ଟିକେଟ ବଣ୍ଟାକୁ ନେଇ ହଙ୍ଗାମା, କଂଗ୍ରେସ ଭବନରେ ଭଙ୍ଗାରୁଜା

ଭୁବନେଶ୍ୱର,୨୨ା୩(ବ୍ୟୁରୋ): ଟିକେଟ ବଣ୍ଟାକୁ ନେଇ କଂଗ୍ରେସରେ ଉଗ୍ର ରୂପ ନେଇଛି ଅସନ୍ତୋଷ । ବିରୋଧକୁ ଓହ୍ଲାଇଛନ୍ତି ନିରାଶ ହୋଇଥିବା ଟିକେଟ ଆଶାୟୀଙ୍କ ସମର୍ଥକ । ରାଜ୍ୟ କଂଗ୍ରେସ ଭବନ ବାହାରେ ଧାରଣା ଦେବା ସହ ଭିତରେ ପଶି ଭଙ୍ଗାରୁଜା କରିଛନ୍ତି ।
ଶୁକ୍ରବାର ବିଳମ୍ବିତ ରାତିରେ କଂଗ୍ରେସ ଜାରି କରିଥିଲା ଟିକେଟ । ୨ଟି ଲୋକସଭା ଆସନ ସହ ୫୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା । ଏହି ଘୋଷଣା ପରେ ଆଜି ସନ୍ଧ୍ୟା ପ୍ରାୟ ୭ଟାବେଳେ ୫୦ରୁ ଅଧିକ ଯୁବକ ବାଇକ୍ରେ କଂଗ୍ରେସ ଭବନ ଭିତରକୁ ପଶିଥିଲେ । କଂଗ୍ରେସ ଭବନ ଭିତର ଗେଟ୍କୁ ପ୍ରଥମେ ତାଲା ପକାଇ ଦେଇଥିଲେ । ଏହା ପରେ ବାହାର ପାଶ୍ୱର୍ ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣାରେ ବସିଥିଲେ । ପିସିସି ସଭାପତିଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଏହା ପରେ ପୁଣି ପଶିଥିଲେ ଭିତରକୁ । ଭିତର ଗେଟ୍ ଖୋଲି କଂଗ୍ରେସ ଭବନ ତଳ ମହଲାରେ ଥିବା ରୁମ୍ରେ ପଶି ଟେବୁଲ୍, ଚେୟାର, ଟିଭି, କମ୍ପ୍ୟୁଟର ଭଙ୍ଗାରୁଜା କରିବା ସହ ଫାଇଲପତ୍ର, ପେପରକୁ ଫିଙ୍ଗାଫିଙ୍ଗି କରିଥିଲେ । ପ୍ରାୟ ଅଧ ଘଣ୍ଟା ଧରି ଏଭଳି ହୋହଲ୍ଲା, ନାରାବାଜି ଓ ଭଙ୍ଗାରୁଜା ଚାଲିଥିଲା । ଯିବାବେଳେ ସେମାନେ ମୁଖ୍ୟ ଫାଟକରେ ତାଲା ପକାଇଥିଲେ । ବହୁ ବିଳମ୍ବରେ ପୁଲିସ ପହଞ୍ଚିଥିଲା । ସେତେବେଳକୁ କେହି ନଥିଲେ ।
ଏକାମ୍ର ଭୁବନେଶ୍ୱରରର ଟିକେଟ ବଣ୍ଟନକୁ ନେଇ ଏଭଳି ହଙ୍ଗାମା ହୋଇଥିବା କୁହାଯାଉଛି । ପୁଲିସର କହିବାନୁଯାୟୀ ଏକାମ୍ର ଭୁବନେଶ୍ୱର ନିର୍ବାଚନମଣ୍ଡଳୀ ପାଇଁ କଂଗ୍ରେସ ଟିକେଟ ପାଇଁ ଆଶାୟୀ ଥିଲେ ଅମିର ମହମ୍ମଦ । ମାତ୍ର ଗତକାଲି ରଶ୍ମି ମହାପାତ୍ରଙ୍କୁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅମିରଙ୍କ ସମର୍ଥକମାନେ ଅସନ୍ତୋଷ ଜାହିର କରିବାକୁ ଯାଇ ଏଭଳି ହଙ୍ଗାମା କରିଥିବା ପୁଲିସ କହିଛି । ଏ ନେଇ କାହାରି ମତାମତ ମିଳିପାରିନାହିଁ ।