ନୂଆଦିଲ୍ଲୀ,୬।୧୨: ଭାରତର ଚାପ ଭିତରେ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ବିରୋଧରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛି ବ୍ରିଟେନ୍। ୪ ଡିସେମ୍ବରରେ ଗୁରପ୍ରୀତ ସିଂହ ରେହଲ ନାମକ ଜଣେ ବ୍ୟକ୍ତି ଓ ବବର ଅକାଳୀ ଲହର ସଂଗଠନ ଉପରେ ଆତଙ୍କବାଦ ସହ ଜଡିତ ଅଭିଯୋଗ ଅନୁସାରେ କଟକଣା ଲଗାଇଛି ବ୍ରିଟେନ୍। ଏହି କାର୍ଯ୍ୟାନୁଷ୍ଠାନ ବିଶେଷ ଭାବରେ ବବର ଖାଲସା ଇଣ୍ଟରନ୍ୟାସନାଲ ନାମକ ବ୍ୟାନ୍ ହୋଇଥିବା ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ସମ୍ପର୍କ ନେଇ ହୋଇଥିଲା। ଏହି ପଦକ୍ଷେପ ଦ୍ବାରା ବ୍ରିଟେନର ଆର୍ଥିକ ପ୍ରଣାଳୀର ଦୂରୁପଯୋଗ କରୁଥିବ ଚରମପନ୍ଥୀଙ୍କୁ ଝଟକା ଲାଗିଛି। ଭାରତ-ବ୍ରିଟେନ୍ ଭିତରେ ଆତଙ୍କବାଦ ବିରୋଧି ସହଯୋଗକୁ ନୂଆ ଶକ୍ତି ମିଳିବ। ବ୍ରିଟେନ୍ ସରକାର କାଉଣ୍ଟର ଟେରରିଜିମ୍ ରେଗୁଲେସନ୍ ୨୦୧୯ ଅନୁସାରେ, ଏହି କଟକଣା ଲାଗୁ କରିଛନ୍ତି
ସମ୍ପତ୍ତି ଜବତ: ରେହଲ, ବବର ଅକାଳୀ ଲହର ଓ ଏ ସମ୍ପର୍କିତ କମ୍ପାନୀ ବ୍ରିଟେନରେ ଥିବା ସବୁ ସମ୍ପତ୍ତି, ଫଣ୍ଡ ଓ ଆର୍ଥିକ ସମ୍ବଳକୁ ତୁରନ୍ତ ଜବତ କରି ଦିଆଯାଇଛି। ବ୍ରିଟିସ୍ ନାଗରିକ କିମ୍ବା ସଂସ୍ଥା ସହ ଡିଲ୍ କରିବା କିମ୍ବା ତାଙ୍କୁ କିଛି ବି ଉପଲବ୍ଧ କରିବାର ଅନୁମତି ନାହିଁ। ଯେଉଁ ପର୍ଯ୍ୟନ୍ତ ଏଚ୍ଏମ୍ ଟ୍ରେଜରୀରୁ ଲାଇସେନ୍ସ ନମିଳିଛି।
କମ୍ପାନୀ ଉପରେ ପ୍ରଭାବ: ରେହଲ ସହ ଜଡିତ ସଂଗଠନ ସେଭିଂ ପଞ୍ଜାବ ସିଆଇସି, ହ୍ବାଇଟହକ୍ କନସଲଟେସନ୍ ଲିମିଟେଡ୍ ଓ ଅନଇନ୍କର୍ପୋରେଟେଡ୍ ସଂଗଠନ ଲୁହା ଡିଜାଇନ୍ ଉପରେ ବି କଟକଣା ଲଗାଇଛି।
ନିର୍ଦେଶକ ପଦରେ କଟକଣା: ଗୁରପ୍ରୀତ ସିଂହ ରେହଲଙ୍କୁ କୌଣସି କମ୍ପାନୀର ନିର୍ଦେଶକ ହେବା କିମ୍ବା ତାଙ୍କ ପରିଚାଳନାରେ ପ୍ରତ୍ୟକ୍ଷ/ପରୋକ୍ଷ ରୂପରେ ଭାଗ ନେବାକୁ ରୋକି ଦିଆଯାଇଛି। କଟକଣାର ଉଲଂଘନ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ କିମ୍ବା ୧୦ ଲକ୍ଷ ପାଉଣ୍ଡ ପର୍ଯ୍ୟନ୍ତ ଜରିମାନା ଲଗାଯାଇପାରେ। ଗୁରପ୍ରୀତ ରେହଲ ଉପରେ ଭାରତରେ ଆତଙ୍କବାଦ ଗତିବିଧିରେ ସମ୍ପୃକ୍ତ ସଂଗଠନ ସହ ଯୋଡି ହୋଇଥିବାର ଅଭିଯୋଗ ରହିଛି।
ବ୍ରିଟିସ୍ ସରକାରଙ୍କ କହିବା ଅନସାରେ, ସେ ବବର ଖାଲସା ଓ ବବର ଅକାଳୀ ଲହରର ଗତିବିଧିରେ ସକ୍ରିୟ ରୂପରେ ସାମିଲ ରହିଛି। ଏହି ଆତଙ୍କୀ ସଂଗଠନର ଗତିବିଧିରେ ସମୁହ ପ୍ରଚାର-ପ୍ରସାର ଓ ଭର୍ତ୍ତି-ଅଭିଯାନ ଚାଲିବା, ଆର୍ଥିକ ସେବା ପ୍ରଦାନ କରିବା, ହତିଆର ଓ ଅନ୍ୟ ସେନା ସାମଗ୍ରୀକୁ କିଣିବାରେ ସହାୟତା ଓ ଏଭଳି ସଂଗଠନକୁ ସମର୍ଥନ ଓ ସହଯୋଗ ଦେବା ସାମିଲ ରହିଛି। ବବର ଅକାଳି ଲହରକୁ ବବର ଖାଲସାର ସହଯୋଗୀ ସଂଗଠନ ବୋଲି ମନେକରାଯାଏ। ଏହା ଭର୍ତ୍ତି, ପ୍ରଚାର ଓ ଆତଙ୍କବାଦୀ ଗତିବିଧିକୁ ପ୍ରୋତ୍ସାହନ ଦେଇଥାଏ।