ରିଓ ଡି ଜେନେରୋ,୦୭/୦୭: ଭାରତକୁ ଏକ ବଡ଼ କୂଟନୈତିକ  ସଫଳତା ମିଳିଛି । ବ୍ରାଜିଲରେ  ରବିବାର ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ  ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣକୁ  ଗଭୀର ନିନ୍ଦା କରିଛନ୍ତି । ରୁଷ୍‌,  ଚୀନ୍‌, ବ୍ରାଜିଲ, ଭାରତ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇଜିପ୍ଟ,  ଇଥିଓପିଆ, ଇରାନ୍‌ ଆଦି ବ୍ରିକ୍ସ ରାଷ୍ଟ୍ରର  ନେତାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ  ସେମାନେ ସବୁ ପ୍ରକାର ଆତଙ୍କବାଦକୁ  ତୀବ୍ର ବିରୋଧ କରନ୍ତି । ସେମାନେ  ଆତଙ୍କୀଙ୍କ ସୀମାପାର ଅନୁପ୍ରବେଶ,  ପାଣ୍ଠି ଯୋଗାଣକୁ ନିନ୍ଦା କରିବା ସହ ସେମାନଙ୍କ ଆଡ୍ଡାକୁ ଧ୍ୱଂସ କରିବା  ଜରୁରି ବୋଲି ଦର୍ଶାଇଛନ୍ତି । 

ସେହିଭଳି  ଜାତିସଂଘ ଯେଉଁସବୁ ଆତଙ୍କବାଦୀ ଓ  ଆତଙ୍କୀ ସଙ୍ଗଠନ ଉପରେ ବ୍ୟାନ୍‌  ଲଗାଇଛି, ସେମାନଙ୍କ ବିରୋଧରେ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବା ଉଚିତ ବୋଲି ରାଷ୍ଟ୍ରଗୁଡ଼ିକ  ମତପୋଷଣ କରିଛନ୍ତି । ବ୍ରିକ୍ସ  ସମ୍ମିଳନୀରେ ଆଜି ନେତାମାନେ  ୩୧ ପୃଷ୍ଠା ଓ ୧୨୬ ସୂତ୍ରୀ ମିଳିତ  ଘୋଷଣାନାମା ଜାରି କରିଛନ୍ତି ।  ଏଥିରେ ସେମାନେ ଦର୍ଶାଇଛନ୍ତି  ଯେ ଆତଙ୍କବାଦକୁ କୌଣସି ଧର୍ମ,  ଜାତି କିମ୍ବା ଦେଶ ସହ ଯୋଡ଼ାଯିବା  ଉଚିତ ନୁହେଁ । ଯେଉଁ ଲୋକମାନେ  ଆତଙ୍କବାଦରେ ସାମିଲ ଅଛନ୍ତି  ଏବଂ ଏହାର ସମର୍ଥନ କରୁଛନ୍ତି  ସେମାନଙ୍କୁ ଦଣ୍ଡ ମିଳିବା ଉଚିତ ।  ଆତଙ୍କବାଦ ବିରୋଧରେ ସମସ୍ତ  ଦେଶକୁ ଏକଜୁଟ ହୋଇ କାର୍ଯ୍ୟ  କରିବା ଆବଶ୍ୟକ । ଏଥିରେ  ଦ୍ୱୈତ ମାନଦଣ୍ଡକୁ ଆଦୌ ଗ୍ରହଣ  କରାଯିବ ନାହିଁ । ଅନ୍ତର୍ଜାତୀୟ  ଆଇନ ଓ ଜାତିସଂଘର ନିୟମ ଅନୁସାରେ ଆତଙ୍କବାଦର ମୁକାବିଲା  କରାଯିବା ଜରୁରି ବୋଲି ଏଥିରେ ଦର୍ଶାଯାଇଛି ।  

ମିଳିତ ଘୋଷଣାନାମାର ଅନୁଚ୍ଛେଦ ୩୪ରେ  ଲେଖାଯାଇଛି, ‘‘ଆମେ ୨୦୨୫ ଏପ୍ରିଲ ୨୨ରେ  ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ହୋଇଥିବା  ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରୁଛୁ,  ଯେଉଁଥିରେ ଅତିକମ୍‌ରେ ୨୬ ଲୋକ ପ୍ରାଣ  ହରାଇଥିଲେ । ଅନେକ ଆହତ ହୋଇଥିଲେ ।’’  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ  ଉଦ୍‌ବୋଧନ ଦେଇ ଆତଙ୍କବାଦ ମାନବତା ପାଇଁ  ବଡ଼ ଚ୍ୟାଲେଞ୍ଜ୍‌ ବୋଲି ଅଭିହିତ କରିଥିଲେ ।