ବ୍ରହ୍ମପୁର, ୩୧/୩(ବ୍ୟୁରୋ): ଦେଶ ବଦଳୁଛି। ଯୁଗ ମାନୁଆଲ୍‌ରୁ ଡିଜିଟାଲ୍‌ ଆଡ଼କୁ ଗତି କରୁଛି। ସରକାରଙ୍କ ଆହ୍ୱାନରେ ଲୋକ ବି ଅଭ୍ୟାସ ବଦଳାଇଲେଣି। ଘରେ ବସି ଅନ୍‌ଲାଇନ୍‌ରେ ଅଭିଯୋଗ କରିବା, ପ୍ରାପ୍ତିସ୍ୱୀକାର ପତ୍ର ହାସଲ କରିବା, ଅଭିଯୋଗର ଷ୍ଟାଟସ୍‌ ଯାଞ୍ଚ୍‌ କରିବା, ବିଭାଗୀୟ ବିବରଣୀ ପାଇବା ଆଦି ସମସ୍ତ କାମ ଅନ୍‌ଲାଇନ୍‌ରେ ହୋଇପାରୁଛି। ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ଡିଜିଟାଲ୍‌ ସେବା ଓ ସୁବିଧାର ପହଞ୍ଚ ଅଧିକ। ସେଥିପାଇଁ ପ୍ରତ୍ୟେକ କାର୍ଯ୍ୟାଳୟ ନିଜ ନିଜର ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ପ୍ରସ୍ତୁତ କରିଛନ୍ତି। 

ବ୍ରହ୍ମପୁର ମହାନଗର ନିଗମ ନିଜର ନିର୍ବାଚିତ ପ୍ରତିନିଧି, ଅଧିକାରୀ, କର୍ମଚାରୀ ସମେତ ସହରରେ ମିଳୁଥିବା ସୁବିଧା ସମ୍ପର୍କରେ ଜଣାଇବାକୁ ୱେବ୍‌ସାଇଟ୍‌ ପ୍ରସ୍ତୁତ କରିଛି। ହେଲେ ଏହି ସ୍ୱତନ୍ତ୍ର ପେଜ୍‌ରେ ମେୟର୍‌, କମିଶନର୍‌ଙ୍କୁ ଛାଡ଼ିଦେଲେ ଅନ୍ୟ ଅଧିକାରୀ, କର୍ମଚାରୀ ଓ ଯନ୍ତ୍ରୀଙ୍କ ବିଷୟରେ ରହିଥିବା ସୂଚନାରେ ତାଳମେଳ ନଥିବା ଦେଖିବାକୁ ମିଳିଛି। ଅର୍ଥାତ ନିୟମିତ ବ୍ୟବଧାନରେ ୱେବ୍‌ସାଇଟ୍‌ରେ ସୂଚନା ଅପଡେଟ୍‌ କରାଯାଉନଥିବା ଅଭିଯୋଗ ହୋଇଛି। ଚକ୍ରବର୍ତ୍ତୀ ସିଂହ ରାଠୋର୍‌ ବିଏମ୍‌ସି କମିଶନର୍‌ ଥିବା ସମୟରେ ବ୍ରହ୍ମପୁର ମହାନଗର ନିଗମର ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ତିଆରି କରାଯାଇଥିଲା। ଭୁବନେଶ୍ୱରର ଏକ ଘରୋଇ ସଂସ୍ଥା ଏହାର ଡିଜାଇନ୍‌ କରିଛି। ଉକ୍ତ ସଂସ୍ଥା ହାତରେ ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ରହିଛି। ସେଥିପାଇଁ ବାର୍ଷିକ ଦେୟ ମଧ୍ୟ ଦିଆଯାଉଛି। 

ହେଲେ ୱେବ୍‌ସାଇଟ୍‌ରେ ଅପଡେଟ୍‌ ସୂଚନା ନାହିଁ। ବଦଳି ଅଧିକାରୀ ଓ ଯନ୍ତ୍ରୀଙ୍କ ନାମ ଓ ନମ୍ବର ଏବେ ବି ଗଡୁଛି। ୱେବ୍‌ସାଇଟ୍‌ ହୋମ୍‌ ପେଜ୍‌କୁ ଗଲେ ମେୟର ଓ କମିଶନର୍‌ଙ୍କ ଉଚିତ୍‌ ଫଟୋ ସହ ନାମ ରହିଛି। ଏହା ତଳକୁ ଥିବା ବିଭାଗ ସମ୍ପର୍କିତ ସୂଚନା ରହିଛି। ପ୍ରଥମେ ଇଞ୍ଜିନିୟରିଂ ବିଭାଗରେ କ୍ଲିକ୍‌ କଲେ ସିଟି ଇଞ୍ଜିନିୟର, ନିର୍ବାହୀ ଯନ୍ତ୍ରୀ, ସହକାରୀ ନିର୍ବାହର ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଆଦି ସବୁ ଭୁଲ୍‌ ସୂଚନା ରହିଛି। ନୂଆ ସିଟି ଇଞ୍ଜିନିୟର ବିଏମ୍‌ସିରେ ଯୋଗ ଦେଇଥିବା ବେଳେ ମନୋରଞ୍ଜନ ମାଳି ଏବେ ବି ସିଟି ଇଞ୍ଜିନିୟର୍‌ ଥିବା ଉଲ୍ଲେଖ ରହିଛି। ସେହିପରି ବସନ୍ତ ପାଢ଼ୀ ନିର୍ବାହୀ ଯନ୍ତ୍ରୀ ପଦରୁ ଅବସର ନେବାର ଦୁଇ ବର୍ଷ ହେଲାଣି। ମାତ୍ର ତାଙ୍କ ନାମ ଏବେବି ୱେବ୍‌ସାଇଟ୍‌ରେ ରହିଛି। ଅର୍ଥାତ ଦୁଇ ବର୍ଷ ହେବ ୱେବ୍‌ସାଇଟ୍‌ ଅପଡେଟ୍‌ ହୋଇନାହିଁ। 

ୱେବ୍‌ସାଇଟ୍‌ର ଟାଉନ୍‌ ସର୍ଭେ ବିଭାଗକୁ ଗଲେ ଆହୁରି ବ୍ୟତିକ୍ରମ ଦେଖିବାକୁ ମିଳିଛି। ବଦଳି ହୋଇସାରିଥିବା ଅଧିକାରୀ ଆଶୁତୋଷ ସାମଲ ଏହି ବିଭାଗର ଡେପୁଟି କମିଶନର୍‌, ତରୁଣକାନ୍ତ ଏନ୍‌ଫୋର୍ସମେଣ୍ଟ ଅଫିସର୍‌ ଓ କାମାକ୍ଷା ପ୍ରସାଦ ଖାଡ଼ଙ୍ଗା ଡିଲିଙ୍ଗ୍‌ ଆସିଷ୍ଟାଣ୍ଟ୍‌ ବୋଲି ବିଏମ୍‌ସି ୱେବ୍‌ସାଇଟ୍‌ ଦର୍ଶାଉଛି। କେବଳ ଏହି ଦୁଇଟି ନୁହେଁ, ବର୍ଷ ବର୍ଷ ଧରି ୱେବ୍‌ସାଇଟ୍‌ ଅପଡେଟ୍‌ ହୋଇନଥିବାରୁ ସ୍ୱାସ୍ଥ୍ୟ, ଆକାଉଣ୍ଟ, ରେକର୍ଡ, ୱେଲଫେୟାର୍‌, ଫି’ ସେକ୍ସନ୍‌, ପ୍ଲାନିଂ, ଏଷ୍ଟାବ୍ଲିସ୍‌ମେଣ୍ଟ ଆଦି ୧୦ଟି ବିଭାଗରେ ଭୁଲ୍‌ ସୂଚନା ପ୍ରଦର୍ଶିତ ହେଉଛି। ଡିଜିଟାଲ୍‌ ସେବା ଉପରେ ନିର୍ଭରଶୀଳ ସହରବାସୀ ବର୍ଷ ବର୍ଷ ଧରି ଅଣସଂଶୋଧିତ ସୂଚନା ଦେଖୁଛନ୍ତି। ଏ ବାବଦରେ ଅର୍ଥ ବ୍ୟୟ ହେଉଥିବାରୁ ନିୟମିତ ଅପଡେଟ୍‌ କରିବାକୁ ଦାବି କରାଯାଉଛି।