂପାଳ (ଭୋଇସାହି), ଶାଶ୍ୱତ ବିହାର (ଆମ୍ରପଲ୍ଲୀ, ପଦ୍ମାବତୀ ବିହାର), ମହାବୀର ବସ୍ତି, ଜ୍ୟୋସ୍ନା ଆପାର୍ଟମେଣ୍ଟ ଓ ଘନଶ୍ୟାମ ଆପାର୍ଟମେଣ୍ଟ, ଶ୍ରୀରାମ ସିଟି, ଖଣ୍ଡଗିରି ବାରି, ଇସ୍କନ ମନ୍ଦିର, ନୂଆପଲ୍ଲୀ ବେହେରା ସାହି, ରାଧାକୃଷ୍ଣ ନଗର, ନୂଆପଲ୍ଲୀ ଭୋଇସାହି, କ୍ରିଷ୍ଣା ଟାୱାର ପଛପାଖ, ଜୟଦେବ ବିହାର ଲେନ୍-୩, ଝାରପଡ଼ା ଶାନ୍ତି ନଗର, ଗାୟତ୍ରୀ ନଗର, ଖାରବେଳ ନଗର ଲେପ୍ରୋସି କଲୋନୀ, ଲକ୍ଷ୍ମୀସାଗର (ମଳିଅନ୍ତା ଟ୍ୟାଙ୍କ ପାଖ), ପାଇକ ନଗର (ମୁଣ୍ଡା ସାହି), ଶତାଦ୍ଦୀ ନଗର, ଗଧିଆ ଖାଲ, ଗୌରୀ ନଗର, ଗୌରୀ ଗାର୍ଡେନ, ଗ୍ୟାରେଜ ଛକ, ସାରଦା ମଠ ଲେନ୍, ଭୀମଟାଙ୍ଗୀ ଲେନ୍-୭, ଜାଗମରା ମଲ୍ଲିକ କମ୍ପେ୍ଲକ୍ସ, ପଞ୍ଚଶାଖା ନଗର, ଜଗମୋହନ ନଗର (ଗ୍ରୀନପାର୍କ ଏରିଆ), ନରେନ୍ଦ୍ର ଗାର୍ଡେନ ଓ ସିଦେ୍ଧଶ୍ୱର ଗାର୍ଡେନ ।