ମସ୍ତିଷ୍କ ବିକାଶରେ ବାଧକ ମଦ

source:www.iamexpat.nl
କୈଶୋର ଓ ଯୁବାବସ୍ଥାରେ ଅତ୍ୟଧିକ ମାତ୍ରାରେ ମଦ୍ୟପାନ ଦ୍ୱାରା ମସ୍ତିଷ୍କ ବିକାଶ ହାର କମିଯାଏ ବୋଲି ନୂଆ ଅଧ୍ୟୟନରୁ ଜଣାପଡ଼ିଛି । ମାଙ୍କଡ଼ମାନଙ୍କଠାରେ ହୋଇଥବିା ଏହି ଅଧ୍ୟୟନ ଇନ୍ୟୁରୋ ପତିକ୍ରାରେ ପ୍ରକାଶ ପାଇଛି । ଭାରି ମାତ୍ରାରେ ମଦ୍ୟପାନ ଦ୍ୱାରା ଶରୀର ଓଜନର ଏକ କିଲୋଗ୍ରାମ୍ ପିଛା ଏକ ଗ୍ରାମ ହିସାବରେ ବର୍ଷକୁ ୦.୨୫ ମିଲିଲିଟର ହାରରେ ମସ୍ତିଷ୍କ ବିକାଶ ହ୍ରାସପାଏ ବୋଲି ଅଧ୍ୟୟନରୁ ଜଣାପଡ଼ିଛି । ମଣିଷଙ୍କଠାରେ ଏହା ଦିନକୁ ୪ଟି ବିଅର୍ ସହ ସମାନ । ଓରେଗନ୍ ନ୍ୟାସନାଲ୍ ପ୍ରାଇମେଟ୍ ରିସର୍ଚ୍ଚ ସେଣ୍ଟରରେ ରିସସ୍ ମକାକ ମାଙ୍କଡ଼ ଉପରେ ଏହି ଅଧ୍ୟୟନ କରାଯାଇଛି ।
ମ୍ୟାଗ୍ନେଟିକ୍ ରିଜୋନାନ୍ସ ଇମେଜିଂ ମାଧ୍ୟମରେ ସ୍ୱେଚ୍ଛୋକୃତ ଭାବେ ଏଥାନଲ୍ କିମ୍ବା ମଦ୍ୟପାନ କରିଥିବା ୭୧ଟି ରିସସ୍ ମକାକଙ୍କ ମସ୍ତିଷ୍କ ବିକାଶକୁ ବୈଜ୍ଞାନିକମାନେ ମାପିଥିଲେ । ଖାଇବା, ପିଇବା, ସ୍ୱାସ୍ଥ୍ୟ ଆଦି ମାପିବା ପରେ ସେମାନେ ଏହି ନିଷ୍କର୍ଷରେ ପହଞ୍ଚିଥିଲେ । ତେବେ ମାନସିକ କାର୍ଯ୍ୟକଳାପ ଉପରେ ମଦ୍ୟପାନର ଦୀର୍ଘକାଳୀନ ପ୍ରଭାବ ରହିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ । ପରବର୍ତ୍ତୀ ପର୍ଯ୍ୟାୟରେ ଏ ସମ୍ପର୍କରେ ବିସ୍ତୃତ ଅଧ୍ୟୟନ ହେବ ବୋଲି ଗବେଷଣାର ମୁଖ୍ୟ ଲେଖକ ତାତିଆନା ଶ୍ନିଟ୍କୋ କହିଛନ୍ତି ।