୯ରୁ ବର୍ଡର-ଗାଭାସ୍କର ଟ୍ରଫି: ରୋହିତ ଶର୍ମାଙ୍କ ପାଇଁ ବଡ଼ ପରୀକ୍ଷା, ଅଧିନାୟକ ହେବା ପରଠୁ ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି…

ନୂଆଦିଲ୍ଲୀ,୦୬/୦୨: ଦୀର୍ଘ ୨୭ ବର୍ଷର ବର୍ଡର-ଗାଭାସ୍କର ଟ୍ରଫିର ଇତିହାସ ଓ ରେକର୍ଡ ପୃଷ୍ଠା ବହୁ ଲମ୍ବା । ବିଜୟ ରେକର୍ଡକୁ ଯଦି ବିଚାରକୁ ନିଆଯାଏ ତେବେ ଭାରତ ବହୁ ଆଗରେ ରହିଛି । ୨୦୧୬- ୧୭ରୁ ଭାରତ କ୍ରମାନ୍ୱୟରେ ଟ୍ରଫି ଜିତି ଚାଲିଛି । ଥରେ ନିଜ ଘରୋଇ ଗ୍ରାଉଣ୍ଡ ଏବଂ ୨ ଥର ଅଷ୍ଟ୍ରେଲିଆ ମାଟିରେ ବିଜୟର ପତାକା ଉଡ଼ାଇଛି । ତେଣୁ ସେହିଦୃଷ୍ଟିରୁ ଏଥର ପୁଣି ଘରୋଇ ମାଟିରେ ଭାରତ ଟ୍ରଫି ଦାବିଦାର ରହିଛି । ସବୁଠୁ ବଡ଼ କଥା ହେଉଛି, ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଏହି ସିରିଜ ଏକ ବଡ଼ ପରୀକ୍ଷା । କାରଣ ସେ ଗତ ବର୍ଷ ଠାରୁ ଟେଷ୍ଟ ଅଧିନାୟକ ହେବା ପରଠୁ ମାତ୍ର ୨ଟି ଟେଷ୍ଟ ଖେଳିଛନ୍ତି । ତେଣୁ ବର୍ଡର-ଗାଭାସ୍କର ଟ୍ରଫି ତାଙ୍କ ଟେଷ୍ଟ ନେତୃତ୍ୱ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ । ଦିନିକିଆ ଓ ଟି-ଟ୍ୱେଣ୍ଟି ଭଳି ସେ ଟେଷ୍ଟରେ ମଧ୍ୟ ଦଳକୁ ଦୃଢ଼ ନେତୃତ୍ୱ ଦେବାରେ ସଫଳ ହେବେ ବୋଲି ପ୍ରଶଂସକ ଆଶା ବାନ୍ଧି ରହିଛନ୍ତି ।
୨୦୨୨, ଫେବ୍ରୁଆରୀ ମାସରେ ରୋହିତ ସବୁ ଫର୍ମାଟରେ ଅଧିନାୟକ ହୋଇଥିଲେ । ସେବେଠୁ ଏ ପର୍ଯ୍ୟନ୍ତ ଭାରତ ୧୦ଟି ଟେଷ୍ଟ ଖେଳିଛି । କିନ୍ତୁ ଆହତ ସମସ୍ୟା ଯୋଗୁ ସେ ମାତ୍ର ୨ଟି ଟେଷ୍ଟ ଖେଳିଥିଲେ । ଗତ ମାର୍ଚ୍ଚ ମାସରେ ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷରେ ସେ ଶେଷ ମ୍ୟାଚ୍ ଖେଳିଥିଲେ । ପାଖାପାଖି ଗୋଟିଏ ବର୍ଷ ପରେ ସେ ଟେଷ୍ଟକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ।
ଦିନିକିଆ ଓ ଟି-ଟ୍ୱେଣ୍ଟି ଭଳି ରୋହିତ ଟେଷ୍ଟରେ ବି ସଫଳ ହେବେ । ଏଥିରେ ସନ୍ଦେହ ନାହିଁ । ତଥାପି ଏକ ବଡ଼ ସିରିଜରେ ଚାପରେ ରହିବା ସ୍ୱାଭାବିକ । ବିରାଟ କୋହଲି ଫର୍ମକୁ ଫେରିଛନ୍ତି । ଯୁବ ତାରକା ଶୁଭମନ ଗିଲ ମଧ୍ୟ କଡ଼ା ଫର୍ମରେ ଅଛନ୍ତି । ଦୀର୍ଘ ଦିନ ପରେ ନିଜେ ହିଟ୍ମ୍ୟାନ ନ୍ୟୁଜିଲାଣ୍ଡ ବିପକ୍ଷରେ ଶତକ ହାସଲ କରି ଦଳର ଶକ୍ତିକୁ ବୃଦ୍ଧି କରିଛନ୍ତି । ସେମିତି ଆର.ଅଶ୍ୱିନଙ୍କ ସହ ଘରୋଇ ବୋଲିଂ ବାହିନୀକୁ ନେଇ ଚିନ୍ତା ପ୍ରକଟ କରିବାର କିଛି କାରଣ ନାହିଁ । ନାଗପୁରରୁ ଆରମ୍ଭ ହୋଇ ସିରିଜ ଅହମ୍ମଦାବାଦରେ ଶେଷ ହେବ ।