ମୁମ୍ବାଇ, ୧୨/୨ : ଚେକ୍ ବାଉନ୍ସ ମାମଲାରେ ଜେଲରେ ଅଛନ୍ତି ବଲିଉଡର ଜଣାଶୁଣା କମେଡିଆନ ରାଜପଲ ଯାଦବ । ୫ କୋଟି ଟଙ୍କାର ଚେକ୍ ବାଉନ୍ସ ମାମଲାରେ ଫସିଥିବା ରାଜପଲ ଯାଦବ ଜେଲରେ ରହିଛନ୍ତି । ଆର୍ଥିକ ସଙ୍କଟ ପାଇଁ ଚର୍ଚ୍ଚାରେ ମଧ୍ୟ ରହିଛନ୍ତି । ସେ ୨୦୧୦ ମସିହାରେ ଏକ ଫିଲ୍ମ ପାଇଁ ୫ କୋଟି ଆଣିଥିଲେ । ପରେ ୯ କୋଟି ଦେବାକୁ କହିଥିଲେ । ମାତ୍ର ଫିଲ୍ମ ଫ୍ଲପ୍ ହେବା ପରେ ଟଙ୍କା ପରିଶୋଧ କରିପାରିନଥିଲେ । ଋଣରେ ବୁଡ଼ିଥିବା କାହାଣୀକୁ ଅନେକ ବିଶ୍ବସ କରନ୍ତି ନାହିଁ । ମାତ୍ର ରାଜପଲଙ୍କ ପୂର୍ବରୁ ମଧ୍ୟ ଅନେକ କଳାକାର ଏଭଳି ଋଣ ଭାରରେ ପଡ଼ିଥିଲେ । ଯେଉଁଥିରେ ଅମିତାଭ ବଚ୍ଚନ ଏବଂ ମିଥୁନ ଚକ୍ରବର୍ତ୍ତୀଙ୍କ ଭଳି କଳାକାର ମଧ୍ୟ ରହିଛନ୍ତି ।
ଅମିତାଭ ବଚ୍ଚନ : ୭୦ ଏବଂ ୮୦ ଦଶକରେ ବଲିଉଡରେ ରାଜ କରୁଥିଲେ । ତାଙ୍କ ଅଭିନୟର ଯାଦୁରେ ଦର୍ଶକ ମତୁଆଲା ହୋଇଥାନ୍ତି । ଏକଦା ତାଙ୍କ ଏଣ୍ଟରଟେନମେଣ୍ଟ କମ୍ପାନୀ ବହୁ କ୍ଷତି ସହିଥିଲା । ଯେଉଁ କାରଣରୁ ସେ ୯୦ କୋଟି ଟଙ୍କାର ଋଣ ମଧ୍ୟ କରିଥିଲେ । କେବଳ ଏତିକି ନୁହେଁ ୫୫ କୋଟି ଟଙ୍କାର ଆଇନଗତ ମାମଲା ମଧ୍ୟ ରହିଥିଲା । ଅନେକ ଫିଲ୍ମ ମଧ୍ୟ ଫ୍ଲପ୍ ହୋଇଥିଲା । ପରେ ଏକ ଟିଭି ଶୋ’ ଆରମ୍ଭ କରିଥିଲେ । ଧିରେ ଧିରେ ଋଣ ପରିଶୋଧ କରିବା ସହ ଏବେ ୧୬୦୦ କୋଟି ଟଙ୍କାର ମାଲିକ ଅଟନ୍ତି ବିଗ୍ ବି’ ।
ରାଜ୍ କପୁର : ବଲିଉଡର ଶେମ୍ୟାନ ଭାବେ ଜଣାଶୁଣା ରାଜ୍ କପୁର ମଧ୍ୟ ଚଳଚିତ୍ର ନିର୍ମାଣ କରି କ୍ଷତି ସହିଥିଲେ । ଏକ ବଡ଼ ବିଫଳତା ରାଜ କପୁରଙ୍କୁ ଦେବାଳିଆ କରି ଦେଇଥିଲା । ପରେ ‘ବବି’ ଫିଲ୍ମ ତାଙ୍କୁ ଏହି ସଙ୍କଟରୁ ମୁକୁଳାଇଥିଲା ।
ଜ୍ୟାକି ଶ୍ରଫ୍ : ୨୦୦୩ ମସିହାରେ ‘ବୁମ୍’ ଫିଲ୍ମରେ ଟଙ୍କା ନିବେଶ କରିଥିଲେ ଜ୍ୟାକି । ଯାହାକି ଫ୍ଲପ୍ ହୋଇଥିଲା । ଏତେ ଋଣ ହୋଇଥିଲା କି, ସେ ନିଜର ଘର ମଧ୍ୟ ବିକି ଦେଇଥିଲେ । ପରେ ହାର ନମାନି ଆଗକୁ ବଢ଼ିଥିଲେ ଆଉ ଏବେ ବିଳାସପୂର୍ଣ୍ଣ ଜୀବନଯାପନ କରୁଛନ୍ତି ।
ଗୋବିନ୍ଦା : ଅନେକ ହିଟ୍ ଫିଲ୍ମ ଦର୍ଶକଙ୍କୁ ଉପହାର ଦେଇଥିବା ଗୋବିନ୍ଦା ହିରୋ ନମ୍ବର ଓ୍ବାନ୍ ଭାବେ ଜଣାଶୁଣା । କିନ୍ତୁ ସେ ମଧ୍ୟ ଆର୍ଥିକ ସଙ୍କଟରେ ପଡ଼ିଥିଲେ । ପରେ ସଲମାନ ଖାନ ତାଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ‘ପାର୍ଟନର’ ଫିଲ୍ମରେ ନଜର ଆସିଥିବାବେଳେ ଏହି ଫିଲ୍ମ ହିଟ୍ ହୋଇଥିଲା ।
କମଲ୍ ହାସନ୍ : ଭାରତୀୟ ସିନେମା ଜଗତରେ ବେଶ ଜଣାଶୁଣା କମଲ ହାସନ ଏକ ଫିଲ୍ମ ପାଇଁ ନିଜର ସମସ୍ତ ସମ୍ପତ୍ତିକୁ ବନ୍ଧକ ରଖିଥିଲେ । ଫିଲ୍ମଟି ଅସ୍ଥାୟୀ ଭାବେ ନିଷିଦ୍ଧ ହୋଇଥିଲା । ଯାହାଦ୍ବାରା ସେ ବହୁ କ୍ଷତି ସହିଥିଲେ । ପରେ ଫିଲ୍ମଟି ରିଲିଜ୍ ହେବା ପରେ ଏଥିରୁ ମୁକୁଳିଥିଲେ । ପରେ ୨୦୨୨ ମସିହାରେ ବିକ୍ରମ ଫିଲ୍ମ ହିଟ୍ ହେବା ପରେ ସେ କହିଥିଲେ କି, ଋଣ ପରିଶୋଧ ହେଲା ।
ମିଥୁନ ଚକ୍ରବର୍ତ୍ତୀ : ମେଗାଷ୍ଟାର ମିଥୁନ ଚକ୍ରବର୍ତ୍ତୀ ଫିଲ୍ମ ସହ ଜଣେ ସଫଳ ବ୍ୟବସାୟୀ ଭାବେ ଜଣାଶୁଣା । ଉଟିରେ ଥିବା ଏକ ହୋଟେଲରେ ବହୁ କ୍ଷତି ସହିଥିଲେ । ଏହାସହ ସେ ସମୟରେ ଫିଲ୍ମ କ୍ୟାରିୟର ମଧ୍ୟ ମନ୍ଥର ରହିଥିଲା । ଯାହା ଫଳରେ ଆର୍ଥିକ ସଙ୍କଟରେ ଗତି କରିଥିଲେ । ପରେ ସେ ଧିରେ ଧିରେ ଶୋ’ କରି ଏଥିରୁ ମୁକୁଳିଥିଲେ ।
ଏହାସହ ପଢ଼ନ୍ତୁ : ନାମିବିୟାକୁ ୯୩ ରନରେ ହରାଇଲା ଭାରତ, ପାଣ୍ଡ୍ୟା ମ୍ୟାନ୍ ଅଫ୍ ଦ ମ୍ୟାଚ୍