ଅଭିଯୁକ୍ତଙ୍କୁ ଏନ୍ଏସ୍ଏରେ ବୁକ୍ କର, ଜାଲ୍ ସାର୍ଟିଫିକେଟ୍ ପ୍ରସଙ୍ଗରେ ଦାବି କଲା କଂଗ୍ରେସ

ଭୁବନେଶ୍ୱର,୨୯/୩: ଜାଲ୍ ସାର୍ଟିଫିକେଟକୁ ନେଇ ବିଧାନସଭାରେ ଉଦ୍ବେଗ । ଶୂନ୍ୟକାଳରେ ଏ ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ଦାବି କରଥିଲେ, ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେମାନଙ୍କୁ ଜାତୀୟ ନିରାପତ୍ତା ଆଇନ (ଏନ୍ଏସ୍ଏ)ରେ ବୁକ୍ କରିବାକୁ ଶ୍ରୀ ସାଲୁଜା ଦାବି କରିଥିଲେ । ମଙ୍ଗଳବାର ଶୂନ୍ୟକାଳରେ କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ଶ୍ରୀ ସାଲୁଜା ବଲାଙ୍ଗିରରେ ଧରାପଡ଼ିଥିବା ଜାଲ୍ ସାର୍ଟିଫିକେଟ ରାକେଟ ପ୍ରସଙ୍ଗ ଉଠାଇଥିଲେ । ସେ କହିଥିଲେ, ରାଜ୍ୟରେ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ।
ବଲାଙ୍ଗିରରେ ନକଲି ସାର୍ଟିଫିକେଟ ରାକେଟ ଚାଲିଛି । ଏହି ମାମଲାରେ ମନୋଜ ମିଶ୍ର ଓ ଅଶୋକ ଉଦ୍ଗାତାଙ୍କ ସମେତ ୧୯ ଜଣ ଗିରଫ ହୋଇଛନ୍ତି । ଏମାନେ ବର୍ଷ ବର୍ଷ ଧରି ନକଲି ସାର୍ଟିଫିକେଟର ରାକେଟ ଚଳାଉଥିଲେ । ନବମ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ମାଟ୍ରିକ୍ର ନକଲି ସାର୍ଟିଫିକେଟ ଓ ମାର୍କସିଟ ଦେଉଥିଲେ । ସେହିପରି ଦଶମ ପାସ୍ କରୁଥିବା ପିଲାଙ୍କୁ ଯୁକ୍ତ ଦୁଇର ନକଲି ସାର୍ଟିଫିକେଟ ଏବଂ ଯୁକ୍ତ ଦୁଇ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀର ନକଲି ସାର୍ଟିଫିକେଟ ଓ ମାର୍କସିଟ୍ ଯୋଗାଉଥିଲେ । ଏଭଳି ଭାବେ ସେମାନେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ନକଲି ସାର୍ଟିଫିକେଟ ଓ ମାର୍କସିଟ ଦେଇଛନ୍ତି । ଏହି ନକଲି ସାର୍ଟିଫିକେଟ ଦେଇ ଛାତ୍ରଛାତ୍ରୀମାନେ ବିଭିନ୍ନ ସରକାରୀ ପଦପଦବିରେ ଓ ବେସରକାରୀ ଚାକିରି କରିଛନ୍ତି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ରାକେଟ ଚାଲିଛି । ଏହାକୁ ବନ୍ଦ କରନ୍ତୁ । ନଚେତ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀ ଚାକିରି ପାଇବେନି ।
ସେ ଆହୁରି କହଥିଲେ, ଏ ରାକେଟରେ ବିଜେଡି ନେତାମାନେ ମଧ୍ୟ ସମ୍ପୃକ୍ତ ଅଛନ୍ତି । ଆଇଟି ସେଲ୍ର ଉପଦେଷ୍ଟା ଏଥିରେ ଅଛନ୍ତି । ଏହି ମାମଲାରେ ବିଜେଡିର ଆଇଟି ସେଲ୍ ସଦସ୍ୟ ଗିରଫ ହୋଇଛନ୍ତି । ମେଧାବୀ ଛାତ୍ରଛାତ୍ରୀମାନେ ଚାକିରିରୁ ବଞ୍ଚିତ ହେବେ । ଅପରପକ୍ଷରେ ଯେଉଁମାନେ ପାଠ ପଢ଼ିନାହାନ୍ତି, ଅ ଆ… ଜାଣିନାହାନ୍ତି, ସେମାନେ ମାଟ୍ରିକରେ ଫାଷ୍ଟ, ଯୁକ୍ତ ଦୁଇରେ ଫାଷ୍ଟ, ଡିଗ୍ରୀ କଲେଜରେ ୯୮ରୁ ୯୯% ମାର୍କ ରଖୁଛନ୍ତି । ଏହି ର୍ୟାକେଟରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ ଏନ୍ଏସ୍ଏରେ ବୁକ୍ କରିବା ପାଇଁ ବାଚସ୍ପତିଙ୍କ ରୁଲିଂ ଦାବି କରିଥିଲେ ଶ୍ରୀ ସାଲୁଜା ।