PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିର ଆଗରେ ଲାଗିଲା ତିନି ରଥ
  • ||
  • ଜଳେଶ୍ବର : ରଥଟଣାବେଳେ ଲାଗିଲା ବିଦ୍ୟୁତ ତାର, ଜଣେ ମୃତ ଓ ୭ ଗୁରୁତର
  • ||
  • ସମ୍ବଲପୁର : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ
  • ||
  • ଭୁବନେଶ୍ଵର : ନିଅଣ୍ଟିଆ ଜୁନ, ଆସୁଛି ଦୁଇଟି ଲଘୁଚାପ, ୪ରୁ ବଢ଼ିବ ବର୍ଷା
  • ||
  • ପୁରୀ : ସୁଦର୍ଶନଙ୍କ ବାଲୁକାକଳା ରେକର୍ଡ, ପୁରୀ ବେଳାଭୂମିରେ ତିଆରି କଲେ ୧୨୫ ବାଲି ରଥ
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ରୁତ ଗତିରେ ବଢ଼ିଲା କରୋନା, ୨୦୦ ଟପିଲା ଦୈନିକ ସଂକ୍ରମଣ
  • ||
  • ଭୁବନେଶ୍ଵର : ଅଧାରେ ରହିଗଲା ପୁରୀ ଯାତ୍ରା, ରଥଯାତ୍ରାରେ ଆରପାରିକୁ ଚାଲିଗଲେ ବରିଷ୍ଠ ଫଟୋଗ୍ରାଫର ଅଶୋକ ପଣ୍ଡା
  • ||
  • ଭୁବନେଶ୍ଵର : ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ
  • ||

ସବୁ ଚାଷୀଙ୍କୁ ପିଏମ୍‌ କିଷାନ

ନୂଆଦିଲ୍ଲୀ,୩୧ା୫(ଏଜେନ୍ସି): ମୋଦି ୨.୦ କ୍ୟାବିନେଟ୍‌ ଆଜି ଚାଷୀ, କ୍ଷୁଦ୍ର ବେପାରୀ ଓ ଶ୍ରମିକଙ୍କ ପାଇଁ ଭଣ୍ଡାର ଖୋଲିଦେଇଛି । ସମସ୍ତଙ୍କ ପାଇଁ ସର୍ବନିମ୍ନ ଆୟ ଏବଂ ପେନ୍‌ସନ ସୁବିଧା ଘୋଷଣା ହୋଇଛି । ଏଣିକି ଦେଶର ସମସ୍ତ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ସ୍କିମ୍‌ (ପିଏମ୍‌ କିଷାନ ସ୍କିମ୍‌)ର ଫାଇଦା ପାଇବେ । ସେମାନଙ୍କୁ ବର୍ଷକୁ ୩ଟି କିସ୍ତିରେ ୬,୦୦୦ ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ । ୨ ହେକ୍ଟରରୁ କମ୍‌ ଜମି ଥିବା ଚାଷୀ ନୁହେଁ, ବରଂ ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ମଧ୍ୟ ଏହାର ଫାଇଦା ପାଇବେ । ମୋଦି ସରକାର ନିଜ ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାକୁ ଯାଇ ଶୁକ୍ରବାର ଏଭଳି ନିଷ୍ପତ୍ତି ନେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ପ୍ରଥମ କ୍ୟାବିନେଟ୍‌ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଛୋଟ ବେପାରୀଙ୍କ ପାଇଁ ପେନ୍‌ସନ ସୁବିଧା ନେଇ ମଧ୍ୟ ନିଷ୍ପତ୍ତି ହୋଇଛି । ସେମାନଙ୍କୁ ମାସକୁ ୩,୦୦୦ ଟଙ୍କାର ପେନ୍‌ସନ ଯୋଗାଇ ଦିଆଯିବ । କେନ୍ଦ୍ର କ୍ୟାବିନେଟ୍‌ର ଏହି ନିଷ୍ପତ୍ତି ଦ୍ୱାରା ଦେଶର ପାଖାପାଖି ୩ କୋଟି ଖୁଚୁରା ବେପାରୀ ଓ ଦୋକାନୀ ଉପକୃତ ହେବେ । ୬୦ ବର୍ଷ ପୂରଣ ପରେ ମାସିକ ୩,୦୦୦ ଟଙ୍କା ଯୋଗାଇ ଦିଆଯିବ ।

ପେନ୍‌ସନ ସ୍କିମ୍‌ ଯୋଜନାରେ ଚାଷୀମାନେ ମଧ୍ୟ ଉପକୃତ ହେବେ । ସେମାନେ ଏକ ନିର୍ଦ୍ଦିଷ୍ଟ ପରିମାଣର ଅର୍ଥ ଦେଇ ଏହି ସ୍କିମ୍‌ରେ ସାମିଲ ହୋଇପାରିବେ । ତେବେ ଏହି ସ୍କିମ୍‌ ଇଚ୍ଛାଧୀନ ରହିଛି । ୧୮ରୁ ୪୦ ବର୍ଷ ପର୍ଯ୍ୟନ୍ତ ସେମାନେ ଏକ ନିର୍ଦ୍ଦିଷ୍ଟ ତଥା ସ୍ୱଳ୍ପ ପରିମାଣର ଯୋଗଦାନ ଦେଇ ସ୍କିମ୍‌ର ଫାଇଦା ଉଠାଇପାରିବେ ।
ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ୫୭ ମନ୍ତ୍ରୀ ଶପଥ ନେବା ପରେ ଆଜି ପ୍ରଥମ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବୈଠକର ନିଷ୍ପତ୍ତି ସ୍ୱରୂପ ‘ପିଏମ୍‌ କିଷାନ ସ୍କିମ୍‌’ ପରିସରକୁ ବିସ୍ତାର କରାଯାଇଛି । ଏଣିକି ଦେଶର ସମସ୍ତ ପ୍ରାୟ ୧୪.୫ କୋଟି ଚାଷୀ କିଷାନ ସ୍କିମ୍‌ରେ ବର୍ଷକୁ ୬,୦୦୦ ଟଙ୍କା ଲେଖାଏଁ ପାଇବେ । ପୂର୍ବ ନିର୍ଦ୍ଧାରିତ ମାନଦଣ୍ଡ ଯୋଗୁ ଦେଶର ପ୍ରାୟ ୨.୫୦ କୋଟି ଚାଷୀ ଏଥିରୁ ବାଦ୍‌ ପଡ଼ିଥିଲେ । ଏବେ ସେମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଏହି ସ୍କିମ୍‌ରେ ବାର୍ଷିକ ୭୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା । ଏବେ ଏହା ୮୭,୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଏତଦ୍‌ବ୍ୟତୀତ କ୍ୟାବିନେଟ୍‌ ବୈଠକରେ ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନ ପ୍ରଧାନମନ୍ତ୍ରୀ ମେଧାବୃତ୍ତି ସ୍କିମ୍‌ ସଂଶୋଧନ ବାବଦରେ ମଧ୍ୟ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ମୁତାବକ ସହିଦଙ୍କ ପୁଅମାନଙ୍କ ମେଧାବୃତ୍ତି ୫୦୦ ଟଙ୍କା ଓ ଝିଅମାନଙ୍କ ମେଧାବୃତ୍ତି ୭୫୦ ଟଙ୍କା ବଢ଼ିଛି । ଫଳରେ ସହିଦଙ୍କ ପୁଅ ଏବେ ମାସିକ ୨,୦୦୦ ଟଙ୍କା ପରିବର୍ତ୍ତେ ୨,୫୦୦ ଟଙ୍କା ଓ ଝିଅ ୨,୨୫୦ ଟଙ୍କା ବଦଳରେ ୩,୦୦୦ ଟଙ୍କା ପାଇବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ମେଧାବୃତ୍ତି ସ୍କିମ୍‌ରେ ସଂଶୋଧନ ଅଣାଯାଇଛି ।

ଖାଲି ସେତିକି ନୁହେଁ, ମୋଦି କ୍ୟାବିନେଟ୍‌ ୨.୦ ମେଧାବୃତ୍ତି ସ୍କିମ୍‌କୁ ସମ୍ପ୍ରସାରଣ କରିଛି । ସ୍କିମ୍‌ରେ ରାଜ୍ୟ ପୁଲିସକୁ ସାମିଲ କରାଯାଇଛି । ଫଳରେ ଆତଙ୍କବାଦୀ ଅଥବା ମାଓବାଦୀ ଆକ୍ରମଣରେ ସହିଦ ହେଉଥିବା ରାଜ୍ୟ ପୁଲିସର ଯବାନ/ଅଧିକାରୀଙ୍କ ସନ୍ତାନମାନଙ୍କୁ ଏବେ ମେଧାବୃତ୍ତି ପ୍ରଦାନ କରାଯିବ । ବର୍ଷକୁ ରାଜ୍ୟ ପୁଲିସ କର୍ମୀଙ୍କ ୫୦୦ ପିଲାଙ୍କ ପାଇଁ ମେଧାବୃତ୍ତି କୋଟା ମିଳିବ ।

କ୍ୟାବିନେଟ୍‌ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି କହିଛନ୍ତି, ଦେଶକୁ ରକ୍ଷା କରୁଥିବା ଯବାନଙ୍କ ଉଦ୍ଦେଶ୍ୟରେ ଆମ ସରକାରର ପ୍ରଥମ ନିଷ୍ପତ୍ତି ସମର୍ପଣ କରାଯାଇଛି । ଜାତୀୟ ପ୍ରତିରକ୍ଷା ପାଣ୍ଠି ଅଧୀନ ପ୍ରଧାନମନ୍ତ୍ରୀ ମେଧାବୃତ୍ତି ସ୍କିମ୍‌ରେ ବଡ଼ ସଂଶୋଧନକୁ କ୍ୟାବିନେଟ୍‌ ମଞ୍ଜୁରି ଦେଇଛି । ଏଣିକି ଆତଙ୍କବାଦୀ ଓ ମାଓବାଦୀଙ୍କ ଆକ୍ରମଣରେ ସହିଦ ହେଉଥିବା ପୁଲିସଙ୍କ ପିଲାମାନଙ୍କୁ ମଧ୍ୟ ମେଧାବୃତ୍ତି ଯୋଗାଇ ଦିଆଯିବ ।
ମୋଦିଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଏହି ପ୍ରଥମ କ୍ୟାବିନେଟ୍‌ ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ, ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଅରବିନ୍ଦ ଗଣପତ ସାୱନ୍ତ ଏବଂ ପଶୁ ସମ୍ପଦ, ମତ୍ସ୍ୟ ଓ ଗୋପାଳନ ମନ୍ତ୍ରୀ ଗିରିରାଜ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ କିଷାନ ସ୍କିମ୍‌ରେ ଭୂମିହୀନ ଓ ୨ ହେକ୍ଟର ପର୍ଯ୍ୟନ୍ତ ଜମି ଥିବା ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ୬,୦୦୦ ଟଙ୍କା ଦେବା ପାଇଁ ନିଷ୍ପତ୍ତି ହୋଇଥିଲା । କିନ୍ତୁ ଆଜିର ନିଷ୍ପତ୍ତି ପରେ ସମସ୍ତ ଚାଷୀ ଏହାଦ୍ୱାରା ଉପକୃତ ହେବେ ଏବଂ ୨ ହେକ୍ଟର ଜମି ସୀମା ଲାଗୁ ହେବନାହିଁ । ଏହି ସ୍କିମ୍‌ରେ ଦେଶର ସମସ୍ତ ଚାଷୀଙ୍କୁ ସାମିଲ କରିବା ନିମନ୍ତେ ବିଜେପି ଏହାର ନିର୍ବାଚନୀ ଇସ୍ତାହାର ପ୍ରତିଶ୍ରୁତି ଦେଇଥିଲା । ପ୍ରତିଶ୍ରୁତି ପାଳନ ସ୍ୱରୂପ ମୋଦି ସରକାର ନିଜର ଦ୍ୱିତୀୟ ପାଳିରେ ସମସ୍ତ ଚାଷୀଙ୍କୁ କିଷାନ ସ୍କିମ୍‌ର ଫାଇଦା ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସମ୍ବନ୍ଧିତ ଖବର