ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ରାମଲି ଜିଲ୍ଲା ବାବରି ଥାନା ଅଞ୍ଚଳରେ ଶିବ କୁମାରଙ୍କ ହତ୍ୟାକାଣ୍ଡ । ଗୁଳି କରି ହତ୍ୟା କରାଯାଇଥିବାବେଳେ ସ୍ତ୍ରୀ ଆକାଂକ୍ଷା ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ମୋ ଭାଇ ହିଁ ଗୁଳି କରି ହତ୍ୟା କରିଛି । ମାମା, ମାମୁଁଙ୍କ ପରିବାରର ଅନ୍ୟ ସଦସ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ଆଉ ସେମାନେ ମୋତେ ମଧ୍ୟ ମାରି ଦେଇଥାନ୍ତେ ବୋଲି କହିଛନ୍ତି । ମୋ ପରିବାର ଲୋକଙ୍କୁ ଫାଶୀ ଦେଇଦିଅ ବୋଲି ଅଭିଯୋଗ କରିଛନ୍ତି ।

କହି ରଖୁଛୁ କି, ପୁଲିସ ନିଯୁକ୍ତି ପରୀକ୍ଷା ଦେବାକୁ ଯାଇଥିଲେ ଆକାଂକ୍ଷା । ସ୍ବାମୀଙ୍କ ସହ କାରରେ ଯାଇଥିଲେ । ପରୀକ୍ଷା ସରିବା ପରେ ସେମାନେ ଫେରୁଥିଲେ । ହାଇଓ୍ବେରେ ପୂର୍ବ ଯୋଜନା ଅନୁସାରେ ପରିବାର ଲୋକେ ମାରିବା ପାଇଁ ଚାହିଁ ବସିଥିଲେ । ଆଉ ମୋ ଭାଇ ଗାଡ଼ିର ଝରକାରେ ମୋ ସ୍ବାମୀଙ୍କୁ ଗୁଳି କରିଥିଲା । ଆମେ ତିନି ମାସ ହେବ ପ୍ରେମ ବିବାହ କରିଥିଲୁ । ଯାହାକୁ ପରିବାର ଲୋକେ ବିରୋଧ କରି ଆସୁଥିଲେ । ସେମାନେ ରାଗରେ ଏଭଳି କରିଛନ୍ତି । ମୋ ମାମା ମଧ୍ୟ କହୁଥିଲେ ତାକୁ ମଧ୍ୟ ମାରିଦିଏ । ମୁଁ ଅଳ୍ପକେ ବର୍ତ୍ତିଗଲି ସତ ସେମାନେ ମୋ ସ୍ବାମୀଙ୍କୁ ମାରିଦେଲେ ।

ଏହାସହ ଆକାଂକ୍ଷା ଅଭିଯୋଗ କରିଛନ୍ତି କି, ପୂର୍ବରୁ ଆମକୁ ମାରିଦେବାକୁ ମୋ ପରିବାର ଲୋକେ ଫୋନରେ ଧମକ ଦେଉଥିଲେ । ମାରିବା ପାଇଁ ପରିବାରର ସମସ୍ତ ସଦସ୍ୟ ଚାଲିଆସିଥିଲେ । ସେମାନଙ୍କୁ କଠୋର ଦଣ୍ଡ ଦିଅନ୍ତୁ ବୋଲି କହିଛନ୍ତି । ସେପଟେ ଶିବ କୁମାରଙ୍କ ଭାଇ ମଧ୍ୟ ଏହି ଘଟଣାରେ ଆକାଂକ୍ଷାଙ୍କ ପରିବାର ଲୋକଙ୍କ ସମ୍ପୃକ୍ତି ଥିବାନେଇ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ସେପଟେ ଆକାଂକ୍ଷାଙ୍କ ପରିବାର ଲୋକେ ଏବେ ଫେରାର ଅଛନ୍ତି ।