ପୁରୀ,୦୨/୧୧ : ପୁରୀ ପୁଲିସକୁ ଅପରେସନ ଚକ୍ର ଅଭିଯାନରେ ବଡ଼ ସଫଳତା ମିଳିଛି । ୧୫ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ଜବତ ସହିତ ୪ଜଣ ବ୍ରାଉନସୁଗାର ବ୍ୟବସାୟୀ ଗିରଫ । ଅଭିଯୁକ୍ତମାନେ ସତ୍ୟବାଦୀ ଥାନା ଅଞ୍ଚଳର ଜୟନ୍ତ କୁମାର ସ୍ବାଇଁ, କୁଳମଣି ଖଟେଇ, ଉମେଶ କୁମାର ସ୍ବାଇଁ ଏବଂ ଜଟଣୀ ଥାନା ଅଞ୍ଚଳର ଶଶିକାନ୍ତ ଜେନା । ଅଭିଯୁକ୍ତଙ୍କ ଠାରୁ ପୁଲିସ ୧୫୧ ଗ୍ରାମ ବ୍ରାଉନ ସୁଗାର ସହିତ ନଗଦ ୬ ଲକ୍ଷ ୩୦ ହଜାର ୭ ଶହ ଟଙ୍କା, ୭ଟି ମୋବାଇଲ ଫୋନ୍, ଗୋଟିଏ ସ୍ବିଫ୍ଟ ଗାଡ଼ି, ଗୋଟିଏ ବୁଲେଟ୍ ଏବଂ ଦୁଇଟି ବାଇକ୍ ଜବତ କରିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁରୀ ଏସପି ପ୍ରତୀକ ସିଂ।
ପୁରୀ ଏସପିଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ନିଜିଗଡଠାରେ ବ୍ରାଉନ ସୁଗାର ବ୍ୟବସାୟ ପାଇଁ ଯୋଜନା କରୁଥିବା ବେଳେ ପିପିଲି ଥାନା ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ସେଠାରେ ଚଢ଼ାଉ କରିଥିଲା। ତେବେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ସେଠାରୁ ଚମ୍ପଟ ମାରିଥିଲା। ପୁରୀ ଜିଲ୍ଲାରେ ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଅପରେସନ ଚକ୍ର ଅଭିଯାନରେ ନିଶା ବେପାରୀଙ୍କ ସହିତ ନିଶାଦ୍ରବ୍ୟ ପୁଲିସ ଜବତ କରିବାରେ ସଫଳ ହୋଇଛି ବୋଲି କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ।