ପାଟଣାଗଡ଼, ୧୯। ୧୧ ପ୍ରେମ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀ ଗର୍ଭବତୀ ହୋଇଥିଲେ। ଏହା ପରେ ଯୁବକ ଜଣକ ପ୍ରେମିକାକୁ ଗର୍ଭ ନଷ୍ଟ କରିବା ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରାଇଥିଲେ। ଏହା ପରେ ଯୁବତୀ ଜଣକ ଏକ ମୃତ ଶିଶୁ ଜନ୍ମ ଦେବା ସହ ଗୁରୁତର ହୋଇଛନ୍ତି। ଏ ନେଇ ଖପ୍ରାଖୋଲ ଥାନାରେ ଯୁବତୀଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଏକ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ଅଞ୍ଚଳରେ ଘଟିଛି।

ଯୁବତୀଙ୍କ ବଡ଼ବାପାଙ୍କ ପୁଅଙ୍କ ଅଭିଯୋଗ ଅନୁସାରେ ଉଭୟେ ଏହି ଥାନା ଅନ୍ତର୍ଗତ ଗୋଟିଏ ଗାଁର । ପାଖାପାଖି ଦୁଇ ବର୍ଷ ହେଲା ଉଭୟ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ଅନ୍ତସ୍ୱତ୍ତା ପରେ ଜାତିଭେଦକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ମତାନ୍ତର ହୋଇଥିଲା। ପରେ ଯୁବକ ଜଣକ ଯୁବତୀକୁ ବିବାହର ପ୍ରତିଶ୍ରୁତି ଦେଇ ଡ଼ାକ୍ତରଙ୍କ ବିନା ପରାମର୍ଶରେ ଔଷଧ ସେବନ କରାଇଥିଲା। ଯୁବତୀଙ୍କ ରକ୍ତ ସ୍ରାବ ଓ ପେଟ ଯନ୍ତ୍ରଣା ହେବା ପରେ ଗୁରୁତର ଅବସ୍ଥାରେ ପରିବାର ବର୍ଗ ପାଟଣାଗଡ଼ ଡାକ୍ତରଖାନାକୁ ନେଇକି ଆସିଥିଲେ। ଯୁବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଡ଼ାକ୍ତର ଜଣକ ଯୁବତୀ ଗର୍ଭବତୀ ଥିବା ସହ ତାଙ୍କ ଗର୍ଭରେ ଏକ ପୂର୍ଣ୍ଣାଙ୍ଗ ମୃତ ଶିଶୁ ପତ୍ର ଥିବା ପରିବାର ବର୍ଗଙ୍କୁ ଅବଗତ କରାଇଥିଲେ। ପରେ ଡାକ୍ତରଙ୍କ ସହାୟତାରେ ଯୁବତୀ ଜଣକ ଏକ ପୂର୍ଣ୍ଣାଙ୍ଗ ମୃତ ଶିଶୁ ପତ୍ରକୁ ଜନ୍ମ ଦେଇଥିଲେ।

ଏହା ପରେ ଯୁବତୀଙ୍କ ଠାରୁ ପରିବାର ବର୍ଗ ଘଟଣା ସମ୍ପର୍କରେ ଜାଣିଥିଲେ। ଗତକାଲି ଉକ୍ତ ଯୁବକ ତାର ବାପାକୁ ଯୁବତୀଙ୍କ ପରିବାର ବର୍ଗ ଡାକ୍ତରଖାନାକୁ ଆଣିଥିଲେ। ଯୁବକ ଜଣକ ନିଜ ଦୋଷ ସ୍ଵୀକାର କଲାପରେ କୌଶଳ କ୍ରମେ ବାପ ପୁଅ ଡାକ୍ତରଖାନାରୁ ଫେରାର ହୋଇଯାଇଥିଲେ। ଏହାପରେ ଯୁବତୀଙ୍କ ମା’ ଘଟଣା ସମ୍ପର୍କରେ ଖପ୍ରାଖୋଲ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଏ ସଂପର୍କରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତରଙ୍କୁ ପଚାରିବାରୁ ଯୁବତୀ ଙ୍କ ବାପା ଓ ମା’ ଅଭିଯୋଗ କରିବା ପାଇଁ ଥାନାକୁ ଆସିଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟପଟେ ଯୁବତୀ ଜଣକ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣାପଡିଛି।