ଭୁବନେଶ୍ଵର, ୨୨/୧୧ : ଓଡ଼ିଶା ଭୂମିରେ ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ବବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ରାଜଯୋଗିନୀ କମଳେଶ ଦିଦିଜୀଙ୍କ ଦେହାନ୍ତ। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। କଟକର ଝାଞ୍ଜିରୀମଙ୍ଗଳାସ୍ଥିତ ବ୍ରହ୍ମକୁମାରୀ ଆଶ୍ରମରେ ସେ ଦେହତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଡକ୍ଟର କମଳେଶ ଦିଦି କଟକ ସବଜୋନର ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ଵିଟ୍ କରି ଶୋକବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ତାଙ୍କର ଶାନ୍ତ ମାର୍ଗଦର୍ଶନ ଓ ସକାରାତ୍ମକ ଦୃଷ୍ଟିକୋଣ ସମାଜରେ ଶାନ୍ତି ଓ ସଦ୍ଭାବନା ସୃଷ୍ଟି କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା। ଆଧ୍ୟାତ୍ମିକତା କ୍ଷେତ୍ରରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ସବୁଦିନ ପାଇଁ ସ୍ମରଣୀୟ ରହିବ। ଏହି ଦୁଃଖଦ ସମୟରେ ବ୍ରହ୍ମାକୁମାରୀ ପରିବାର ଏବଂ ତାଙ୍କର ଅନୁଗାମୀମାନଙ୍କ ପ୍ରତି ମୋର ସମବେଦନା। ତାଙ୍କ ଦିବ୍ୟ ଆତ୍ମାକୁ ସଦଗତି ମିଳୁ।

୧୯୪୦ ମସିହା ଜାନୁଆରୀ ୧୭ ତାରିଖରେ ଉତ୍ତର ପ୍ରଦେଶର ଫିରୋଜାବାଦରେ ରାଜଯୋଗିନୀ ଡ. କମଳେଶ ଦିଦିଜି ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ପ୍ରୟାଗଦାସ ଗୁପ୍ତା ଓ ମା' କଳାବତି ଗୁପ୍ତା। ସମାଜସେବା ଓ ଅଧ୍ୟାତ୍ମିକତା ଦିଗରେ ସେ ତାଙ୍କ ଜୀବନକୁ ଉତ୍ସର୍ଗୀକୃତ କରିଥିଲେ। ୨୭ ବର୍ଷ ବୟସରେ ସେ ବ୍ରହ୍ମକୁମାରୀରେ ଯୋଗ ଦେଇଥିଲେ। ୧୯୭୩ ମସିହା ଅଗଷ୍ଟ ମାସରେ ସେ ଓଡ଼ିଶା ଆସି କଟକର ତଳ ତେଲେଙ୍ଗା ବଜାରରେ ଏକ ଛୋଟିଆ ଭଡା ଘରୁ ଈଶ୍ଵରୀୟ ସେବା ଆରମ୍ଭ କରିଥିଲେ।କଟକରେ ପ୍ରଥମ ବ୍ରହ୍ମକୁମାରୀ ସେଣ୍ଟର ପ୍ରତିଷ୍ଠା କରିଥିଲେ। ଏହାପରେ ତାଙ୍କର ନିରନ୍ତର ଚେଷ୍ଟାରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବ୍ରହ୍ମକୁମାରୀ ସେଣ୍ଟର ଖୋଲିବାକୁ ଲାଗିଥିଲା।ଯାହା ଓଡ଼ିଶାରେ ବ୍ରହ୍ମକୁମାରୀ ଇଶ୍ବରୀୟ ସେବାର ଏବେ ଏକ ମହାଦୃମରେ ପରିଣତ ହୋଇଛି।

ଦିଦିଜୀ ଆଧ୍ୟାତ୍ମିକ କାର୍ଯ୍ୟ ବ୍ୟତୀତ, ସେ ଭାରତ ଏକତା ଯୁବ ଯାତ୍ରା, ସାସ୍ୱତ ଯୋଗୀ କୃଷି ସଚେତନତା ଅଭିଯାନ, ଶାନ୍ତି ଯାତ୍ରା, ରକ୍ତଦାନ ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ ଏବଂ ବନ୍ୟା ଏବଂ ବାତ୍ୟା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ଭଳି ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ସାମିଲ ଥିଲେ। ସେ ବିଶ୍ୱ ନବନିର୍ମାଣ ଆଧ୍ୟାତ୍ମିକ ମଣ୍ଡଳୀ ମଧ୍ୟ ଆୟୋଜନ କରିଥିଲେ। ନିସ୍ଵାର୍ଥପର ସମାଜ ସେବା ପାଇଁ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନିତ ହୋଇଥିଲେ। 

​​​​​​​

ଗତ କିଛି ଦିନ ହେବ ବ୍ରହ୍ମକୁମାରୀ କମଳେଶ ଦିଦି ବାର୍ଦ୍ଧକ୍ୟ ଜନିତ ରୋଗରେ ଆକ୍ରାନ୍ତ ଥିଲେ। ଅନ୍ତିମ ସମୟ ପର୍ଯ୍ୟନ୍ତ କମଳେଶ ଦିଦି ସକ୍ରିୟ ଥିଲେ। ଆଜି ମଧ୍ୟ ତାଙ୍କର ଦିନଚର୍ଯ୍ୟା ସ୍ବାଭାବିକ ରହିଥିଲା। ଶନିବାର ସକାଳୁ ଦେହତ୍ୟାଗର ଅଳ୍ପ ସମୟ ପୂର୍ବରୁ ସେ ଅନ୍ତିମ ସମୟ ଜାଣିପାରି ସଙ୍କେତ ଦେବା ସହ ମୋତେ ଆଜି ହିଁ ଯିବାର ଅଛି କହିଥିଲେ। ଏନେଇ ବ୍ରହ୍ମକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟର କଟକ ସବଜୋନର ଅତିରିକ୍ତ ନିର୍ଦ୍ଦେଶିକା ରାଜଯୋଗିନୀ ବ୍ରହ୍ମକୁମାରୀ ସୁଲୋଚନା ଦିଦି ସୂଚନା ଦେଇଛନ୍ତି।