କଟକ, ୦୮/୦୫ : ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଥିବା ପରୀକ୍ଷାର୍ଥୀଙ୍କୁ ଓଡ଼ିଆ ଭାଷାରେ ଲେଖାଥିବା ସାର୍ଟିଫିକେଟ୍‌ ପ୍ରଦାନ କରିବା ପାଇଁ ଫଳ ପ୍ରକାଶନ ସମୟରେ ଘୋଷଣା ହୋଇଛି। କୃତୀ ପରୀକ୍ଷାର୍ଥଙ୍କୁ କିପରି ଓଡ଼ିଆରେ ତ୍ରୁଟିଶୂନ୍ୟ ସାର୍ଟିଫିକେଟ୍‌ ପ୍ରଦାନ କରିବେ ସେ ନେଇ ବୋର୍ଡ ପାଇଁ ଚିନ୍ତା ବଢ଼ିଛି । ସାଟିଫିକେଟ୍‌ ଯେପରି କୌଣସି ତ୍ରୁଟି ନ ରୁହେ ସେଥିଲାଗି ବର୍ଣ୍ଣ ଏବଂ ମାତ୍ରା ନିର୍ଭୁଲ୍‌ ରଖିବା ପାଇଁ ବୋର୍ଡ କର୍ତ୍ତୃପକ୍ଷ ଗୁରୁତ୍ୱ ଦେଇଛନ୍ତି । ମୂଳ ସାର୍ଟିଫିକେଟ୍‌ ଛପାଇବା ପୂର୍ବରୁ ପାସ୍‌ କରିଥିବା ପରୀକ୍ଷାର୍ଥୀମାନଙ୍କ ନାଁ, ମା, ବାପାଙ୍କ ନାଁ ଜନ୍ମ ତାରିଖ, ବ୍ଲକ୍‌ , ଜିଲ୍ଲା ଓ ବିଦ୍ୟାଳୟ ନାମ ସମେତ କେଉଁ ବିଷୟରେ କେତେ ନମ୍ବର ରଖିଛନ୍ତି ସେସବୁ ନିର୍ଭୁଲ୍‌ ଭାବେ କମ୍ପ୍ୟୁଟର ଉଇଣ୍ଡୋଜ୍‌ ୧୦ କିମ୍ବା ୧୧ରେ ଓଡ଼ିଆ ଫୋନେଟିକ୍‌ ହେଉ ଅବା ଇଣ୍ଡିକ୍‌ ଲାଙ୍ଗୁଏଜ୍‌ ସଫଟ୍‌ୱୟାରରେ ଓଡ଼ିଆରେ ଟାଇପ୍‌ କରି ବୋର୍ଡର ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବା ପାଇଁ ରାଜ୍ୟର ୯ ହଜାରରୁ ଅଧିକ ହାଇସ୍କୁଲ୍‌ ପ୍ରଧାନଶିକ୍ଷକଙ୍କୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ପାସ୍‌ କରିଥିବା ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ବାବଦରେ ଆସନ୍ତା ୨୫ ତାରିଖ ସୁଦ୍ଧା ବୋର୍ଡ ୱେବ୍‌ସାଇଟ୍‌ରେ ଅପଲୋଡ୍‌ କରିବା ଲାଗି ସମୟ ଧାର୍ଯ୍ୟ କରାଯାଇଛି । ଏଥିରେ ଅବହେଳା କଲେ ପ୍ରଧାନଶିକ୍ଷକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖବର ମିଳିଛି । ଉକ୍ତ କାର୍ଯ୍ୟକୁ ବ୍ୟବସ୍ଥିତ ଢଙ୍ଗରେ କରିବା ପାଇଁ ରାଜ୍ୟର ପ୍ରତି ବ୍ଲକ୍‌ ମୁଖ୍ୟାଳୟରେ ନୋଡାଲ୍‌ ସେଣ୍ଟର୍‌ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପକ୍ଷରେ ଦୁଇ ଦିନ ହେଲା କୃତୀ ପରୀକ୍ଷାର୍ଥୀମାନେ ବୋର୍ଡ ୱେବ୍‌ସାଇଟ୍‌ରୁ ଡିଜିଟାଲ୍‌ ସାର୍ଟଫିକେଟ୍‌ ପାଇଥିଲେ ହେଁ ଏଥିରେ ଛାତ୍ରୀଛାତ୍ରୀଙ୍କ ଓଡ଼ିଆରେ ନାଁ କିମ୍ବା ଅନ୍ୟ ତଥ୍ୟ ନାହିଁ । କମ୍ପ୍ୟୁଟରରେ ଭିନ୍ନ ସଫଟ୍‌ୱୟାର ରହୁଥିବାରୁ ସାର୍ଟିଫିକେଟ୍‌ ଅପଲୋଡ୍‌ ସମୟରେ ଓଡ଼ିଆରେ ଲେଖା ହୋଇଥିବା ଅକ୍ଷରରେ ଅସମାଞ୍ଜସ୍ୟ ରହିବାର ସମ୍ଭାବନା ରହିଛି । ତେଣୁ ଡିଜିଟାଲ୍‌ ସାର୍ଟିଫିକେଟ୍‌ରେ ପରୀକ୍ଷାର୍ଥୀଙ୍କ ନାଁ, ଠିକଣା ଏବଂ ବାପା, ମାଆଙ୍କ ନାଁ ଓଡ଼ିଆ ଭାଷାରେ ଉଲ୍ଲେଖ ହୋଇନାହିଁ ।

୨୦୨୬ରେ ମାଟ୍ରିକ୍‌ ପରୀକ୍ଷାରେ ପାସ୍‌ କରିଥିବା ୫ ଲକ୍ଷ ୧୯ ହଜାର ୨୫୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ଅନେକ ବୋର୍ଡ ୱେବ୍‌ସାଇଟ୍‌ରୁ ଅପଲୋଡ୍‌ କରି ଡିଜିଟାଲ୍‌ ସାର୍ଟିଫିକେଟ୍‌ ପାଇଥିବାର ସୂଚନା ମିଳିଛି । ମାତ୍ର ମୂଳ ସାର୍ଟିଫିକେଟ୍‌ ପାଇବାରେ ବିଳମ୍ବ ହେବ ବୋଲି ଜଣାଯାଇଛି । ବିଗତ ବର୍ଷରେ ଦୁଇ ମାସ ମଧ୍ୟରେ ଉକ୍ତ ସାର୍ଟିଫିକେଟ୍‌ ବିଦ୍ୟାଳୟ ସ୍ତରରେ ପିଲା ଯାଉଥିଲେ ହେଁ ଏଥର ଏହା ବିଳମ୍ବ ହେବ । ପାସ୍‌ କରିଥିବା ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ତଥ୍ୟ ବିଦ୍ୟାଳୟ କର୍ତ୍ତୃପକ୍ଷ ଓଡ଼ିଆରେ ନିର୍ଭୁଲ୍‌ ଭାବେ ଟାଇପ୍‌ କରି ବୋର୍ଡକୁ ଅନ୍‌ଲାଇନ୍‌ରେ ପଠାଇବାରେ ଯଦି କିଛି ତ୍ରୁଟି ହୁଏ ତାହାଲେ ସାର୍ଟିଫିକେଟ୍‌ ତ୍ରୁଟିପୂର୍ଣ୍ଣ ରହିବ । ତେଣୁ ବୋର୍ଡର ନିର୍ଦ୍ଦେଶ ମୁତାବକ ବିଦ୍ୟାଳୟ ସ୍ତରରେ କର୍ତ୍ତୃପକ୍ଷ କେତେ ଯତ୍ନବାନ ହୋଇ ନିର୍ଭୁଲ୍‌ ତଥ୍ୟ ଟାଇପ୍‌ କରି ପଠାଇବେ ତାହା ପରୀକ୍ଷାର୍ଥୀମାନେ ସାର୍ଟିଫିକେ୍‌ଟ ପାଇସାରିବା ପରେ ଜଣାପଡ଼ିବ ବୋଲି ଜଣେ ଶିକ୍ଷାଧିକାରୀ କହିଛନ୍ତି। 

ଏହି ଖବରଟିକୁ ପଢନ୍ତୁRatha khala Update : ଚକ ପାଇଁ ପହିକୁ ଅପେକ୍ଷା, ପନ୍ଦାରି ଚାବି ଓ ବଳା ତିଆରି ଚାଲିଛି