ନୂଆଦିଲ୍ଲୀ ୧୫/୦୩: ନିକଟରେ ପିଲିଭିତର ଜଣେ ବ୍ରେନ୍ ଡେଡ୍ ମହିଳାଙ୍କ ମାମଲା ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ତାଙ୍କୁ ବଞ୍ଚାଇବାର ସମସ୍ତ ଚେଷ୍ଟା କରି ବିଫଳ ହେବା ପରେ ଡାକ୍ତର ତାଙ୍କୁ ଘରକୁ ନେଇଯିବାକୁ ପରିବାରକୁ କହିଥିଲେ । ତେବେ ଜାତୀୟ ରାଜପଥ-୭୪ରେ ମହିଳାଙ୍କୁ ଆମ୍ବୁଲାନ୍ସରେ ନେବା ସମୟରେ ଗାଡ଼ି ଏକ ବଡ଼ ଖାଲରେ ପଡ଼ିଗଲା । ହଠାତ୍ ମହିଳାଙ୍କ ଶ୍ୱାସକ୍ରିୟା ଚାଲୁ ହୋଇଗଲା । ଏହା ଦେଖି ସ୍ୱାମୀ ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନେଲେ। ସେଠାରେ ଚିକିତ୍ସା ପରେ ମହିଳା ନିକଟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଏହି ଘଟଣା ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବା ପରେ ନ୍ୟାସନାଲ ଅଥରିଟି ଅଫ୍ ଇଣ୍ଡିଆ (ଏନ୍ଏଚ୍ଏଆଇ) ଏକ ଚିଠି ଲେଖିଥିଲା । ଏଥିରେ କର୍ତ୍ତୃପକ୍ଷମାନେ କହିଥିଲେ, ଉକ୍ତ ଅଞ୍ଚଳର ରାଜପଥ ଖାଲଖମା ଓ ଟ୍ରାଫିକ୍ ସମସ୍ୟା-ରହିତ । ନିର୍ଦ୍ଧାରିତ ମାନଦଣ୍ଡ ଅନୁସାରେ ରାଜପଥର ରକ୍ଷଣାବେକ୍ଷଣ କରାଯାଉଛି । ଏନ୍ଏଚ୍ଏଆଇ ଚିଠିରେ ଆହୁରି କହିଥିଲା, ବ୍ରେନ୍ ଡେଡ୍ ମହିଳାଙ୍କ ଜୀବନ ରାସ୍ତାର ଖାଲ ପାଇଁ ରକ୍ଷା ହୋଇନଥିଲା, ବରଂ ହସ୍ପିଟାଲରୁ ଘରକୁ ନେବା ସମୟରେ ହଠାତ୍ ତାଙ୍କ ଶ୍ୱାସକ୍ରିୟା ହେବାକୁ ଲାଗିଥିଲା ।
କିନ୍ତୁ ବରେଲୀରୁ ପିଲିଭିତ ମଧ୍ୟରେ ରିଠୌରା, ହାଫିଜଗଞ୍ଜ ଓ ନୱାବଗଞ୍ଜ ମାର୍ଗରେ ଅନେକ ପ୍ୟାଚ୍, ଖାଲ ଓ ଫାଟ ଦେଖିବାକୁ ମିଳିଛି । ରାଜପଥର କିଛି ସ୍ଥାନରେ କାମ ଚାଲିଥିବା ବେଳେ ଆଂଶିକ ଭାବେ ଶେଷ ହୋଇଥିବା ସ୍ଥାନରେ ଟ୍ରାଫିକ୍ ଚାଲୁଛି । ପିଲିଭିତ ବାସିନ୍ଦା ୫୦ ବର୍ଷୀୟା ବିନିତାଙ୍କ ପରିବାର ରାସ୍ତାରେ ଖାଲ ଯୋଗୁ ବିନିତାଙ୍କ ଜୀବନ ବଞ୍ଚିଥିବା କହିବା ପରେ ଏହି ମାର୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହେଲା । ବିନିତାଙ୍କ ପରିବାର ଅନୁସାରେ, ବରେଲୀ ସ୍ଥିତ ହସ୍ପିଟାଲରୁ ପିଲିଭିତକୁ ଫାଟ ଓ ଖାଲଖମାଯୁକ୍ତ ମାର୍ଗରେ ଯାଉଥିବା ବେଳେ ଆମ୍ବୁଲାନ୍ସ ଚକା ଏକ ବଡ଼ ଖାଲରେ ପଡ଼ିବାରୁ ବିନିତାଙ୍କ ଶ୍ୱାସକ୍ରିୟା ହଠାତ୍ ଚାଲୁ ହୋଇଥିଲା । ତାଙ୍କ ତୁରନ୍ତ ପିଲିଭିତ ସ୍ଥିତ ଆଉ ଏକ ହସ୍ପିଟାଲରେ ଭର୍ତ୍ତି କରାଗଲା । ସେଠାରେ ସେ ସୁସ୍ଥ ହେଲେ ।
ଆହୁରି ପଢ଼ନ୍ତୁ...ରାସ୍ତାର ଗର୍ତ୍ତରେ ଝଟକା ଲାଗିବାରୁ ଘଟିଲା ଅଜବ ଘଟଣା, ଆମ୍ୱୁଲାନ୍ସ ଭିତରେ ‘ବ୍ରେନ୍ ଡେଡ୍ ’ମହିଳା ପୁଣି ଜୀବନ ଫେରି ପାଇଲେ