ମୁମ୍ବାଇ ୨୩/୦୨: ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ଯୁବତୀଙ୍କୁ ‘ଫ୍ଲାଇଂ କିସ୍’ ଦେବା ଅଭିଯୋଗରେ ନିକଟରେ ଜଣେ ଯୁବକଙ୍କୁ ୩ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି । ଏଥିସହ ୩୦ ହଜାର ଟଙ୍କା ଜରିମାନା ବିଧାନ କରିଛନ୍ତି । ଏହି ରାୟ ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ମାମଲାଟି ୯ ବର୍ଷ ତଳର । ସେତେବେଳେ ଯୁବତୀଙ୍କ ବୟସ ୧୬ ବର୍ଷ ଏବଂ ଅଭିଯୁକ୍ତ ୧୯ ବର୍ଷର ଥିଲେ । ସ୍ଥାନୀୟ ଅଞ୍ଚଳରେ ଏକ କାର୍ଯ୍ୟକ୍ରମ ସମୟରେ ଅଭିଯୁକ୍ତ ଯୁବତୀଙ୍କୁ ‘ଫ୍ଲାଇଂ କିସ୍’ ଦେଇଥିଲେ । ତାଙ୍କ ଘର ପାଖରେ ରହୁଥିବା ଜଣେ ମହିଳା ଏହା ଦେଖି ଯୁବତୀଙ୍କ ମା’ଙ୍କୁ ଜଣାଇଥିଲେ । ମା’ ଏଥିନେଇ ପ୍ରଶ୍ନ କରିବାରୁ ଟ୍ୟୁସନ୍ ଯାଉଥିବା ସମୟରେ ଅଭିଯୁକ୍ତ ଏକଦା ତାଙ୍କର ହାତ ଧରି ଟାଣିଥିବା ଯୁବତୀ ପ୍ରକାଶ କରିଥିଲେ । ପରବର୍ତ୍ତୀ ସମୟରେ ଯୁବତୀଙ୍କ ମା’ ପୁଲିସ ନିକଟରେ ଅଭିଯୋଗ କରିଥିଲେ ।
ଆହୁରି ପଢ଼ନ୍ତୁ :- ସବୁଠୁ ମାରାତ୍ମକ ମହୁ, ମଣିଷ ପାଇଁ ପ୍ରାଣଘାତକ
କୋର୍ଟରେ ଅଭିଯୁକ୍ତଙ୍କ ଓକିଲ ସନ୍ତୋଷ ପଗାରେ ଦର୍ଶାଇଥିଲେ, ଯୁବକଜଣକ ନାଚୁଥିବା ସମୟରେ ‘ଫ୍ଲାଇଂ କିସ୍’ ଦେବା ଭଳି ଅଙ୍ଗଭଙ୍ଗୀ କରିଥିଲେ । ତାକୁ ଦେଖି ଯୁବତୀଙ୍କୁ ଭ୍ରମ ହୋଇଥିଲା । ଯୁବକ ତାଙ୍କୁ ‘ଫ୍ଲାଇଂ କିସ୍’ ଦେଉଥିବା ସେ ମନେ କରିଥିଲେ । ମାମଲାର ଶୁଣାଣି କରି କୋର୍ଟ କହିଥିଲେ ଯେ, ଅଭିଯୁକ୍ତ ପରୋକ୍ଷରେ ‘ଫ୍ଲାଇଂ କିସ୍’ ଦେଇଥିବା ମାନିଛନ୍ତି । ଏହା ଯୌନ ଅଙ୍ଗଭଙ୍ଗୀ । ଏଥିଯୋଗୁ ଆଇନ ଅନୁସାରେ ପୀଡି଼ତାଙ୍କ ଗରିମାର ଉଲ୍ଲଂଘନ ହୋଇଛି । ତେଣୁ ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲ୍ଦଣ୍ଡ ଭୋଗିବାକୁ ପଡ଼ିବ।