PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ: ପ୍ରଥମ ଦିନରେ ଶୋକ ପ୍ରସ୍ତାବ ପାରିତ, ଆସିବ ପୂର୍ଣ୍ଣାଙ୍ଗ ବଜେଟ୍
  • ||
  • ନୂଆଦିଲ୍ଲୀ; ଫୁଟ୍‌ ଉପରେ ବିମାନ କ୍ୟାବିନରେ ଦେଖିବାକୁ ମିଳିଲା ଧୁଆଁ; ଦିଲ୍ଲୀ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କଲା ସ୍ପାଇସଜେଟ୍‌
  • ||
  • ଭୁବନେଶ୍ୱର: ୪ରେ ଲଘୁଚାପ, ଆଜିଠୁ ବଢ଼ିବ ବର୍ଷା
  • ||
  • ଚୌଦ୍ୱାର : ଜଗା ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ବୋଲେରୋକୁ ପିଟିଲା ଟ୍ରକ: ଜଣେ ମୃତ, ୯ ଗୁରୁତର
  • ||
  • ପୁରୀ: ଦାରୁବ୍ରହ୍ମଙ୍କ ପତିତପାବନ ଯାତ୍ରା: ଆଜି ଜନ୍ମବେଦିକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବାରିପଦା: ଆଜି ଗଡ଼ିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥ, ସୁଭଦ୍ରାଙ୍କ ରଥକୁ ଟାଣିବେ ମହିଳା ଶ୍ରଦ୍ଧାଳୁ
  • ||
  • କଟକ: ଆଜିଠୁ ମିଳିତ ପୁଲିସ୍‌ ସେବା ପରୀକ୍ଷା, ୩୪ କେନ୍ଦ୍ରରେ ପରୀକ୍ଷା ଦେବେ ୨୯ ହଜାର ୬୪୪ ପରୀକ୍ଷାର୍ଥୀ
  • ||

ବେଲଗାମ ନିଶା କାରବାର: ଫସୁଛନ୍ତି ଛାତ୍ରଛାତ୍ରୀ

ଭୁବନେଶ୍ୱର,୨୨ା୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱର ପାଲଟିଛି ନିଶାଖୋରଙ୍କ ଆଡ୍ଡାସ୍ଥଳୀ । ବିଶେଷ କରି ଛାତ୍ରଛାତ୍ରୀ ନିଶା କବଳରେ ପଡ଼ି ନିଜ ଲକ୍ଷ୍ୟ କ୍ଷେତ୍ରରୁ ଦୂରେଇଯିବା ଚିନ୍ତାର ବିଷୟ ହୋଇଛି । ଦିନ ହେଉ କି ରାତି ଗଛମୂଳ, ହୋଟେଲ, ନିଛାଟିଆ ସ୍ଥାନରେ କାରବାର ଖୁଲମଖୁଲା ଚାଲିଛି । ବିଳମ୍ବିତ ରାତିରେ କିଛି ହୋଟେଲରେ ବି ନିଶା ବେପାର ହେଉଛି । ବସ୍ତି ଠାରୁ କଲୋନି ପର୍ଯ୍ୟନ୍ତ ସବୁଠି ମିଳୁଛି ବ୍ରାଉନସୁଗର, ଗଞ୍ଜେଇ ଓ ଦେଶୀମଦ । କିଛି ଥାନା ପଛରେ ବିକ୍ରି ହେଉଛି ନିଶା । ପୁଲିସ୍‌ ସବୁ ଜାଣି ନ ଜାଣିବା ଭଳି ରହୁଛି ।

ଉଦାହରଣ ସ୍ୱରୂପ ଭୁବନେଶ୍ୱରର ରେଡ଼କ୍ରସ ଭବନ ପଛପଟେ ଥିବା ଏକ ପଡ଼ିଆ ପାଖରେ ରୀତିମତ ଏହି ନିଶା କାରବାର ଚାଲିଛି । ସମୟ ହେବା ମାତ୍ରେ କିଛି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଛୁଟି ଆସୁଛନ୍ତି ଏଠାକୁ । ପଡ଼ିଆରେ ଥିବା ଗଛମୂଳେ ହେଉଛି କାରବାର । ପଇସା ଦିଅ ନିଶା ନିଅ । ସ୍ଥାନୀୟ ଓ ଅନ୍ୟ ରାଜ୍ୟରୁ ଆସିଥିବା ଏମ୍‌ବିଏ, ଇଂଜିନିୟରି, ଏମ୍‌ଟେକ ଭଳି ଶିକ୍ଷାର୍ଥୀ ମାନେ ଏଠାରେ ବ୍ରାଉନସୁଗର, ଗଞ୍ଜେଇ, ଅଫିମ, ସତାବରୀ, ଆଦି ନିଶା ଦ୍ରବ୍ୟ ସେବନ କରୁଛନ୍ତି । କିଛି ଛାତ୍ରଛାତ୍ରୀ ଏକାଠି ହୋଇ ସିରିଞ୍ଜ ଦ୍ୱାରା ଡ୍ରଗ୍ସ ମଧ୍ୟ ନେବାକୁ ପଛାଉ ନାହାନ୍ତି । କୌଣସି ଉପାୟରେ ନିଶା କବଳରେ ପଡ଼ିବା ଲାଗି ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଉସୁକା ଯାଉଛି । ଥରେ ନିଶା ନେବା ପରେ ଅଭ୍ୟାସରେ ପଡ଼ି ଯାଉଛନ୍ତି ।

ସେହିଭଳି ରାଜଧାନୀରେ ମଦ ପାଉଚ୍‌ ଠାରୁ ବୋତଲ ଅତି ସହଜରେ ଓ ସୁବିଧାରେ ମିଳିପାରୁଛି । ଦୋକାନୀମାନେ ମଧ୍ୟ ସିଗାରେଟ ଖୋଳ, ଦିଆସିଲି ଖୋଳ, ସିଗାରେଟ୍‌ ଆଦିରେ ଚୋରା ଲୁଚାରେ ନିଶା ବିକ୍ରି କରୁଛନ୍ତି । ଭିକାରୀମାନେ ମଧ୍ୟ ଭିକ ମାଗିବା ବାହାନାରେ ବଡ଼ ବଡ଼ ଝୁଲା ମୁଣିରେ ଗଞ୍ଜେଇ ବିକ୍ରି କରୁଛନ୍ତି । ଏ ସମ୍ପର୍କରେ ରାମମନ୍ଦିର ପାଖରେ ବସୁଥିବା ୭୫ବର୍ଷୀୟ ଭିକ୍ଷୁକ ଗଙ୍ଗାଧର କହିଛନ୍ତି, ଏଠି କିଛି ଭିକାରୀ ଝୁଲାମୁଣିରେ ଗଞ୍ଜେଇ ବିକୁଛନ୍ତି । ନିର୍ମାଣାଧୀନ କୋଠାରେ କାମ କରୁଥିବା କିଛି ମୂଲିଆ ମଧ୍ୟ ନିଶା ବେପାରରେ ସାମିଲ ଅଛନ୍ତି ।

ବଡ଼କଥା ହେଲା ହୋମ ଡେଲିଭରି ମାଧ୍ୟମରେ ସହଜରେ ମିଳିଯାଉଛି ବ୍ରାଉନସୁଗର ଓ ଗଞ୍ଜେଇ । କୋଡ ୱାର୍ଡ ବ୍ୟବହାର କରି ଛାତ୍ରଛାତ୍ରୀମାନେ ନିଶା ମଗାଉଛନ୍ତି । ପଳାଶୁଣି, ମଞ୍ଚେଶ୍ୱର, ଜିଜିପି କଲୋନି, ହଳଦୀପଡ଼ିଆ, ଖଣ୍ଡଗିରି, ବରମୁଣ୍ଡା, ପଟିଆ, ଚନ୍ଦ୍ରଶେଖରପୁର, ଫାଳିକିଆ ବସ୍ତି, ଚକେଇସିଆଣି, ପୋଖରୀପୁଟ, ଜୟଦେବ ବିହାରରେ ଏକ ଢାବା, ସାଲିଆ ସାହି, ଲିଙ୍ଗିପୁର, ସାମନ୍ତରାପୁର, ଆଳୁଗଦି, କଳିଙ୍ଗ ବିହାର ଭଳି ସ୍ଥାନରେ ସବୁ ପ୍ରକାର ନିଶା ମିଳୁଛି । ପୁଲସ୍‌ ଓ ଅବକାରୀ ବିଭାଗର ଅପାରଗତା ପାଇଁ ଚୋରା ନିଶା କାରବାର ବଢ଼ିବାରେ ଲାଗିଛି । ପ୍ରଶାସନ ଏହା ଉପରେ କଡ଼ା ଲଗାମ ଦେବାକୁ ସବୁ ମହଲରେ ଦାବି ହେଉଛି ।