କୁଜଙ୍ଗ, ୨୩/୦୨: ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପାଟେଳି ଗ୍ରାମର ପ୍ରକାଶ ମଲ୍ଲିକ ବିବାହର ପ୍ରତିଶ୍ରୁତି ଦେଇ ଠକି ନେଇଛି ପ୍ରାୟ ୯ ଲକ୍ଷ ଟଙ୍କା । ଏସଂକ୍ରାନ୍ତରେ ଏରସମା ଥାନାରେ ପୀଡ଼ିତା ଜଣଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରି ସତ୍ୟାସତ୍ୟ ଅନୁସନ୍ଧାନ କରୁଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ମୁତାବକ, ଏରସମା ଥାନା ଅଞ୍ଚଳର ଜଣେ(୨୫) ବର୍ଷୀୟା ଯୁବତୀଙ୍କ ସହ ପାଟେଳି ଗ୍ରାମର ପ୍ରକାଶ ମଲ୍ଲିକ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି ସମ୍ପର୍କକୁ ଉଭୟ ପରିବାର ମଧ୍ୟ ସହମତି ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ପ୍ରେମୀ ଯୁଗଳଙ୍କ ବିବାହ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହାରି ମଧ୍ୟରେ ଉଭୟ ପରିବାର ମଧ୍ୟରେ ସୁସମ୍ପର୍କ ଅଧିକ ସୃଦୁଢ଼ ହୋଇଥିଲା । ଏପଟେ ପ୍ରେମିକ ପ୍ରକାଶର ବାସଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥାଏ । ଏହି ସମୟରେ ପ୍ରକାଶର କିଛି ଟଙ୍କା ଆବଶ୍ୟକତା ଥିବାରୁ ସେ ପ୍ରେମିକାକୁ ୧ ଲକ୍ଷ ଟଙ୍କା ଧାର ସୂତ୍ରରେ ମାଗିଥିଲା । ଏବଂ ପର ମୁହୂର୍ତ୍ତରେ ଏହି ଟଙ୍କାକୁ କିସ୍ତି ଆକାରରେ ପରିଶୋଧ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲା । ତେବେ ଯୁବତୀ ଜଣଙ୍କ ପ୍ରକାଶ ଉପରେ ଭରସା କରି ତା' ମା ନାମରେ ଏକ ଘରୋଇ ଫାଇନାନ୍ସଠାରୁ ୧ ଲକ୍ଷ ଋଣ ଆଣି ପ୍ରକାଶକୁ ଦେଇଥିଲେ । ଏହାର କିଛି ଦିନ ମଧ୍ୟରେ ପ୍ରକାଶର ଆହୁରି ୮ ଲକ୍ଷ ଟଙ୍କା ଆବଶ୍ୟକତା ରହିଥିବା ନେଇ ପ୍ରକାଶ ଓ ତାର ବାପା ଯୁବତୀଙ୍କ ପରିବାର ଲୋକଙ୍କୁ କହିଥିଲେ । ଯୁବତୀଙ୍କ ପରିବାର ଲୋକ ମଧ୍ୟ ବିଶ୍ୱାସ ରଖି ଗ୍ରାମର ଅନ୍ୟ ମହିଳାଙ୍କ ନାମରେ ଋଣ ଆଣି ସେମାନଙ୍କୁ ଦେଇଥିଲେ ।
ଆହୁରି ପଢ଼ନ୍ତୁ:- ଚୁମ୍ବନ ପାଇଁ ସଜା, ରୋଡ୍ ରୋମିଓଙ୍କୁ ୩ ବର୍ଷ ଜେଲ୍ ସହ ୩୦ ହଜାର ଜରିମାନା
ଏହାରି ଭିତରେ କିଛି ଦିନ ବିତିଯିବା ପରେ ଆଉ ଧରା ଛୁଆଁ ଦେଇ ନଥିବା ବେଳେ ସେ ରାଜ୍ୟ ବାହାରକୁ ପଳାଇ ଯାଇଥିଲା । ଯୁବତୀ ଜଣଙ୍କ ସନ୍ଧାନ ନେବାରୁ ଜାଣିବାକୁ ପାଇଥିଲେ ଯେ ସେ ଅନ୍ୟତ୍ର ଏକ ମହିଳାଙ୍କ ସହ ସମ୍ପର୍କରେ ରହି ଆସୁଛି । ଏହାର ସତ୍ୟାସତ୍ୟ ଜାଣିବାକୁ ଯୁବତୀ ଜଣଙ୍କ ପ୍ରେମିକର ଘରକୁ ଯାଇ ପଚାରିବାରୁ ସେମାନେ ତାଙ୍କୁ ମାଡ଼ ମାରିଥିବା ସେ ଅଭିଯୋଗ ଆଣିଛନ୍ତି।