ନୂଆଦିଲ୍ଲୀ, ୨୩।୬: ପଶ୍ଚିମ ଏସିଆରେ କାହିଁ କେତେ ଦିନ ଧରି ଚାଲିଥିଲା ସଂଘର୍ଷ । ଯାହା କେବଳ ସେହି ଅଞ୍ଚଳକୁ ଧ୍ୱଂସ କରିନାହିଁ, ବରଂ ସାରା ବିଶ୍ୱର ସାଧାରଣ ଜନତାଙ୍କ ଜୀବନଯାତ୍ରାକୁ ମଧ୍ୟ ପ୍ରଭାବିତ କରିଛି । ତେଲ ଦର ଆକାଶଛୁଆଁ ହେବା ସହ ସାମୁଦ୍ରିକ ବାଣିଜ୍ୟ ମାର୍ଗ ଗୁଡ଼ିକ ବନ୍ଦ ହୋଇଯାଇଥିଲା । ଏଭଳି ସ୍ଥିତିରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଚୁକ୍ତି ଆଲୋଚନା କୋଟି କୋଟି ଲୋକଙ୍କ ପାଇଁ ଏକ ବଡ଼ ଆଶାର କିରଣ ସାଜିଛି । ତେବେ ଏହି ସମାଧାନ ଭାରତ ପାଇଁ କେତେ ଜରୁରୀ, ଆସନ୍ତୁ ନଜର ପକାଇବା ସେହି ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ।
ମହଙ୍ଗା ମାଡ଼ରୁ ମୁକ୍ତି:
ସ୍ୱିଜରଲ୍ୟାଣ୍ଡରେ ଚାଲିଥିବା ଏହି ଆଲୋଚନା ଭାରତ ପାଇଁ କେବଳ ଏକ ଅନ୍ତର୍ଜାତୀୟ ଖବର ନୁହେଁ, ବରଂ ଏହା ଦେଶର ଅର୍ଥନୈତିକ ଏବଂ ରଣନୈତିକ ଭବିଷ୍ୟତର ଏକ ବ୍ଲୁପ୍ରିଣ୍ଟ । ଭାରତ ନିଜର ଅଶୋଧିତ ତେଲ ଆବଶ୍ୟକତାର ଏକ ବଡ଼ ଅଂଶ ଆମଦାନୀ କରିଥାଏ । ଆମେରିକା ପକ୍ଷରୁ ଇରାନୀ କ୍ରୁଡ୍ ଅଏଲ୍ ରପ୍ତାନି ଉପରେ କଟକଣା କୋହଳ କରାଯିବା ଭାରତ ପାଇଁ ସବୁଠାରୁ ବଡ଼ ଆଶ୍ୱସ୍ତି ଆଣିଦେବ । ଶସ୍ତା ଏବଂ ସହଜରେ ତେଲ ମିଳିବା ଦ୍ୱାରା ପରିବହନ ଖର୍ଚ୍ଚ କମିବ, ଯାହା ଶେଷରେ ଦେଶରେ ମହଙ୍ଗା ମାଡ଼ ଉପରେ ଲଗାମ କଷିବାରେ ସାହାଯ୍ୟ କରିବ ।
ଚାବାହାର ପ୍ରକଳ୍ପ ପାଇଁ ସୁବର୍ଣ୍ଣ ସୁଯୋଗ:
ପ୍ରତିବନ୍ଧକ କାରଣରୁ ବନ୍ଦ ହୋଇଯାଇଥିବା ଭାରତର ମହତ୍ତ୍ୱାକାଂକ୍ଷୀ ଚାବାହାର ବନ୍ଦର ପ୍ରକଳ୍ପ ଏବେ ପୁଣି ଖୋଲିବ । ଏହି ବନ୍ଦର ମାଧ୍ୟମରେ ଭାରତ, ପାକିସ୍ତାନକୁ ବାଇପାସ୍ କରି ମଧ୍ୟ ଏସିଆ ଏବଂ ଆଫଗାନିସ୍ତାନ ସହ ସିଧାସଳଖ ବାଣିଜ୍ୟିକ ସମ୍ପର୍କ ସ୍ଥାପନ କରିପାରିବ । ଏହାସହ 'ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡର' ପାଇଁ ମଧ୍ୟ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ସାଜିବ ।
ଏହା ବି ପଢ଼ନ୍ତୁ... ଶାନ୍ତି ଚୁକ୍ତିକୁ ଇସ୍ରାଏଲର ଫୁ…ପାହାଡ ତଳୁ ଠାବ କଲା ହିଜବୋଲାର ଡ୍ରୋନ ବେସ୍, ଦୋହଲିଗଲା ଇରାନ୍…
ଭାରତୀୟ କମ୍ପାନୀ ଓ ପ୍ରବାସୀଙ୍କ ସୁରକ୍ଷା:
ଇରାନର ୩୦୦ ବିଲିୟନ ଡଲାରର ପୁନଃନିର୍ମାଣ ବଜାରରେ ଭାରତୀୟ ଇଞ୍ଜିନିୟରିଂ, ଭିତ୍ତିଭୂମି ଏବଂ ଆଇଟି କମ୍ପାନୀଗୁଡ଼ିକ ପାଇଁ ବଡ଼ ସୁଯୋଗ ସୃଷ୍ଟି ହେବ । ଏହା ବ୍ୟତୀତ ମଧ୍ୟପ୍ରାଚ୍ୟରେ ରହୁଥିବା ପ୍ରାୟ ୯୦ ଲକ୍ଷ ଭାରତୀୟ ପ୍ରବାସୀ ଏବଂ ସାମୁଦ୍ରିକ ଜାହାଜରେ କାର୍ଯ୍ୟରତ ହଜାର ହଜାର ଭାରତୀୟ ନାବିକଙ୍କ ସୁରକ୍ଷା ଏହାଦ୍ୱାରା ସୁନିଶ୍ଚିତ ହୋଇପାରିବ । ସ୍ୱିଜରଲ୍ୟାଣ୍ଡରେ ପ୍ରସ୍ତୁତ ହୋଇଥିବା ୬୦ ଦିନର ଶାନ୍ତି ରୋଡ୍ମ୍ୟାପ୍ ଏକ କଞ୍ଚା ମାଟି ପାତ୍ର ଭଳି । ସାମାନ୍ୟ କୂଟନୈତିକ ଭୁଲ୍ ଯୋଗୁଁ ଏହା ଯଦି ଭାଙ୍ଗିଯାଏ, ତେବେ ପଶ୍ଚିମ ଏସିଆ ପୁଣି ଜଳିଉଠିବ ଏବଂ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ । ଭାରତ ପାଇଁ ଆମେରିକା ଏବଂ ଇସ୍ରାଏଲ୍ ସହ ସମ୍ପର୍କ ଯେତିକି ଗଭୀର, ଅପରପକ୍ଷରେ ଗଠନ ହେଉଥିବା ଇରାନ-ରୁଷ-ଚୀନର ନୂଆ ଭୂ-ରାଜନୈତିକ ସମୀକରଣକୁ ମଧ୍ୟ ଭାରତ ଅଣଦେଖା କରିପାରିବ ନାହିଁ । ୱାଶିଂଟନ୍ ଏବଂ ଜେରୁଜେଲମ୍କୁ ଅସନ୍ତୁଷ୍ଟ ନକରି ତେହେରାନ ସହ ଆର୍ଥିକ ସମ୍ପର୍କ ବଜାୟ ରଖିବା ଭାରତୀୟ ବିଦେଶ ନୀତି ପାଇଁ ଏକ ବଡ଼ ପରୀକ୍ଷା । ଏହି ଶାନ୍ତି ପ୍ରକ୍ରିୟାରେ ପାକିସ୍ତାନର ସକ୍ରିୟତା ଏବଂ ଇରାନ ଭିତରେ ଚୀନର ବଢ଼ୁଥିବା ନିବେଶ ଭାରତ ପାଇଁ ଚିନ୍ତାର ବିଷୟ । ନୂଆଦିଲ୍ଲୀକୁ ଏହା ସୁନିଶ୍ଚିତ କରିବାକୁ ହେବ ଯେ ଚାବାହାର ବନ୍ଦର ଯେପରି ବେଜିଂର 'ଷ୍ଟ୍ରିଙ୍ଗ୍ ଅଫ୍ ପର୍ଲ୍ସ' ନୀତିର ଶିକାର ନହୁଏ ।
ଆତ୍ମନିର୍ଭରଶୀଳତା ହିଁ ଏକମାତ୍ର ବିକଳ୍ପ:
ପଶ୍ଚିମ ଏସିଆର ଏହି ସଙ୍କଟ ଭାରତକୁ ଏକ ବଡ଼ ଶିକ୍ଷା ଦେଇଛି । ଭାରତକୁ କେବଳ ଗୋଟିଏ ଅଞ୍ଚଳ ଉପରେ ନିର୍ଭର ନକରି ନିଜର ଶକ୍ତି ଉତ୍ସରେ ବିବିଧତା ଆଣିବାକୁ ହେବ । ସାଉଦି ଆରବ, ୟୁଏଇ ଏବଂ ରୁଷ ଭଳି ପାରମ୍ପରିକ ଉତ୍ସ ସହ ସମ୍ପର୍କ ମଜବୁତ କରିବା ସହ ଘରୋଇ ସ୍ତରରେ ନବୀକରଣଯୋଗ୍ୟ ଶକ୍ତି ଏବଂ ଗ୍ରୀନ୍ ହାଇଡ୍ରୋଜେନ୍ର ବ୍ୟବହାରକୁ ଦ୍ରୁତ ଗତିରେ ବଢ଼ାଇବାକୁ ହେବ । ତେବେ ଯାଇ ବିଶ୍ୱ ସ୍ତରୀୟ ସଙ୍କଟ ସମୟରେ ମଧ୍ୟ ଭାରତର ସ୍ଥିରତା ବଜାୟ ରହିପାରିବ ।