ଧଉଳି ଶାନ୍ତିବନରେ ଲାଗିଲା ପବିତ୍ର ‘ବୋଧିବୃକ୍ଷ’

ଭୁବନେଶ୍ୱର,୨୪ ।୧(ବ୍ୟୁରୋ): ଐତିହାସିକ ଧଉଳି ପାହାଡ଼ ଶାନ୍ତିବନରେ ଆଜି ଆନୁଷ୍ଠାନିକ ଭାବେ ପବିତ୍ର ବୋଧିବୃକ୍ଷ ଆନୁଷ୍ଠାନିକ ଭାବେ ରୋପଣ କରାଯାଇଛି । ଶ୍ରୀଲଙ୍କା ଅନୁରାଧାପୁର ବୁଦ୍ଧ କ୍ଷେତ୍ରର ମୁଖ୍ୟ ଦନ୍ତୀ ଶ୍ରୀନିବାସ ନାୟକ ମହାଥେରୋ ମନ୍ତ୍ରୋଚ୍ଚାରଣ ପୂର୍ବକ ଏହି ପବିତ୍ର ବୋଧିବୃକ୍ଷର କଲମି ଚାରା ରୋପଣ କରିଛନ୍ତି । ଏହି ଉପଲକ୍ଷେ ଆଜି ପୂର୍ବାହ୍ନରେ ଧଉଳି ପାହାଡ଼ ପରିବେଶ ଉତ୍ସବ ମୁଖରିତ ହୋଇ ଉଠିଥିଲା । ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତଗଣ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେଇ ସମ୍ରାଟ ଅଶୋକଙ୍କ ସ୍ମୃତିବହନ କରୁଥିବା ଉକ୍ତ ଅପୂର୍ବ ବୃକ୍ଷକୁ ଦର୍ଶନ କରିଥିଲେ ।
ଓଡ଼ିଶା ବୁଦ୍ଧିଷ୍ଟ ହେରିଟେଜ୍ ଟ୍ରଷ୍ଟ ଅଫ୍ ଇଣ୍ଡିଆ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର କାର୍ଯ୍ୟସୂଚୀ ଅନୁଯାୟୀ ୨୧ ତାରିଖରେ ବିମାନରେ ଉକ୍ତ ବୃକ୍ଷକୁ ବୁଦ୍ଧ ସନ୍ୟାସୀଗଣ ଶ୍ରୀଲଙ୍କାରୁ ଭୁବନେଶ୍ୱର ଆଣିଥିଲେ । ସୂଚନା ମୁତାବକ ଅନୁରାଧାପୁରରେ ସମ୍ରାଟ ଅଶୋକଙ୍କ କନ୍ୟା ସଂଘମିତ୍ରା ଆଜକୁ ପ୍ରାୟ ୨୫୦୦ ବର୍ଷ ତଳେ ଏକ ଅଶ୍ୱତ୍ଥ ବୃକ୍ଷ ଚାରା ଲଗାଇଥିଲେ । ଆଜି ବି ଉକ୍ତ ବୃକ୍ଷ ଅନୁରାଧାପୁର ବୁଦ୍ଧ ମନ୍ଦିର ପରିସରରେ ରହିଛି । ଏହି ବୃକ୍ଷକୁ ପବିତ୍ର ମହାବୋଧି ବୃକ୍ଷ ଭାବେ ପୂଜା କରାଯାଉଛି । ଏହାର ଏକ ଅନ୍ୟତମ ନିଦର୍ଶନ ସ୍ୱରୂପ ପବିତ୍ର ବୋଧିବୃକ୍ଷର ଏକ କଲମି ଚାରା କରାଯାଇ ଧଉଳି ପାହାଡ଼ ଅଣାଯାଇ ରୋପଣ କରାଯାଇଛି । ଏହି ଅବସରରେ ଶାନ୍ତିବନ ନିକଟରେ ଅନୁଷ୍ଠିତ ଏକ ସଭାରେ ଟ୍ରଷ୍ଟର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ସଭାପତିତ୍ୱ କରିଥିଲେ । ଏଥିରେ ରାଜ୍ୟ ଅର୍ଥ, ଅବକାରୀ ଓ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସାଂସଦ ରଘୁନାଥ ମହାରଣା, ଆୟକର ଆୟୁକ୍ତ ଦେବେନ୍ଦ୍ର ନାରାୟଣ କର, ଶ୍ରୀନିବାସ ନାୟକ ମହାଥେରୋ, ଡ.ରେବତ ଥେରୋ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ ।