ଆରଟିଓ ଅଫିସ ଛକରେ ହିଟ୍ ଆଣ୍ଡ ରନ୍ ଘଟଣା: ଜାଣିଶୁଣି ଧକ୍କା ଦେଇଥିଲା ମିନିଟ୍ରକ୍, ପ୍ରି-ପ୍ଲାନ୍ ମର୍ଡର ଷଡଯନ୍ତ୍ର ରଚିଥିଲା ଚିତ୍ତରଞ୍ଜନ

ବଲାଙ୍ଗିର,୨୩/୦୫: ଶନିବାର ଆରଟିଓ ଅଫିସ ଛକରେ ହୋଇଥିବା ହିଟ୍ ଆଣ୍ଡ ରନ୍ ଘଟଣାକୁ ନେଇ ‘ପ୍ରମେୟ’ ଯାହା ଆଶଙ୍କା କରିଥିଲା, ତାହା ସତ ହୋଇଛି । ଏହା ଏକ ସୁଚିନ୍ତିତ ହତ୍ୟା ଉଦ୍ୟମ ମାମଲା ଅଟେ । ଯାହାକୁ ଦୁର୍ଘଟଣା ଛଳରେ ହିଁ କାର୍ଯ୍ୟକାରୀ କରାଯାଇଥାନ୍ତା । ଦୁର୍ଘଟଣା ସମୟର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଏହା ସ୍ପଷ୍ଟ ହୋଇଛି । ଦୁର୍ଘଟଣା ଘଟାଇଥିବା ମିନିଟ୍ରକଟି ଜାଣିଶୁଣି ଦ୍ରୁତଗତିରେ ଟିଟିଲାଗଡ ପଟରୁ ଆସି ସାମ୍ନାରେ ଆସୁଥିବା ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ସୋନୁ ନାଏକ ଆହତ ହେବା ସହ ବିକ୍ରମ ବାଗଙ୍କ ମୃତ୍ୟୁ ହୋଇଥିଲା । ତେଣୁ ପ୍ରମାଣ ହସ୍ତଗତ ହେବା ପରେ ଦୁର୍ଘଟଣାରୁ ହତ୍ୟା ଏବଂ ଅପରାଧିକ ଘଡ଼ଯନ୍ତ୍ର ମାମଲା ରୁଜୁ ହୋଇଛି । ଏନେଇ ବଲାଙ୍ଗୀର ଏସ୍ପି ନୀତିନ୍ କୁଶଳକର ସୂଚନା ଦେଇଛନ୍ତି।

ଅପରପକ୍ଷେ, ଆହତ ଚିତ୍ତରଞ୍ଜନ ମହାନ୍ତି ଚିକିତ୍ସା ଆଳରେ ରାଜ୍ୟବାହାରକୁ ଚାଲିଯାଉଥିବା ବେଳେ ଥିରୁବାଲି ଫାଣ୍ଡି ଖେଦାପଡା ଛକରୁ ପୁଲିସ କାବୁ କରି ବଲାଙ୍ଗିର ଆଣିଛି । ତେବେ ଚିତ୍ତ ମହାନ୍ତିଙ୍କ ସମେତ ଆହୁରି ଦୁଇଜଣକୁ ପୁଲିସ ପଚରାଉଚୁରା କରୁଛି ।
ସୂଚନାଅନୁସାରେ, ଶନିବାର ଦୁର୍ଘଟଣା ପରେ ଆରଟିଓ ଅଫିସ ଛକରେ ଲାଗିଥିବା ସିସି କ୍ୟାମେରାରୁ ପୁଲିସ ଫୁଟେଜ ଯାଞ୍ଚ କରିଥିଲା । ଯେଉଁଥିରେ ଗାଡିଟି ବଲାଙ୍ଗିର ପଟକୁ ଦ୍ରୁତଗତିରେ ଆସୁଥିବା ଦେଖାଯାଉଛି । ଠିକ ଆରଟିଓ ଅଫିସ ଛକ ପୂର୍ବରୁ ମିନିଟ୍ରକ୍ଟି ବାଇକ ଆରୋହୀ ସୋନୁ ଏବଂ ବିକ୍ରମକୁ ଧକ୍କା ଦେଇ ଗଛରେ ପିଟି ହେବା ସହ ଫେରାର ଉଦ୍ୟମ କରୁଥିବା ବେଳେ ସାମ୍ନାରୁ ଆସୁଥିବା ଅନ୍ୟ ଏକ ଟ୍ରକ ସହ ଧକ୍କା ହୋଇଥିଲା । ତା’ଆଗରୁ ମିନିଟ୍ରକ ଧକ୍କାରେ ଛିଟିକି ପଡିଥିବା ବିକ୍ରମର ଘଟଣାସ୍ଥଳରେ ମୃତ୍ୟୁ ହେବା ସହ ସୋନୁ ଗୁରୁତର ହୋଇପଡିଥିଲା । କେବଳ ଏତିକି ନୁହେଁ ଦୁର୍ଘଟଣା ସମୟର ଆଉ କେତେକ ଭାଇରାଲ ଭିଡିଓରେ ମିନିଟ୍ରକ ନିଜେ ଚିତ୍ତରଞ୍ଜନ ମହାନ୍ତି ଚଳାଇବା ସହ ଆହତ ହୋଇଥିବା ଦେଖିବାକୁ ମିଳିଛି । ତେଣୁ ଲିଖିତ ଅଭିଯୋଗ ଏବଂ ସିସି ଟିଭି ଫୁଟେଜ ପ୍ରମାଣ ଆଧାରରେ ପୁଲିସ ମାମଲା ରୂପାନ୍ତର କରିଛି । ଦୁର୍ଘଟଣାରୁ ଏହାକୁ ହତ୍ୟା ଏବଂ ଷଡ଼ଯନ୍ତ୍ର ଧାରା ଲଗାଯାଇଛି । ଅପରପକ୍ଷେ, ଚିତ୍ତ ମହାନ୍ତିଙ୍କ ଗୋଡ ଭାଙ୍ଗିଥିବାରୁ ସେଥିରେ ପ୍ଲେଟ ଲାଗିବ ।
ସେଥିପାଇଁ ଶନିବାର ଅପରାହ୍ନରେ ଚିତ୍ତ ନିଜ ବ୍ୟକ୍ତିଗତ କାରରେ ବିଶାଖାପଟନମ ଯାଉଥିଲେ । ହେଲେ ଅଧାବାଟରୁ ତାଙ୍କୁ ପୁଲିସ କାବୁ କରି ବଲାଙ୍ଗିର ଫେରାଇ ଆଣିଛି । କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଥମେ ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲର ସର୍ଜରୀ ୱାର୍ଡରେ ଏବଂ ପରେ ସୁଦପଡା ସ୍ଥିତ ଏକ ଘରୋଇ ନର୍ସିଂହୋମରେ ତାଙ୍କୁ ଭର୍ତ୍ତି କରାଯାଇଛି । ଏସମ୍ପର୍କରେ ସଦର ଏସଡ଼ିପିଓ ତୁଫାନ ବାଗଙ୍କୁ ପଚାରିବାରୁ ଏହି ମାମଲାରେ ପୁଲିସ ଚିତ୍ତ ମହାନ୍ତିଙ୍କୁ ନିଜ ହେପାଜତରେ ରଖିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ଦୁର୍ଘଟଣାଗ୍ରସ୍ତ ଗାଡିଗୁଡିକୁ ଜବତ କରି ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ପ୍ରମାଣ ସଂଗ୍ରହ ଚାଲିଛି, ସମ୍ପୂର୍ଣ୍ଣ ହେଲା ପରେ ଏହି ମାମଲାରେ ୩୦୨, ୩୦୭ ଏବଂ ୧୨୦(ବି) ଧାରା ମଧ୍ୟ ଲାଗିବ ବୋଲି ସେ କହିଥିଲେ ।