PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେସିଙ୍ଗା : କେସିଙ୍ଗାରେ ବୃଦ୍ଧି ପାଇବାରେ ଲାଗିଛି ସଟ୍ଟା ଖେଳ ସହିତ ବେଆଇନ ମଦ ବିକ୍ରି, ୩ ଗିରଫ
  • ||
  • କଣ୍ଟାବାଞ୍ଜି : ରାଜ୍ୟ ବାହାରେ ଓଡ଼ିଆ ପରିବାରକୁ ନିର୍ମମ ହତ୍ୟା, ସ୍ଵାମୀ-ସ୍ତ୍ରୀ ସମେତ ଦୁଇ ଛୁଆ ମୃତ
  • ||
  • କଟକ : ବଢିବ ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧି, ମାସେ ସମୟସୀମା ବୃଦ୍ଧିକଲେ ସରକାର
  • ||

ଆଜି ଶ୍ରାବଣ ପ୍ରଥମ ସୋମବାର; ଫୁଲରେ ସଜାହେଲେ ଶ୍ରୀଲିଙ୍ଗରାଜ

ଭୁବନେଶ୍ୱର,୨୨/୦୭(ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ଭଳି ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର । ଟ୍ରକ୍‌ ଟ୍ରକ୍‌ ଫୁଲ ନ ହେଲେ ବି ମନ୍ଦିର ସମ୍ମୁଖ ମୁଖଶାଳା ଓ ମନ୍ଦିର ସମ୍ମୁଖ ଭାଗକୁ ବିଭିନ୍ନ ପ୍ରକାର ଫୁଲରେ ସଜାଯାଇଛି । ଏଥିପାଇଁ ରବିବାର ବିଳମ୍ବିତ ରାତି ଯାଏଁ ପାଖାପାଖି ୧୫ ଜଣ କାରୀଗର ଏହି କାମରେ ଲାଗିଥିଲେ । ଲିଙ୍ଗରାଜ ମନ୍ଦିର ପ୍ରଶାସନର ସୂଚନା ମୁତାବକ ଜଣେ ଭକ୍ତ ଏହି ଫୁଲ ସଜାର ଦାୟିତ୍ୱ ନେଇଛନ୍ତି । ଏଥିପାଇଁ କେତେ ଅର୍ଥ ଖର୍ଚ୍ଚ ହୋଇଛି ସେ ବାବଦରେ ଭକ୍ତ ଜଣକ କୌଣସି ତଥ୍ୟ ଦେବାକୁ ମନା କରିଛନ୍ତି ।

ରାତି ପାହିଲେ ଶ୍ରାବଣ ସୋମବାର । ଏଥିପାଇଁ ସବୁ ଶିବ ମନ୍ଦିର ଆଗରରେ କାଉଡ଼ିଆଙ୍କ ଲମ୍ବା ଲାଇନ୍‌ । କଟକର ଗଡ଼ଗଡ଼ିଆ ଘାଟ ଓ ଭୁବନେଶ୍ୱରର ଦୟା ନଦୀରୁୁ ପାଣି ଆଣି ଲିଙ୍ଗରାଜଙ୍କୁ ଜଳାଭିଷେକ କରିବା ପାଇଁ ରବିବାର ରାତି ତମାମ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଚଳିତ ସୋମବାର ଗ୍ରହଣ ସପ୍ତାହରେ ପଡ଼ୁଥିବାରୁ ଭକ୍ତଙ୍କ ସଂଖ୍ୟା ଟିକେ କମ୍‌ ରହିଛି । ଏସବୁୁ ସତ୍ତେ୍ୱ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।  ଅପରପକ୍ଷେ ମନ୍ଦିରକୁ ପରିଷ୍କାର ରଖିବା ଓ ଭକ୍ତଙ୍କୁ ସେବା ଯୋଗାଇ ଦେବା ପାଇଁ ସ୍ୱେଚ୍ଛାସେବୀମାନେ ଶ୍ରମ ଦାନ କରିବାକୁ ନିୟୋଜିତ ହୋଇଛନ୍ତି । ପ୍ରଦୀପ ସେବା ଟ୍ରଷ୍ଟ, ଆର୍ଟ ଅଫ୍‌ ଲିଭିଂ ଓ ମିସିଂ ଫାଉଣ୍ଡେସନ୍‌ର ସ୍ୱେଚ୍ଛାସେବୀମାନେ ଏହି କାମରେ ନିୟୋଜିତ ହେବେ ।

ରହଣି ପାଇଁ ସ୍ୱତନ୍ତ୍ର ସେଡ୍‌
କାଉଡିଆଙ୍କ ରହଣି ପାଇଁ ମନ୍ଦିର ସାମ୍ନା ପାର୍କିଂରେ ଏକ ସ୍ୱତନ୍ତ୍ର ସେଡ୍‌ ବନାଯାଇଛି । ଏଥିରେ ଏକାସାଙ୍ଗେ ଏକ ହଜାର କାଉଡିଆ ରହି ପାରିବେ । ସେଡ୍‌ରେ ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଚାମ୍ବର ତିଆରି ହୋଇଛି । ଏହାବ୍ୟତୀତ ବର୍ଷା ହେଲେ, କାଉଡିଆଙ୍କ ରହଣି ପାଇଁ ବିଏମ୍‌ ହାଇସ୍କୁଲର ରୁମ୍‌ଗୁଡିକ ଖୋଲା ରଖାଯାଇଛି । ସେଡ୍‌ ପରିସର ଓ ମନ୍ଦିର ସାମ୍ନାରେ ରାତ୍ର ବେଳା ୨ଟି ଆଶା ଲାଇଟ୍‌ ଲଗାଯାଇଛି ।

ସ୍ୱତନ୍ତ୍ର ରୀତିନୀତି ଶ୍ରାବଣ ସୋମବାର ମନ୍ଦିର ପ୍ରଶାସନ ବ୍ୟାପକ ବ୍ୟବସ୍ଥା କରିଛି । ଦୂର ଦୂରାନ୍ତରୁୁ ଆସିଥିବା ଭକ୍ତ କିପରି ଭଲଭାବେ ଦର୍ଶନ କରିପାରିବେ ସେଥିପାଇଁ ଭୋର ୩ଟାରେ ମନ୍ଦିର ଖୋଲାଯିବ । ୩ଟା ୩୦ରେ ମଙ୍ଗଳଆଳତୀ ପରେ ଭୋର ୪ଟାରୁ ଠାକୁରଙ୍କ ସାହାଣ ମେଲା ଦର୍ଶନ ହେବ । ଦିନ ୧୧ଟା ଯାଏଁ ଦର୍ଶନ ପରେ ଠାକୁରଙ୍କ ଅବଢ଼ା ଭୋଗ ଲାଗି ହେବ । ଅପରାହ୍ନ୪ଟା ଯାଏଁ ମନ୍ଦିର ବନ୍ଦ ରହିବ । ପୁଣି ୪ଟାରୁ ୫ଟା ୩୦ ଯାଏଁ ସାହାଣମେଲା ଦର୍ଶନ କରାଯିବ । ସନ୍ଧ୍ୟାରେ ଆଳତୀ ଦର୍ଶନ ପରେ ମନ୍ଦିର ପହଡ଼ ପଡିବ ।

ଜଗିବେ ୧୨ ସେକ୍ସନ ଫୋର୍ସ କାଉଡି଼ଆଙ୍କ ସୁରକ୍ଷା ଓ ସୁବ୍ୟବସ୍ଥିତ ପାଣି ଢ଼ାଳିବା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ମୁତୟନ ରହିବେ ୩୫ ପ୍ଲାଟୁନ୍‌ ଫୋର୍ସ । ୨ ଜଣ ଆଡିସିନାଲ୍‌ ଡିସିପି, ୬ ଜଣ ଏସିପି, ୧୦ ଜଣ ଇନ୍ସପେକ୍ଟର ର‌୍ୟାଙ୍କର ଅଧିକାରୀ ଏମାନଙ୍କୁ ତଦାରଖ କରିବେ । ଏହାବ୍ୟତୀତ ୫୨ଜଣ ଏଏସ୍‌ଆଇ, ଏସ୍‌ଆଇ ସମେତ ୨୭ ଜଣ ଓଆର ଓ ୬୪ ଜଣ ହୋମ୍‌ଗାର୍ଡ ଶ୍ରୀଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ଚାରିପାଖେ ନଜର ରଖିବେ । ମହିଳା କାଉଡିଆଙ୍କ ସୁରକ୍ଷା ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ୨୫ ଜଣ ମହିଳା କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଛି । ସେହିପରି କୌଣସି ଅଘଟଣ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ୨ଟି ଦମକଳ ଗାଡିର ବ୍ୟବସ୍ଥା ହୋଇଛି । ପାଣି ଉଠାଇବା ବେଳେ କାଉଡିଆଙ୍କ ପାଇଁ ବିନ୍ଦୁସାଗରଠାରେ ଗୋଟିଏ ଓଡ୍ରାଫ୍‌ ଟିମ୍‌ ମୁତୟନ ରହିବ । ମନ୍ଦିର ମୁଖ୍ୟ ଫାଟକ ସାମ୍ନାରେ ଦୁଇ ପାଶ୍ୱର୍କୁ ଲାଗି ବାଉଁଶ ବ୍ୟାରିକେଡ ତିଆରି ହୋଇଛି । ବ୍ୟାରିକେଡରେ କାଉଡି଼ଆମାନେ ଧାଡି଼ ବାନ୍ଧି ଶୃଙ୍ଖଳିତ ଭାବେ ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ବ୍ୟବସ୍ଥା କରାଯାଇଛି ।