ଭାଇକୁ ଖଣ୍ଡ ଖଣ୍ଡ କରି ହତ୍ୟା ମାମଲାର ପର୍ଦ୍ଦାଫାଶ, ୮ ବର୍ଷ ପରେ ଭଉଣୀ ଗିରଫ

ବେଙ୍ଗାଲୁରୁ,୨୦/୦୩: ପ୍ରାୟ ୮ ବର୍ଷ ତଳେ ୩ଟି ଜରି ବ୍ୟାଗରେ ଭର୍ତ୍ତି ହୋଇଥିବା ମଣିଷର ଖଣ୍ଡବିଖଣ୍ଡିତ ଅଂଶ ବିଭିନ୍ନ ସ୍ଥାନରେ ଫିଙ୍ଗା ଯାଇଥିବା ଦେଖିବା ପରେ ଦକ୍ଷିଣ ବେଙ୍ଗାଲୁରୁ ଜିଗାନି ଅଞ୍ଚଳର ଲୋକମାନେ ସ୍ତବ୍ଧ ହୋଇଯାଇଥିଲେ । ପୁଲିସ ସେହି ଖଣ୍ଡବିଖଣ୍ଡିତ ମାଂସକୁ ଜବତ କରିଥିଲେ ମଧ୍ୟ ମୁଣ୍ଡ ପାଇନଥିଲା । କିନ୍ତୁ ପୁଲିସ ଆଶା ହରାଇନଥିଲା । ଗତକାଲି ପୁଲିସ ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ପରଦା ଉଠାଇବା ସହ ଜଣେ ମହିଳା ଓ ତାଙ୍କ ପୁରୁଷ ବନ୍ଧୁଙ୍କୁ ଗିରଫ କରିଛି ।
ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ଦେବାକୁ ଯାଇ ପୁଲିସ କହିଛି କି ଗିରଫ ହୋଇଥିବା ମହିଳା ଜଣକ ହେଲେ ଭାଗ୍ୟଶ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ ଶିବପୁତ୍ର । ହତ୍ୟାର ଶିକାର ହୋଇଥିଲେ ଭାଗ୍ୟଶ୍ରୀଙ୍କ ଭାଇ ଲିଙ୍ଗାରାଜୁ ସିଦ୍ଦପା ପୁଜାରୀ । ଭାଗ୍ୟଶ୍ରୀଙ୍କ ପରିବାର ବିଜୟପୁରା ଜିଲ୍ଲାରେ ରହୁଥିଲେ । ଭାଗ୍ୟଶ୍ରୀ କଲେଜ ବଢ଼ିବା ବେଳୁ ଶିବପୁତ୍ରଙ୍କ ସହ ସମ୍ପର୍କ ଯୋଡି ହୋଇଥିଲା । କିନ୍ତୁ ୨୦୧୫ରେ ଉଭୟେ ଜିଗାନି ପଳାଇ ଆସିଥିଲେ ଏବଂ ସେଠାରେ କାମ କରିବା ସହ ଘରଭଡ ନେଇ ରହୁଥିଲେ । ଲିଙ୍ଗାରାଜୁ ହଠାତ ଦିନେ ଭଉଣୀ ପାଖକୁ ଆସିବା ପରେ ସେଠାରେ ଶିବପୁତ୍ରକୁ ଦେଖିବାକୁ ପାଇଥିଲେ । ଯାହାକୁ ନେଇ ସେମାନଙ୍କ ଭିତରେ ଝଗଡା ହୋଇଥିଲା ।
ଏଥିରେ ଉତ୍କ୍ଷିପ୍ତ ହୋଇ ଭାଗ୍ୟଶ୍ରୀ ଓ ଶିବପୁତ୍ର ମିଳିତ ଭାବେ ଲିଙ୍ଗାରାଜୁଙ୍କୁ ତଣ୍ଟିଚିପି ହତ୍ୟା କରିଥିଲେ । ପରେ ମୃତଦେହକୁ କାଟି ଖଣ୍ଡ ଖଣ୍ଡ କରିବା ପରେ ଜରି ପ୍ୟାକେଟରେ ପୁରାଇ ଫିଙ୍ଗି ଦେବା ସହ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଭାଗ୍ୟଶ୍ରୀ ଓ ଶିବପୁତ୍ର ମହାରାଷ୍ଟ୍ରର ନାସିକରେ ରହୁଥିବା ନେଇ ପୁଲିସକୁ ନିକଟରେ ସୂଚନା ମିଳିଥିଲା । ଏକଥା ମଧ୍ୟ ଜଣାପଡିଥିଲା କି ସେମାନେ ସେଠାରେ ନିଜର ପରିଚୟ ବଦଳାଇ ନୂଆ ପରିଚୟରେ ରହୁଛନ୍ତି । ଫଳରେ ଜିଗାନୀ ପୁଲିସର ଏକ ଟିମ୍ ସେଠାକୁ ଯାଇ ଉଭୟଙ୍କୁ ଗିରଫ କରିବା ପରେ ଏହି ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଥିଲା ।