ମୁମ୍ବାଇ,୨୩/୬ : ବର୍ଡ଼ର ୨ର ଜବରଦସ୍ତ ସଫଳତା ପରେ ଏବେ ନିଧି ଦତ୍ତା ଜେପି ଫିଲ୍ମ୍ସ ବ୍ୟାନରରେ ଆଉ କିଛି ଫିଲ୍ମ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି । ନିଧି ଗୋଟିଏ କିମ୍ବା ଦୁଇ ନୁହେଁ ୫ ଫିଲ୍ମ ନିର୍ମାଣ କରିବା ମୁଡରେ ଅଛନ୍ତି । ଏଥିରୁ ସବୁଠାରୁ ଅଧିକ ଚର୍ଚ୍ଚାରେ ଅଛି ବର୍ଡ଼ର ୩ । କୁହାଯାଉଛି ସିନେମା ଏକ ଓ୍ବାର ବାୟୋପିକ୍ ହେବ । ପ୍ରକୃତରେ ଜେନେରାଲ ହରବକ୍ଷ ସିଂହଙ୍କ ବାୟୋପିକ୍ ହେବ । ବର୍ଡ଼ର ୩ ବ୍ୟତୀତ ଅପରେଶନ ସିନ୍ଦୁର ଉପରେ ଆଧାରିତ ଏକ ଏୟାର ଫୋର୍ସ ଡ୍ରାମା ଫିଲ୍ମ, ମାଇଥୋଲୋଜି ଏବଂ ଭାରତୀୟ ଇତିହାସ ଉପରେ ଆଧାରିତ ଏକ ଟ୍ରେଜର ହଣ୍ଟ ଫିଲ୍ମ ଏବଂ ଏହା ବ୍ୟତୀତ ଲିଜେଣ୍ଡ୍ରି ଫିଲ୍ମ ମେକର ଓପି ଦତ୍ତାଙ୍କ ଜୀବନ ଉପରେ ଏକ ଲମ୍ବା ସିରିଜ ନିର୍ମାଣ କରିବାକୁ ଯୋଜନା ରଖାଯାଇଛି । ଏବେ ଯଦି ଚର୍ଚ୍ଚାରେ ବର୍ଡର ୩ର କଥା କହିବା ତେବେ ଫିଲ୍ମର କାହାଣୀ ଏଥର ଏକ ବାୟୋପିକ୍ ହେବ । ଏଥିରେ ଜେନେରାଲ ହରବକ୍ଷ ସିଂହଙ୍କ କାହାଣୀ ଦେଖାଯିବ ।
ଲେଫ୍ଟନାଣ୍ଟ ଜେନେରାଲ ହରବକ୍ଷ ସିଂହ ଭାରତୀୟ ସେନାରେ ଜଣେ ବରିଷ୍ଠ ଜେନେରାଲ ଅଫିସର ଥିଲେ । ଓ୍ବେଷ୍ଟର୍ନ କମାଣ୍ଡରେ କମାଣ୍ଡର ଭାବେ ସିଂହ ଭାରତୀୟ ସେନାର କମାଣ୍ଡ ସାମ୍ଭାଳିଥିଲେ ଏବଂ ୧୯୬୫ରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିଲେ। ଯୁଦ୍ଧରେ ତାଙ୍କର ଭୂମିକା ଲାଗି ତାଙ୍କୁ ୧୯୬୬ରେ ପଦ୍ମ ବିଭୂଷଣରେ ସମ୍ମାନୀତ କରାଯାଇଥିଲା । ୧ ଅକ୍ଟୋବର ୧୯୧୩ରେ ଜନ୍ମ ହରବକ୍ଷ ସିଂହ ୧୪ ନଭେମ୍ବର ୧୯୯୯ରେ ଏହି ଦୁନିଆକୁ ଅଲବିଦା କହିଥିଲେ। ହରବକ୍ଷ ସିଂହଙ୍କୁ ‘ପଞ୍ଜାବର ରକ୍ଷକ’ ଭାବେ ଜଣାଶୁଣା । ତାଙ୍କୁ ପଛକୁ ହଟିବା ଆଦେଶକୁ ନ ମାନିବାକୁ ଏବଂ ଜବାବୀ ଆକ୍ରମଣ ଆରମ୍ଭ କରିବା ଲାଗି ମନେ ପକାଯାଇଥାଏ । ଯାହାଦ୍ବାରା ଅମୃତସରକୁ ପାକିସ୍ତାନୀ ସେନାରୁ ବଞ୍ଚାଇବାକୁ ସାହାଯ୍ୟ ମିଳିଥିଲା।
୧୯୯୭ରେ ଆସିଥିବା ବର୍ଡ଼ର ଏକ ମଲ୍ଟି ଷ୍ଟାରର ଫିଲ୍ମ ଥିଲା । ଏହାପରେ ୨୦୨୫ରେ ବର୍ଡ଼ର ୨ ଆସିଥିଲା । ଏହାକୁ ସନୀ ଦେଓଲ ନିଜ କାନ୍ଧରେ ଉଠାଇଥିଲେ । ଦର୍ଶକ ଫିଲ୍ମ ସହ ଯୋଡ଼ି ହୋଇଥିବା ପୁରୁଣା ସ୍ମୃତି ଏବଂ ସନୀ ଦେଓଲଙ୍କ ଲାଗି ଫିଲ୍ମ ଦେଖିବାକୁ ପହଞ୍ଚିଥିଲେ। ଏବେ ଫିଲ୍ମର ତୃତୀୟ ଭାଗକୁ ନେଇ କାହାର ନା ତ ସାମ୍ନାକୁ ଆସିନାହିଁ କିନ୍ତୁ ପୂର୍ବ ଫିଲ୍ମର ସଫଳତାକୁ ଦେଖି କୁହାଯାଇପାରେ କି ସନୀ ଦେଓଲ ତୃତୀୟ ଥର ବି ଏହି ଫିଲ୍ମର ଭାଗିଦାରୀ ହେବେ ଏବଂ ଦର୍ଶକଙ୍କୁ ‘ବର୍ଡ଼ର’ରେ ସନୀ ଦେଓଲଙ୍କ ଗର୍ଜନ ଶୁଣାଯିବ।