ରିଓ ଡି ଜେନେରୋ,୦୭/୦୭: ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ବ୍ରାଜିଲରେ ରବିବାର ଅନୁଷ୍ଠିତ ସପ୍ତଦଶ ବ୍ରିକ୍ସ ସମ୍ମିଳନୀରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ଗଭୀର ନିନ୍ଦା କରିଛନ୍ତି । ରୁଷ୍, ଚୀନ୍, ବ୍ରାଜିଲ, ଭାରତ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଇଜିପ୍ଟ, ଇଥିଓପିଆ, ଇରାନ୍ ଆଦି ବ୍ରିକ୍ସ ରାଷ୍ଟ୍ରର ନେତାମାନେ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେମାନେ ସବୁ ପ୍ରକାର ଆତଙ୍କବାଦକୁ ତୀବ୍ର ବିରୋଧ କରନ୍ତି । ସେମାନେ ଆତଙ୍କୀଙ୍କ ସୀମାପାର ଅନୁପ୍ରବେଶ, ପାଣ୍ଠି ଯୋଗାଣକୁ ନିନ୍ଦା କରିବା ସହ ସେମାନଙ୍କ ଆଡ୍ଡାକୁ ଧ୍ୱଂସ କରିବା ଜରୁରି ବୋଲି ଦର୍ଶାଇଛନ୍ତି ।
ସେହିଭଳି ଜାତିସଂଘ ଯେଉଁସବୁ ଆତଙ୍କବାଦୀ ଓ ଆତଙ୍କୀ ସଙ୍ଗଠନ ଉପରେ ବ୍ୟାନ୍ ଲଗାଇଛି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ରାଷ୍ଟ୍ରଗୁଡ଼ିକ ମତପୋଷଣ କରିଛନ୍ତି । ବ୍ରିକ୍ସ ସମ୍ମିଳନୀରେ ଆଜି ନେତାମାନେ ୩୧ ପୃଷ୍ଠା ଓ ୧୨୬ ସୂତ୍ରୀ ମିଳିତ ଘୋଷଣାନାମା ଜାରି କରିଛନ୍ତି । ଏଥିରେ ସେମାନେ ଦର୍ଶାଇଛନ୍ତି ଯେ ଆତଙ୍କବାଦକୁ କୌଣସି ଧର୍ମ, ଜାତି କିମ୍ବା ଦେଶ ସହ ଯୋଡ଼ାଯିବା ଉଚିତ ନୁହେଁ । ଯେଉଁ ଲୋକମାନେ ଆତଙ୍କବାଦରେ ସାମିଲ ଅଛନ୍ତି ଏବଂ ଏହାର ସମର୍ଥନ କରୁଛନ୍ତି ସେମାନଙ୍କୁ ଦଣ୍ଡ ମିଳିବା ଉଚିତ । ଆତଙ୍କବାଦ ବିରୋଧରେ ସମସ୍ତ ଦେଶକୁ ଏକଜୁଟ ହୋଇ କାର୍ଯ୍ୟ କରିବା ଆବଶ୍ୟକ । ଏଥିରେ ଦ୍ୱୈତ ମାନଦଣ୍ଡକୁ ଆଦୌ ଗ୍ରହଣ କରାଯିବ ନାହିଁ । ଅନ୍ତର୍ଜାତୀୟ ଆଇନ ଓ ଜାତିସଂଘର ନିୟମ ଅନୁସାରେ ଆତଙ୍କବାଦର ମୁକାବିଲା କରାଯିବା ଜରୁରି ବୋଲି ଏଥିରେ ଦର୍ଶାଯାଇଛି ।
ମିଳିତ ଘୋଷଣାନାମାର ଅନୁଚ୍ଛେଦ ୩୪ରେ ଲେଖାଯାଇଛି, ‘‘ଆମେ ୨୦୨୫ ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମ୍ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରୁଛୁ, ଯେଉଁଥିରେ ଅତିକମ୍ରେ ୨୬ ଲୋକ ପ୍ରାଣ ହରାଇଥିଲେ । ଅନେକ ଆହତ ହୋଇଥିଲେ ।’’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିକ୍ସ ସମ୍ମିଳନୀରେ ଉଦ୍ବୋଧନ ଦେଇ ଆତଙ୍କବାଦ ମାନବତା ପାଇଁ ବଡ଼ ଚ୍ୟାଲେଞ୍ଜ୍ ବୋଲି ଅଭିହିତ କରିଥିଲେ ।