ନୂଆଦିଲ୍ଲୀ,୨/୩ : ମାଲିକାଣୀର ସବୁ କାମ କରୁଥିଲି । ଟିକେ ଯଦି ଭୁଲ୍ ଗାଳି କରନ୍ତି । ପ୍ରତିଦିନ ଏଭଳି ଗାଳି କରୁଥିଲେ ମୁଁ ଜମା ସହିପାରୁନଥିଲି । ଟଙ୍କା ଦେଉଛନ୍ତି ବୋଲି ଯାହା କହିଲେ ସହିଯିବି ନାଁ କ’ଣ ? ଆଉ ସହିପାରିଲିନି ପୁଅସହ ମିଶି ମାରିଦେଲି । ଉତ୍ତରପ୍ରଦେଶରେ ମାଲିକାଣୀଙ୍କୁ ହତ୍ୟା କରିଥିବା ଜଣେ ଘରୋଇ ସହାୟକ ଏଭଳି କହିଛନ୍ତି । ପୁଲିସ ଅଭିଯୁକ୍ତ ମାଆ ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଘରୋଇ ସହାୟିକାଙ୍କ ଚୁଡ଼ି ସେମାନଙ୍କୁ ଧରା ପକାଇ ଦେଇଥିଲା । ସେପଟେ ଏହି ଘଟଣାକୁ ନେଇ ତଦନ୍ତ ଜାରି ରଖିଛି ପୁଲିସ ।

ଗତ ଫେବୃଆରୀ ୨୫ ତାରିଖ ରାତିରେ ଘଟିଛି ଏହି ଘଟଣା । ଆଶା ନାମକ ମହିଳା ତାଙ୍କ ୨୭ ବର୍ଷୀୟ ପୁଅ ସହ ମିଶି କାମ କରୁଥିବା ମାଲିକାଣୀଙ୍କୁ ତକିଆ ଚାପି ମାରି ଦେଇଛନ୍ତି । ଶ୍ବାଶରୁଦ୍ଧ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ତକିଆ ଚପୁଥିବାବେଳେ ଆଶାଙ୍କ ହାତରୁ ଗୋଟିଏ ଚୁଡ଼ି ସେଠାରେ ପଡ଼ି ଯାଇଥିଲା । ପୁଲିସ ତଦନ୍ତ କରୁଥିବାବେଳେ ଏହାକୁ ଦେଖି ଅଭିଯୁକ୍ତଙ୍କ ପାକରେ ସହଜରେ ପହଞ୍ଚି ପାରିଥିଲା । ଅଭିଯୁକ୍ତ ମାଆ ପୁଅ ହତ୍ୟା କରିବା ପରେ ତାଙ୍କ ଘରୁ ଚୋରି ମଧ୍ୟ କରିଥିବା କୁହାଯାଉଛି ।

ମୃତ ମାଲିକାଣୀ ହେଉଛନ୍ତି କିରଣ । ସେ ଅସୁସ୍ଥ ଥିବାବେଳେ ଘରର କାମ ସହ ତାଙ୍କର ସେବା ପାଇଁ ଆଶାଙ୍କୁ ଘରେ ରଖିଥିଲେ । କାମରେ ଅବହେଳା ପାଇଁ ସବୁବେଳେ ଆଶାଙ୍କୁ କିରଣ ଗାଳି କରୁଥିଲେ । ଯାହାକୁ ସେ ସହ୍ୟ କରିପାରିଲେ ନାହିଁ । ଆଉ ପୁଅକୁ ଡାକି ହତ୍ୟା କରିଥିଲେ । ମାତ୍ର ହାତରୁ ଭାଙ୍ଗିଥିବା ଭଙ୍ଗା ଚୁଡ଼ି ତାଙ୍କୁ ଧରା ପକାଇ ଦେଇଥିଲା । ଏବେ ଉଭୟ ଜେଲରେ ଥିବାବେଳେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଏହାସହ ପଢ଼ନ୍ତୁ : ଭାରତ-ଇଂଲଣ୍ଡ ମ୍ୟାଚ ସମୟରେ ହେବ କି ପରିବର୍ତ୍ତନ ? ଜାଣନ୍ତୁ ସେମି ପାଇଁ କ’ଣ ରହିଛି ଆଇସିସି ନିୟମ