ନୂଆଦିଲ୍ଲୀ,୩୧।୧୦: ବ୍ରିଟିଶ ରାଜପରିବାରରେ ଘଟିଛି ଚକିତ କରିଦେବା ଭଳି ଘଟଣା। ବ୍ରିଟେନ ମହାରାଜା କିଙ୍ଗ ଚାର୍ଲସ୍ ନିଜର ସାନ ଭାଇ ପ୍ରିନ୍ସ ଆଣ୍ଡ୍ରୁଙ୍କ ଉପରେ ନେଇଛନ୍ତି ବଡ଼ ଆକ୍ସନ। ସେ ତାଙ୍କ ଭାଇଙ୍କଠାରୁ ‘ପ୍ରିନ୍ସ’ ଉପାଧି ଫେରାଇ ନେଇଛନ୍ତି। କେବଳ ସେତିକି ନୁହେଁ, ତାଙ୍କୁ ଓ୍ବିଣ୍ଡସର ପାଲେସରୁ ବାହାରି ଯିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ବର୍ମିଂହାମ୍ ପ୍ୟାଲେସ୍ରୁ ମିଳିଥିବା ସୂଚନା ଅନୁସାରେ ଯୌନ ଶୋଷଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଫରୀ ଏପଷ୍ଟିନ୍ଙ୍କ ସହ ଆଣ୍ଡ୍ରୁଙ୍କ ସମ୍ପର୍କ ଥିବା ଯୋଗୁଁ ତାଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆଣ୍ଡ୍ରୁଙ୍କ କାରଣରୁ କିଙ୍ଗ ଚାର୍ଲଙ୍କୁ ନିକଟରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ୬୫ ବର୍ଷୀୟ ପ୍ରିନ୍ସ ଆଣ୍ଡ୍ରୁ ହେଉଛନ୍ତି ରାଣୀ ଏଲିଜାବେଥ ଦ୍ୱିତୀୟ ଏବଂ ପ୍ରିନ୍ସ ଫିଲିପ୍ ଙ୍କ ତୃତୀୟ ପୁଅ। ଗତ କିଛି ବର୍ଷ ଧରି, ଆମେରିକୀୟ କୋଟିପତି ଏବଂ ଯୌନ ଶୋଷଣ ଅପରାଧୀ ଜେଫ୍ରି ଏପଷ୍ଟାଇନ ସହ ତାଙ୍କ ବନ୍ଧୁତ୍ବକୁ ନେଇ ବିବାଦରେ ଥିଲେ। ଏପ୍ଷ୍ଟାଇନ୍ ନାବାଳିକାଙ୍କୁ ଯୌନ ଶୋଷଣ ଏବଂ ସେକ୍ସ ଟ୍ରାଫିକିଂ ଅଭିଯୋଗରେ ଦୋଷୀ ଥିଲେ। ୨୦୧୯ ରେ ଜେଲରେ ଏପ୍ଷ୍ଟାଇନ୍ର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା।ଆଣ୍ଡ୍ରୁଙ୍କ ବିରୁଦ୍ଧରେ ଅଭିଯୋଗ ରହିଛି ସେ ଏପଷ୍ଟାଇନଙ୍କ ସହ ମିଶି ଭର୍ଜିନିଆ ରବର୍ଟସ୍ ଗିଫ୍ରେଙ୍କ ଯୌନ ଶୋଷଣ କରିଥିଲେ। ଏହି ସମୟରେ ଗ୍ରିଫେଙ୍କ ନାବାଳିକା ଥିଲେ । ଗିଫ୍ରେ ଚଳିତ ବର୍ଷ ଅପ୍ରେଲରେ ଆତ୍ମହତ୍ୟା କରିଥିଲେ। ତାଙ୍କର ଲିଖିତ ପୁସ୍ତକ 'ନୋବଡିଜ୍ ଗାର୍ଲ' ପ୍ରକାଶନ ପରେ ଜନସାଧାରଣଙ୍କ ମଧ୍ୟରେ କ୍ରୋଧ ପ୍ରକାଶ ପାଇଥିଲା। ସେ ଆଣ୍ଡ୍ରୁଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଥିଲେ। ସେ କହିଥିଲେ,୨୦୦୧ ରେ ତାଙ୍କୁ ୧୭ ବର୍ଷ ହୋଇଥିବା ବେଳେ ବ୍ରିଟିସ୍ ରାଜକୁମାର ତିନି ଥର ତାଙ୍କର ଯୌନ ଶୋଷଣ କରିଥିଲେ। ତେବେ ଆଣ୍ଡ୍ରିୟୁ ଏହି ଅଭିଯୋଗକୁ ଲଗାତାର ଖଣ୍ଡନ କରି ଆସୁଛନ୍ତି। ୨୦୨୨ରେ ଗିଫ୍ରେଙ୍କ ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ଆଣ୍ଡ୍ରୁ। ଏଥିପାଇଁ ତାଙ୍କୁ ପ୍ରଚୁର ପରିମାଣରର ଅର୍ଥ ପ୍ରଦାନ କରିବାକୁ ପ୍ରସ୍ତାବ ମଧ୍ୟ ଦେଇଥିଲେ। ଏହି ବିବାଦ ପୂର୍ବରୁ ଆଣ୍ଡ୍ରୁଙ୍କ ଠାରୁ ‘ଡ୍ୟୁକ୍ ଅଫ୍ ୟର୍କ‘ ଉପାଧି ତ୍ୟାଗ କରିବାକୁ ବାଧ୍ୟ କରାଯାଇଥିଲା।
ବର୍ତ୍ତମାନ, ବଢ଼ୁଥିବା ଜନସାଧାରଣ ଚାପ ଏବଂ ଗଣମାଧ୍ୟମରେ ସମାଲୋଚନା ମଧ୍ୟରେ, କିଙ୍ଗ ଚାର୍ଲ୍ସ ରାଜପରିବାରର ଭାବମୂର୍ତ୍ତିକୁ ସୁରକ୍ଷା ଦେବା ପାଇଁ ଏହି କଠୋର ପଦକ୍ଷେପ ନେଇଛନ୍ତି। କିଙ୍ଗ ଚାର୍ଲ୍ସ ମାମଲାରେ ତୁରନ୍ତ ହସ୍ତକ୍ଷେପ କରି ନିଜ ସାନ ଭାଇକୁ ନିର୍ଦେଶ ଦେଇଥିଲେ ତୁରନ୍ତ,ସେ ନିଜର ‘ପ୍ରିନ୍ସ’ ଉପାଧି ଫେରାଇ ଦିଅନ୍ତୁ। ଏହା ସହ ରାଜମହଲକୁ ମଧ୍ୟ ଛାଡିବାକୁ ନିର୍ଦେଶ ଦେଇଛନ୍ତି। ଯେଉଁଠାରେ ସେ ଗତ ଦୁଇ ଦଶନ୍ଧି ଧରି ରହୁଛନ୍ତି। ବଙ୍କିଙ୍ଗହାମ୍ ପ୍ୟାଲେସ ପକ୍ଷରୁ କୁହାଯାଇଛି ପ୍ରିନ୍ସ ଆଣ୍ଡ୍ରୁଙ୍କ ଶୈଳି,ଉପାଧି ଏବଂ ସମ୍ମାନ ହଟାଇବା ପାଇଁ ଆନୁଷ୍ଠାନିକ ପ୍ରକ୍ରିୟା ଆରମ୍ଭ ହୋଇଛି। ସେ ଏବେ 'ଣ୍ଡ୍ରୁ ମାଉଣ୍ଟବ୍ୟାଟେନ୍ ୱିଣ୍ଡସର' ନାମରେ ପରିଚିତ ହେବେ। ତାଙ୍କୁ ରୟାଲ ଲଜ୍ ରେ ଲିଜ୍ ସମାପ୍ତ କରିବାର ନୋଟିସ ଦିଆଯାଇଛି। ସେ ଏବେ ନର୍ଫୋକରେ ଥିବା କିଙ୍ଗ ଚାର୍ଲ୍ସଙ୍କ ବ୍ୟକ୍ତିଗତ ସମ୍ପତ୍ତି, ସାଣ୍ଡ୍ରିଂହାମ୍ ଇଷ୍ଟେଟ୍ କୁ ଯିବେ। ଏହା ଭିତରେ ଆଣ୍ଡ୍ରୁଙ୍କ ପାଇଁ ଆଶ୍ବସ୍ତିକର କଥା ହେଲା ତାଙ୍କ ଦୁଇ ଝିଅଙ୍କ ଉପାଧି ପୂର୍ବ ଭଳି ରହିବ। ପ୍ରିନ୍ସେସ୍ ବିଏଟ୍ରିସ ଓ ପ୍ରିନ୍ସେସ୍ ୟୁଜିନା ଏବେ ବି ‘ହର୍ ରୟାଲ୍ ହାଇନେସ୍’ ଭାବରେ ପରିଚିତ ହେବେ।