ନକଲି ଡାକ୍ତରଙ୍କ ଠାରୁ ଜବତ ହେଲା ୧ କେଜିରୁ ଅଧିକ ଓଜନର ବ୍ରାଉନ୍ ସୁଗର, ୨ ଜଣଙ୍କୁ ଗିରଫ କଲା ଏସଟିଏଫ…

ଭୁବନେଶ୍ବର : ରାଜଧାନୀ ପାଲଟିଛି ଧଳାଜହର ବ୍ୟବସାୟୀଙ୍କ ଆଡ୍ଡାସ୍ଥଳୀ । ଆଜି ପୁଣିଥରେ ବିପୁଳ ପରିମାଣର ଧଳା ଜହର ବା ବ୍ରାଉନ୍ ସୁଗର ଜବତ ହୋଇଛି । ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ସୁଗାର ଜବତ ସହ ୨ଜଣଙ୍କୁ ଗିରଫ କରିଛି ଏସ୍ଟିଏଫ୍ ।
ସୂଚନା ମୁତାବକ ଭୁବନେଶ୍ୱର ବରମୁଣ୍ଡା ନିକଟରେ କ୍ରାଇମ୍ବ୍ରାଞ୍ଚର ଏସ୍ଟିଏଫ୍ ଟିମ୍ ଅଚାନକ ଚଢାଉ କରିଥିଲା । ଏହି ଚଢାଉ ସମୟରେ ପ୍ରାୟ ୧ କୋଟିରୁ ଅଧିକ ଟଙ୍କାର ବ୍ରାଉନ୍ସୁଗାର ଏସଟିଏଫ ହାତରେ ଲାଗିଛି । ବ୍ରାଉନ୍ସୁଗାର କାରବାର ଅଭିଯୋଗରେ ୨ଜଣ ବେପାରୀଙ୍କୁ ଗିରଫ କରିଛି ଏସ୍ଟିଏଫ୍ । ଗିରଫ ଅଭିଯୁକ୍ତ ମାନେ ହେଲେ-ପଶ୍ଚିମବଙ୍ଗ ନଦିଆ ଅଞ୍ଚଳର କପିଲଦେବ ମଜୁମଦାର୍ ଏବଂ ଖୋର୍ଦ୍ଧା ଜଙ୍କିଆର ରଶ୍ମିରଞ୍ଜନ ଭୋଳ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ର ବ୍ରାଉନସୁଗାର ଜବତ ହୋଇଛି ।
ଆଉ ସବୁଠାରୁ ବଡ କଥା ହେଉଛି ଗିରଫ ହୋଇଥିବା ଅଭିଯୁକ୍ତ ରଶ୍ମିରଞ୍ଜନ ଦାସଙ୍କ ନିକଟରୁ ଏମ୍ସର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତରଙ୍କ ଏକ ନକଲି ପରିଚୟ ପତ୍ର, ପୋଲିସ ୟୁନିଫର୍ମରେ ଥିବା ଫଟୋର ଜେରକ୍ସ କପି, ଗୋଟିଏ ବୁଲେଟ୍, ୨ଟି ଲାପଟପ୍ ଏବଂ ନଗଦ ୧୭ ହଜାର ଟଙ୍କା ଜବତ ହୋଇଛି । ୨୦୨୦ରୁ ଆଜି ଯାଏ ୫୨ କେଜିର ବ୍ରାଉନସୁଗାର ଜବତ କରିସାରିଛି ଏସ୍ଟିଏଫ୍ ।