PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର : ୧୧୨୦ ବୋତଲ କଫ ସିରପ୍ ଜବତ, ୫ ଗିରଫ
  • ||
  • କେନ୍ଦୁଝର : ବାଘକୁ ଘେରିଲେଣି ଶିକାରୀ, ଅଟେଇ ଜଙ୍ଗଲରୁ ୯ ଶିକାରୀ ଗିରଫ
  • ||
  • ବୁର୍ଲା : ଉଚ୍ଚ ବେତନ ନିଯୁକ୍ତିରେ ପୁଣି ରେକର୍ଡ କଲା ଆଇଆଇଏମ୍‌ ସମ୍ୱଲପୁର, ଖୁବ୍‌ଶୀଘ୍ର ଆରମ୍ଭ ହେବ ଯୁଗ୍ମ ପାଠ୍ୟକ୍ରମ
  • ||
  • ବୌଦ୍ଧ : ଏସିଏଫଙ୍କ ଗାଡି ଉପରକୁ ଗୁଳିମାଡ଼, ୨ ବନ କର୍ମଚାରୀ ଆହତ
  • ||

ଅନ୍ତରୀଣ ବଜେଟ୍‌ ୨୦୧୯: କାହା ପାଇଁ କ’ଣ

ନୂଆଦିଲ୍ଲୀ,୨୮ା୧(ଏଜେନ୍ସି):ଆଉ ମାତ୍ର ଦିନ କେଇଟା ପରେ ଉପସ୍ଥାପନ ହେବ ଅନ୍ତରୀଣ ବଜେଟ୍‌ ୨୦୧୯ । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏହା କାମଚଳା ହେଲେ ବି ଗୁରୁତ୍ୱପୂର୍ଣ୍ଣ ହେବ । କାରଣ ଭୋଟ୍‌ ଆକୃଷ୍ଟ କରିବା ପାଇଁ ଏହା ନରେନ୍ଦ୍ର ମୋଦି ସରକାରଙ୍କ ନିମନ୍ତେ ବାଟ ଫିଟାଇବ । ଜଣାଶୁଣା ବ୍ରୋକରେଜ୍‌ ସଂସ୍ଥାଗୁଡିକ ଅନୁଯାୟୀ ଏହି ବଜେଟ୍‌ଟିକୁ ସରକାରୀ ଲୋକାଭିମୁଖୀ କରିପାରନ୍ତି । ଚାଷୀଙ୍କ ପାଇଁ ରିଲିଫ୍‌ ପ୍ୟାକେଜ୍‌ ସହ ଆହୁରି ଅନେକ କିଛି ଏଥିରେ ଘୋଷଣା ହୋଇପାରେ । ଏହି ବଜେଟ୍‌କୁ ନେଇ କେଉଁ ବ୍ରୋକରେଜ୍‌ ସଂସ୍ଥାର ଆକଳନ କ’ଣ ତାହା ଉପରେ ଏକ ନଜର…

ସିଏଲ୍‌ଏସ୍‌ଏ: ସମ୍ପ୍ରତି କୃଷି କ୍ଷେତ୍ରରେ ରହିଥିବା ଚାପ ଯୋଗୁ ନରେନ୍ଦ୍ର ମୋଦି ସରକାର ନିଶ୍ଚିତ ଭାବେ ଚାଷୀଙ୍କ ପାଇଁ କିଛି ବଡ ଘୋଷଣା କରିପାରନ୍ତି । ଚାଷୀମାନଙ୍କ ପାଇଁ ଆୟ ସହାୟତା ସ୍କିମ୍‌ ନେଇ ବିଚାର କରୁଛନ୍ତି ସରକାର । ଏହାକୁ ହୁଏତ ବଜେଟ୍‌ରେ କିମ୍ବା ଏହା ପୂର୍ବରୁ ଘୋଷଣା କରାଯାଇପାରେ । ତେଲେଙ୍ଗାନାରେ ଲାଗୁ ହୋଇଥିବା ଏକ ସ୍କିମ୍‌ର ଅନୁରୂପ ଯୋଜନା ଆଣିପାରନ୍ତି ନରେନ୍ଦ୍ର ମୋଦି ସରକାର । ତେବେ ଏଥିପାଇଁ ସରକାରଙ୍କ ରାଜକୋଷ ଉପରେ ୧.୨ ଲକ୍ଷ କୋଟି ଟଙ୍କାର ପ୍ରଭାବ ପଡିପାରେ । ବିଭିନ୍ନ ପ୍ରକାର ସ୍କିମ୍‌ କାର୍ଯ୍ୟକାରୀ କରିବା ଦ୍ୱାରା ଅର୍ଥନୀତି ଉପରେ ଦୀର୍ଘମିଆଦୀ ପ୍ରଭାବ ପଡିପାରେ । ଏହା ପରବର୍ତ୍ତୀ ସରକାରଙ୍କ ପାଇଁ ସମସ୍ୟା ଆଣିବ । ବିତ୍ତୀୟ ନିଅଣ୍ଟର ଚିତ୍ରକୁ ଏହା ଆହୁରି ବିକୃତ କରିପାରେ ।
ବ୍ୟାଙ୍କ ଅଫ୍‌ ଆମେରିକା ମେରିଲ୍‌ ଲିଞ୍ଚ୍‌: ୨୦୧୯-୨୦ ପାଇଁ ଆମେ ଜିଡିପିର ୩.୫% ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ଧାର୍ଯ୍ୟ କରିବା ଦରକାର । ୨୦୧୮-୧୯ରେ ଦେଶର ବିତ୍ତୀୟ ନିଅଣ୍ଟ ଜିଡିପିର ୩.୭% ରହିବ ବୋଲି ଆକଳନ କରାଯାଉଛି, ଯାହାକି ଧାର୍ଯ୍ୟ ଲକ୍ଷ୍ୟଠାରୁ ୪୦ ବେସିସ୍‌ ପଏଣ୍ଟ୍‌ ଅଧିକ । ତେଣୁ ଏଥର ବିତ୍ତୀୟ ନିଅଣ୍ଟକୁ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ରଖିବା ଉପରେ ପଦକ୍ଷେପ ନିଆଯିବା ଦରକାର । ଏହା ପ୍ରାକ୍‌-ନିର୍ବାଚନ ବଜେଟ୍‌ ଥିବାରୁ ପ୍ରତ୍ୟକ୍ଷ ଟିକସ ବ୍ୟବସ୍ଥାରେ କୌଣସି ପ୍ରକାର ପରିବର୍ତ୍ତନ ଅଣାଯାଇ ନ ପାରେ । ଭୋଟ୍‌ ଆକୃଷ୍ଟ କରିବା ପାଇଁ ଅର୍ଥମନ୍ତ୍ରୀ ଗ୍ରାମୀଣ ଭାରତକୁ ଅଗ୍ରାଧିକାର ଦେଇପାରନ୍ତି । ଚାଷୀଙ୍କୁ ସିଧାସଳଖ ଆୟ ହସ୍ତାନ୍ତର ଏବଂ କ୍ଷୁଦ୍ର ବ୍ୟବସାୟଗୁଡିକ ଫୋକସ୍‌ରେ ରହିପାରନ୍ତି ।
ନମୁରା: ସରକାର ଏହି ଅନ୍ତରୀଣ ବଜେଟ୍‌ ଜରିଆରେ ନିଜର ମଧ୍ୟବର୍ତ୍ତୀକାଳୀନ ଅର୍ଥନୈତିକ ପ୍ରାଥମିକତାକୁ ଚିହ୍ନଟ କରିବେ । ବିଶେଷ କରି ଚାଷୀ ତଥା ଗ୍ରାମୀଣ ଭାରତର ଆୟବୃଦ୍ଧିକୁ ଦୃଷ୍ଟିରେ ରଖି ପଦକ୍ଷେପ ଘୋଷଣା କରାଯାଇପାରେ । କୃଷି କ୍ଷେତ୍ର ସହିତ ଏମ୍‌ଏସ୍‌ଏମ୍‌ଇ ଏବଂ ମଧ୍ୟବିତ୍ତଙ୍କ ଉପରେ ଗୁରୁତ୍ୱ ଦିଆଯାଇପାରେ । କାମଚଳା ବଜେଟ୍‌ ହୋଇଥିବାରୁ ଟିକସ କ୍ଷେତ୍ରରେ ବଡ ଧରଣର ପରିବର୍ତ୍ତନ ଆସି ନ ପାରେ । ଯଦି ଟିକସରେ କୌଣସି ପରିବର୍ତ୍ତନ ହେବ ତାହା ଜୁନ୍‌ କିମ୍ବା ଜୁଲାଇରେ ହେବାକୁ ଥିବା ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଘୋଷଣା ହେବ ।
ଆମ୍ବିଟ୍‌ କ୍ୟାପିଟାଲ: ଯଦିଓ ୨୦୧୯-୨୦ ଆର୍ଥିକବର୍ଷରେ ବିତ୍ତୀୟ ନିଅଣ୍ଟ ଜିଡିପିର ୩.୫% ରହିବ, କାମଚଳା ବଜେଟ୍‌ରେ ଏହା ୩.୩% ରହିବ ବୋଲି ଆକଳନ କରାଯାଇପାରେ । ବଜେଟ୍‌ ପେଡିରେ ଚାଷୀ, ଏସ୍‌ଏମ୍‌ଇ, ମହିଳା ତଥା ଆୟକରଦାତାଙ୍କ ପାଇଁ କିଛି କିଛି ରହିପାରେ । ଏହି ବଜେଟ୍‌ରେ ପ୍ରଶଂସକ ସାଉଁଟିବେ ସରକାର । ବ୍ୟାଙ୍କ ପୁଞ୍ଜୀକରଣ ପାଇଁ ଅତିରିକ୍ତ ବ୍ୟୟବରାଦ ଘୋଷଣା କରାଯାଇ ନ ପାରେ । ନିବେଶକମାନେ ଆବଶ୍ୟକଠାରୁ ଅଧିକ ମୂଲ୍ୟ ବଢ଼ିଯାଇଥିବା ଷ୍ଟକ୍‌ ଯେପରି ଏଫ୍‌ଏମ୍‌ସିଜି ତଥା ଅଟୋ, ଏନ୍‌ବିଏଫ୍‌ସି ଶେୟାର୍‌ଗୁଡିକୁ ବିକ୍ରି କରିଦେବା ଦରକାର ।

ସମ୍ବନ୍ଧିତ ଖବର