ବାଙ୍ଗିରିପୋଷି,୨୨/୧୨: ଗୋଲାମୁଣ୍ଡାକଟା ଗାଁ ପାଖ ଜଙ୍ଗଲରେ ଅଚେତ ଅବସ୍ଥାରେ ପଡ଼ିଛି ହାତୀ । ତେବେ ହାତୀଟି ଏକ ମାଈ ହାତୀ ହୋଇଥିବା ବେଳେ ଜୀବିତ କି ମୃତ ତାହା ସଠିକ୍ ଜଣା ପଡ଼ିନାହିଁ । ହାତୀର ବୟସ ପ୍ରାୟ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଗୋଲାମୁଣ୍ଡାକଟା ଗାଁ ପାଖ ଜଙ୍ଗଲରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବକ, ଗୋଲାମୁଣ୍ଡାକଟା ଅଞ୍ଚଳରେ ତିରିଶି ଟିକିଆ ହାତୀ ପୋଲ ରହିଥିଲେ । ରବିବାର ସକାଳୁ ମାଈ ହାତୀଟି ଅଚେତ୍ ଅବସ୍ଥାରେ ପଡ଼ିଥିବା ଦେଖି ଗ୍ରାମବାସୀମାନେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବାଙ୍ଗିରିପୋଷି ବନ ବିଭାଗର ରେଞ୍ଜର ଏସିଏଫ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହାତୀ ମୃତ୍ୟୁ ଖବର ପାଇ ବାରିପଦା ଡିଏଫଓ ଘଟଣା ସ୍ଥଳକୁ ଯାଇଛନ୍ତି । ଏକ ଡାକ୍ତରୀ ଦଳ ଆସି ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବା ପରେ ହାତୀଟି ଜୀବିତ ଅଛି କି ତାର ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ହେବ ବୋଲି ଡିଏଫଓ କହିଛନ୍ତି ।