ଭୁବନେଶ୍ୱର,୨୮/୧୦: ବିଏମ୍‌ସି କର୍ପୋରେସନ ବୈଠକ ପୂର୍ବରୁ ପୁଣି ଏକାଠି ହେଲେ ଇସି ଗ୍ରୁପ । ଏକାମ୍ର ଓ  ମଧ୍ୟ(ଇସି) କର୍ପୋରେଟରମାନେ ଏକାଠି  ହୋଇ ରଣନୀତି ପ୍ରସ୍ତୁତ କରିଥିବା ନେଇ  ଚର୍ଚ୍ଚା ହୋଇଛି । ବିଏମ୍‌ସିର ବିଭିନ୍ନ ପ୍ରସଙ୍ଗ ଉଠାଇ ଘେରିବାକୁ ଯୋଜନା ହୋଇଥିବା ନେଇ ବିଶ୍ୱସ୍ତସୂତ୍ରରୁ ସୂଚନା ମିଳିଛି ।  

ପ୍ରାପ୍ତ ସୂଚନା ଅନୁସାରେ ରବିବାର ଖଣ୍ଡଗିରି ଠାରେ ଥିବା ଏକ ହୋଟେଲରେ ଗୁପ୍ତ ବୈଠକ ବସିଥିଲା । ଏଥିରେ ପ୍ରାୟ ୨୯  ଜଣ କର୍ପୋରେଟର ସାମିଲ ହୋଇଥିଲେ ।  ବୈଠକରେ ଆସନ୍ତା ୩୦ରେ ହେବାକୁ ଥିବା କର୍ପୋରେସନ ବୈଠକ ବାବଦରେ ଆଲୋଚନା ହୋଇଥିଲା । ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନା  ମୁତାବକ ବିଭିନ୍ନ ପ୍ରସଙ୍ଗ ଉଠାଇ ଖୋଦ୍‌ ଶାସକ  ଦଳର ମେୟର ଓ କର୍ପୋରେଟରଙ୍କୁ ଅଡୁଆରେ  ପକାଇବାକୁ ରଣନୀତି ପ୍ରସ୍ତୁତ ହୋଇଥିବା  ଜଣାପଡ଼ିଛି ।

ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଗତ ଦୁଇ ମାସ ହେବ ଛକାପଞ୍ଝା  ଲାଗି ରହିଛି । ପୂର୍ବ କର୍ପୋରେସନ ବୈଠକରେ  ଏକାମ୍ର ଓ ମଧ୍ୟ କର୍ପୋରେଟରମାନେ ସାମିଲ  ନ ହୋଇ ପୁରୀ ଲୋକନାଥ ମନ୍ଦିର ବୁଲିବାକୁ  ଯାଇଥିଲେ । ଏବେ ପୁଣି ଥରେ ମେଳି  ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆସନ୍ତା କର୍ପୋରେସନ ବୈଠକରେ ଭୁବନେଶ୍ୱର ଜଳବନ୍ଦୀ ପ୍ରସଙ୍ଗ ଉଠିବ । ସେହିପରି ବର୍ତ୍ତମାନ ବିଏମ୍‌ସି ପାଖରେ ପାଣ୍ଠି ନଥିବାରୁ ଅନେକ ଗୁଡିଏ ବିକାଶ କାର୍ଯ୍ୟ  ଆଗେଇ ପାରୁନଥିବାରୁ ତାକୁ ନେଇ ବୈଠକରେ ଆଲୋଚନା ହେବାର ସମ୍ଭାବନା ରହିଛି ।