ଆଗ୍ରା,୧୨/୦୬: ଉତ୍ତରପ୍ରଦେଶର ଆଗ୍ରାରେ ଏକ ଅଜବ ଘଟଣା ଘଟିଛି । ବର ଘର ଲୋକଙ୍କ ପକ୍ଷରୁ ଠିକ୍‌ କରାଯାଇଥିବା ବିବାହ ମଣ୍ଡପରେ ଏସି ନଥିବାରୁ କନ୍ୟା ବିବାହ ଭାଙ୍ଗି ଦେଇଛନ୍ତି । 

ଶନିବାର ରାତିରେ ଶମଶାବାଦ ଟାଉନ୍‌ରେ ଏହି ଘଟଣା ଘଟିଥିଲା ।  ସେ ଦିନ ପ୍ରବଳ ଗରମ ହେଉଥିବାବେଳେ ବିବାହ ଲାଗି ବରଘର ଯେଉଁ ମଣ୍ଡପ ଠିକ୍‌  କରିଥିଲେ ସେଠାରେ ଏସି ଲାଗିନଥିଲା । ବାୟୁ ଚଳାଚଳର ଅନ୍ୟ ବ୍ୟବସ୍ଥା ବି ନ ଥିଲା ।  ତେଣୁ ଭାରୀ ପୋଷାକ ଓ ଗହଣାରେ ସୁସଜ୍ଜିତା କନ୍ୟା ପ୍ରବଳ ଝାଳ ବୋହିବା ପରେ  ମଣ୍ଡପରେ ଶ୍ୱାସରୁଦ୍ଧ ହୋଇଯିବା ଭଳି ଅନୁଭବ କରିଥିଲେ । ଏଭଳି ସ୍ଥିତିକୁ ଅଗ୍ରହଣୀୟ  ଓ ଅମାନବିକ ଦର୍ଶାଇ ସେ ବର ଘର ଲୋକଙ୍କ ନିକଟରେ ଏସିର ବ୍ୟବସ୍ଥା କରିବାକୁ  ଦାବି ରଖିଥିଲେ । ସେଥିଯୋଗୁ ଉଭୟ ପକ୍ଷ ମଧ୍ୟରେ ସାମାନ୍ୟ ଯୁକ୍ତିତର୍କ ହୋଇଥିଲା ।  ଇତିମଧ୍ୟରେ ଉତ୍‌କ୍ଷିପ୍ତ ହୋଇ ବର ଘର ଲୋକେ କନ୍ୟା ଓ ତାଙ୍କ ପକ୍ଷ ଲୋକଙ୍କ ବିରୋଧରେ କଟୁ ଭାଷା ପ୍ରୟୋଗ କଲେ । ସେଥିଯୋଗୁ ଉତ୍ତେଜନା ଏତେ ବଢ଼ିଗଲା ଯେ  କନ୍ୟା ଜଣକ ମଣ୍ଡପରୁ ଉଠି ଚାଲିଗଲେ । ଏଭଳି ପରିସ୍ଥିତିରେ ବିବାହ କରିବା ତାଙ୍କ  ଲାଗି ଅସମ୍ମାନଜନକ ହୋଇଥିବାବେଳେ ଏହି ବିବାହ ତାଙ୍କ ଜୀବନକୁ ନର୍କ କରିଦେବ  ବୋଲି ସେ କହିଲେ । 

ମାମଲାଟି ସେତିକିରେ ସରିଲା ନାହିଁ । କନ୍ୟାଙ୍କ ମା’ ବରଘର ଲୋକେ ଅତ୍ୟଧିକ ଯୌତୁକ ଦାବି କରିଥିବା ଦର୍ଶାଇ ପୁଲିସ ନିକଟରେ ଆନୁଷ୍ଠାନିକ ଭାବେ  ଅଭିଯୋଗ ମଧ୍ୟ କଲେ । ପୁଲିସ ଏହାପରେ ଉଭୟପକ୍ଷ ମଧ୍ୟରେ ମିଳାମିଶା ଲାଗି ଉଦ୍ୟମ  କରିଥିଲା । କିନ୍ତୁ କନ୍ୟା ବିବାହ ଲାଗି ରାଜି ହେଲେନାହିଁ । ରବିବାର ସକାଳୁ ପରିବାର ସହ ସେ ନିଜ ଘରକୁ ଫେରିଗଲେ । ପରବର୍ତ୍ତୀ ସମୟରେ ସେମାନେ ବରଘର ଲୋକଙ୍କୁ ବିବାହ ଆୟୋଜନ ବାବଦରେ ହୋଇଥିବା ଖର୍ଚ୍ଚ ଲାଗି ଟଙ୍କା ଦେଇଥିବା ସୂଚନା ମିଳିଛି।