PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଝଟକା, ଜାମିନ ଆବେଦନ ଖାରଜ କଲେ କୋର୍ଟ
  • ||
  • ମନମୁଣ୍ଡା ଏବଂ ବିଳାଶପୁରରେ ସମବାୟ ବ୍ୟାଙ୍କିଙ୍ଗ୍‌ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ
  • ||
  • ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ; ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ
  • ||
  • ନୀଳଗିରି : ଜାମୁଡିସାହି ଗ୍ରାମରେ ଅଭିଯୁକ୍ତକୁ ନୋଟିସ୍ ଦେବାକୁ ଯାଇ ପାଲଟା ଆକ୍ରମଣର ଶିକାର ହେଲେ ନୀଳଗିରି ପୋଲିସ। ୫ ପୋଲିସଙ୍କୁ ହାଣିଲା ଅଭିଯୁକ୍ତ
  • ||
  • ହରଭଙ୍ଗା : ଦଣ୍ଡ ଯାତ୍ରାରେ ଆଖିବୁଜିଲେ କାଳିସୀ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଭୁବନେଶ୍ୱର : ଏପ୍ରିଲ ୩ରୁ ଜାପାନ ଯିବେ ନବୀନ, ଓଡ଼ିଶା ପାଇଁ ପୁଞ୍ଜିନିବେଶ ଖୋଜିବେ
  • ||
  • ଭୁବନେଶ୍ୱର : ଆଜି ପ୍ରବଳ ବର୍ଷା ସମ୍ଭାବନା, ବିଜୁଳି, ଘଡ଼ଘଡ଼ି ସହ କୁଆପଥର ବର୍ଷିବ: ୭ ଜିଲ୍ଲାକ ଅରେଞ୍ଜ ୱାର୍ଣ୍ଣିଂ
  • ||

ବର୍ଡର-ଗାଭାସ୍କର ଟ୍ରଫି: ସୁଇପ୍‌ ସଟ୍‌ ଉପରେ ଟିମ ଇଣ୍ଡିଆର ଫୋକସ, କଠିନ ପରିଶ୍ରମ କରୁଛନ୍ତି ଜାଡେଜା

ନାଗପୁର,୫/୦୨: ଆଗାମୀ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ ପାଇଁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ବେଙ୍ଗାଲୁରୁ ସ୍ଥିତି ଆଲୁର ଠାରେ ଗତ ୩ ଦିନ ହେଲା ଅଭ୍ୟାସ କରିଥିବା ଅଷ୍ଟ୍ରେଲିଆ ଦଳ ଶନିବାର ନାଗପୁରରେ ପହଞ୍ଚିଛି । ଆଜିଠୁ ବିଦର୍ଭ କ୍ରିକେଟ୍‌ ଆସୋସସିଏସନ୍‌ ଗ୍ରାଉଣ୍ଡ୍‌ରେ ଦଳ ୪ଦିନିଆ ଅଭ୍ୟାସ ଶିବିର ଆରମ୍ଭ କରିବ । ଭାରତୀୟ ଦଳ ପୁରୁଣା ଗ୍ରାଉଣ୍ଡ୍‌ରେ ଅଭ୍ୟାସ ଜାରି ରଖିଛି । ଦ୍ୱିତୀୟ ଅଭ୍ୟାସ ଦିବସରେ ଭାରତୀୟ ବ୍ୟାଟରମାନେ ସୁଇପ୍‌ ସଟ୍‌ ଉପରେ ପ୍ରାଥମିକତା ଦେଇଛନ୍ତି ।

ଅଷ୍ଟ୍ରେଲିଆ ସ୍ପିନରଙ୍କ ପାଇଁ ରଣନୀତି

ଭାରତୀୟ ପିଚ୍‌ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । ଅଷ୍ଟ୍ରେଲିଆ ଦଳ ୪ଜଣ ସ୍ପିନରଙ୍କୁ ନେଇ ଭାରତ ଆସିଛି । ଅନ୍ୟ ପଟରେ ମାର୍ନସ ଲାବୁସାନ, ଟ୍ରେଭିସ ହେଡଙ୍କ ଭଳି ବ୍ୟାଟରମାନେ ମଧ୍ୟ ସ୍ପିନ ବୋଲିଂ କରିବାରେ ସିଦ୍ଧହସ୍ତ । ତେଣୁ ଭାରତୀୟ ଦଳ ସେମାନଙ୍କ ବିପକ୍ଷରେ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯୋଜନା ପ୍ରସ୍ତୁତ କରୁଛି । ଅଷ୍ଟ୍ରେଲିଆ ସ୍ପିନରମାନଙ୍କ ମୁକାବିଲା କରିବା ପାଇଁ ଭାରତୀୟ ବ୍ୟାଟରମାନେ ଆଜି ସୁଇପ ସଟ୍‌ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଥମ ୨ଟି ଟେଷ୍ଟ ପାଇଁ ଦଳରେ ନୂଆକରି ସ୍ଥାନ ପାଇଥିବା ସୂର୍ଯ୍ୟକୁମାର ଯାଦବ ଓ ଇଶାନ କିଷନ ସ୍ପିନରଙ୍କ ବିପକ୍ଷରେ ଉନ୍ନତ ବ୍ୟାଟିଂ କରିବାର କ୍ଷମତା ରଖିଛନ୍ତି । ଉଭୟ ସୁଇପ ସଟ୍‌ ଖେଳିବାରେ ସିଦ୍ଧହସ୍ତ । ତେଣୁ ମଧ୍ୟ କ୍ରମରେ ଉଭୟ ଅଷ୍ଟ୍ରେଲିଆ ସ୍ପିନରଙ୍କ ବିପକ୍ଷରେ ଦ୍ରୁତ ରନ୍‌ ସଂଗ୍ରହ କରିପାରିବେ । ରିଷଭ ପନ୍ତ ସ୍ପିନରଙ୍କ ବିପକ୍ଷରେ ସର୍ବଦା ଆକ୍ରମଣାତ୍ମକ ବ୍ୟାଟିଂ କରନ୍ତି । ବର୍ତ୍ତମାନ ସେ ଦଳରେ ନାହାନ୍ତି । ତାଙ୍କ ସ୍ଥାନ ପୂରଣ କରିବା ପାଇଁ ଚୟନକର୍ତ୍ତା ଉଭୟ ସୂର୍ଯ୍ୟକୁମାର ଓ କିଷନଙ୍କୁ ଦଳରେ ସ୍ଥାନ ଦେଇଛନ୍ତି । ମାତ୍ର ପ୍ରଥମ ଟେଷ୍ଟରେ କିଷନ ଖେଳିବା ସମ୍ଭାବନା ନାହିଁ । ଅଷ୍ଟ୍ରେଲିଆ ଦଳରେ ବାମ ହାତି ସ୍ପିନର ନଥିବାରୁ କିଷନଙ୍କୁ ସୁଯୋଗ ମିଳିବ ନାହିଁ ।

୫ ବୋଲର ନେଇ ଖେଳିବ ଭାରତ

ପୂର୍ବ ବର୍ଷ ଗୁଡ଼ିକ ଭଳି ଏଥର ମଧ୍ୟ ଭାରତ ୫ ସ୍ପିନର ନେଇ ଖେଳିବା ସମ୍ଭବାନା ରହିଛି । ୱିକେଟ୍‌ କିପର ଭାବେ କେ ଏସ ଭରତଙ୍କୁ ପ୍ରାଥମିକତା ଦିଆଯିବ। ସେ ଷଷ୍ଠ ବ୍ୟାଟର ଦାୟିତ୍ୱ ତୁଲାଇ ପାରିବେ । ଆବଶ୍ୟକ ସ୍ଥଳେ ରବିନ୍ଦ୍ର ଜାଡେଜା ମଧ୍ୟ ୬ ନଂ ସ୍ଥାନରେ ବ୍ୟାଟିଂ କିରିବେ । ଗତ ୨ ବର୍ଷ ମଧ୍ୟରେ ଜାଡେଜା ନିୟମିତ ଭାବେ ଟେଷ୍ଟ କ୍ରିକେଟ୍‌ରେ ଉନ୍ନତ ବ୍ୟାଟିଂ କରିଛନ୍ତି । ୮ ଓ ୯ନଂ ସ୍ଥାନରେ ବ୍ୟାଟିଂ କରିବା ପାଇଁ ରବି ଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ରହିଛନ୍ତି । ମୋଟ ଉପରେ ଦେଖିବାକୁ ଗଲେ ଭାରତୀୟ ଦଳର ବ୍ୟାଟିଂ କ୍ରମ ବେଶ୍‌ ଲମ୍ବା । ନାଗପୁରରେ ଭାରତ ୨ଜଣ ପେସ୍‌ ବୋଲର ନେଇ ଖେଳିବା ସମ୍ଭାବନା ଅଧିକ । ଫଳରେ ମହମ୍ମଦ ସାମି ଓ ମହମ୍ମଦ ସିରାଜ ପେସ୍‌ ବିଭାଗ ସମ୍ଭାଳିବେ ।

ଆଦର୍ଶ ପିଚ୍‌ ପାଇଁ ନିର୍ଦ୍ଦେଶ

ଅଷ୍ଟ୍ରେଲିଆକୁ ହରାଇବା ପାଇଁ ଭାରତ ସ୍ପିନରଙ୍କୁ ସୁହାଉଥିବା ପିଚ୍‌ ପ୍ରସ୍ତୁତ କରିବ ବୋଲି ଗତ କିଛି ଦିନ ହେଲା ଆଲୋଚନା ଚାଲିଛି । ଖେଳ ଆରମ୍ଭ ନହେଉଣୁ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳିମାନେ ଭାରତକୁ ସମାଲୋଚନା କରିବା ଆରମ୍ଭ କରିଦେଲେଣି । ମାତ୍ର ଭାରତ ଆଦର୍ଶ ପିଚ୍‌କୁ ଅଗ୍ରାଧିକାର ଦେଉଛି । ୪ଟି ଯାକ ଟେଷ୍ଟ ପାଇଁ ଆଦର୍ଶ ପିଚ୍‌ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମ୍ୟାଚ୍‌ ଫଳାଫଳ ବାହାରିବା ପାଇଁ ୫ଦିନ ସଂଘର୍ଷ ହେବା ଜରୁରି ବୋଲି କ୍ୟୁରେଟରମାନଙ୍କୁ ସଚେତନ କରିଦିଆଯାଇଛି । ଭାରତର ସିନିୟର ବ୍ୟାଟରମାନେ ସ୍ପିନରଙ୍କ ବିପକ୍ଷରେ ବିଫଳ ହେଉଥିବା ପୂର୍ବରୁ ପ୍ରମାଣ ମିଳିସାରିଛି । ତେଣୁ ଅତିରିକ୍ତ ଟର୍ଣ୍ଣ କରୁଥିବା ପିଚ୍‌ ପ୍ରସ୍ତୁତ କରିବା ପାଇଁ ଭାରତ ମଧ୍ୟ ଭୟ କରୁଛି । ଅଷ୍ଟ୍ରେଲିଆ ଦଳରେ ଅଭିଜ୍ଞ ନାଥାନ ଲାୟନ ରହିଛନ୍ତି । ସେ ପୂର୍ବରୁ ରୋହିତ ଶର୍ମା, ବିରାଟ କୋହଲି, ଚେତେଶ୍ୱର ପୂଜାରାଙ୍କୁ ବାରମ୍ବାର ଆଉଟ୍‌ କରିସାରିଛନ୍ତି ।

ନେଟ୍‌ସରେ ଜାଡେଜାଙ୍କ ବ୍ୟାଟିଂ ଅଭ୍ୟାସ

ଦୀର୍ଘ ୫ମାସ ପରେ ଭାରତୀୟ ଦଳକୁ ଫେରିଥିବା ଅଲ୍‌ରାଉଣ୍ଡର ରବିନ୍ଦ୍ର ଜାଡେଜା ଲୟ ଫେରି ପାଇବା ପାଇଁ ଜୋରଦାର ଅଭ୍ୟାସ ଚଳାଇଛନ୍ତି । ଗତ ସେପ୍ଟେମ୍ବରରୁ ଜାଡେଜା ଅନ୍ତର୍ଜାତୀୟ କ୍ରିକେଟ ଖେଳି ନାହାନ୍ତି । ଆଣ୍ଠୁରେ ଅସ୍ତ୍ରୋପଚାର ପରେ ଜାଡେଜା ଏନ୍‌ସିଏରେ ରହି ଚିକିତ୍ସିତ ହେଉଥିଲେ । ଫିଟ୍‌ ହେବା ପରେ ସୌରାଷ୍ଟ୍ର ପକ୍ଷରୁ ଏକ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିଥିଲେ । ଏହି ମ୍ୟାଚ୍‌ରେ ସେ ୪୧.୧ ଓଭର ବୋଲିଂ କରିଥିଲେ ଓ ୭ଟି ୱିକେଟ୍‌ ନେଇ ଫର୍ମ ଫେରି ପାଇଥିବା ପ୍ରମାଣ କରିଥିଲେ । ମାତ୍ର ଟେଷ୍ଟ ସିରିଜ ପୂର୍ବରୁ ବୋଲିଂକୁ ଶାଣିତ କରିବା ସହ ବ୍ୟାଟିଂ ଦକ୍ଷତା ବୃଦ୍ଧି କରିବା ପାଇଁ ଜାଡେଜା ଲାଗି ପଡ଼ିଛନ୍ତି । ଗତ ୨ ଦିନ ହେଲା ସେ ନେଟ୍ସରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି । ସବୁ ପେସ୍‌ ବୋଲର ଓ ସ୍ପିନରଙ୍କୁ ନେଟ୍ସରେ ସାମ୍ନା କରୁଛନ୍ତି । ସୂଚନାଯୋଗ୍ୟ, ଏକାଦଶରେ ଜାଡେଜା ସ୍ଥାନ ପାଇବା ନିଶ୍ଚିତ । ଆବଶ୍ୟକ ସ୍ଥଳେ ତାଙ୍କୁ ୬ନଂ ସ୍ଥାନରେ ବ୍ୟାଟିଂ ମିଳିବ । ତେଣୁ ନୂଆ ବଲରେ ବ୍ୟାଟିଂ କରିବାକୁ ପଡ଼ିପାରେ । ମ୍ୟାଚ୍‌ ପୂର୍ବରୁ ନୂଆ ବଲ୍‌ରେ ପେସ ବୋଲରମାନଙ୍କୁ ସାମ୍ନା କରିବାକୁ ଜାଡେଜା ପ୍ରାଥମିକତ ଦେଇଛନ୍ତି ।

ପେସ୍‌ ବାହିନୀ ଉପରେ କମିନ୍ସଙ୍କ ଭରସା

ଭାରତରେ ସ୍ପିନ ଟ୍ରାକ୍‌କୁ ନେଇ ଆଲୋଚନା ଜାରି ରହିଥିବାବେଳେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ପେସ୍‌ ବାହିନୀକୁ କାର୍ଯ୍ୟରେ ଲଗାଇ ସଫଳ ହେବାକୁ ଲକ୍ଷ୍ୟ ରଖିଛନ୍ତି । ଆଜି ଅଷ୍ଟ୍ରେଲିଆ ଦଳ ନାଗପୁରରେ ପହଞ୍ଚିବା ପରେ ଏକ ସାମ୍ବାଦିକ ସମ୍ପିଳନୀରେ କମିନ୍ସ କହିଥିଲେ, ଆମ ପେସ୍‌ ବାହିନୀ ବେଶ୍‌ ଶକ୍ତିଶାଳୀ । ବିଶ୍ୱର ସବୁ ଗ୍ରାଉଣ୍ଡରେ ଏହି ପେସ୍‌ ବାହିନୀ ସଫଳ ହୋଇସାରିଛି । ତେଣୁ ମୁଁ କେବଳ ସ୍ପିନରଙ୍କୁ ନେଇ ଯୋଜନା କରୁନାହିଁ । ଭାରତୀୟ ପିଚ୍‌ରେ ସଫଳ ହେବାର ଉପାୟ ଆମ ପେସ୍‌ ବୋଲରଙ୍କ ନିକଟରେ ରହିଛି । ଏହି ଟେଷ୍ଟ ସିରିଜ ପାଇଁ ଆମେ ଉପଯୁକ୍ତ ପ୍ରସ୍ତୁତି କରିଛୁ । ବାକି ୪ଦିନର ଅଭ୍ୟାସ ପରେ ଏକାଦଶ ଚୟନ କରାଯିବ । ଆମ ବୋଲିଂ ବିଭାଗରେ ବିଭିନ୍ନତା ରହିଛି । ସ୍ପିନ ବିଭାଗରେ ଏକାଧିକ ବିକଳ୍ପ ସହ ଆମେ ଭାରତ ଆସିଛୁ । ତେଣୁ ଏଠାକାର ପିଚ୍‌କୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ ।

ସମ୍ବନ୍ଧିତ ଖବର