ବିଏସ୍ଏନ୍ଏଲ୍ ଗ୍ରାହକ ହଟହଟା

source:dazeinfo.com
ଭୁବନେଶ୍ୱର,୩୦ା୧(ତଥ୍ୟ): ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍ଏନ୍ଏଲ୍)ରୁ ଇଣ୍ଟରନେଟ୍ ସଂଯୋଗ ଆଣିଥିବା ଗ୍ରାହକ ଏବେ ହଟହଟା । ବିଏସ୍ଏନ୍ଏଲ୍ ବ୍ରଡ୍ବ୍ୟାଣ୍ଡ୍ ସେବାର ବେଗ ଏତେ କମ୍ ରହୁଛି ଯେ ସେଥିରେ ସାଧାରଣ ମେଲ୍ଟିଏ ଖୋଲିବା କଷ୍ଟକର । ବିଏସ୍ଏନ୍ଏଲ୍ ଗ୍ରାହକଙ୍କର ଏଭଳି ଦୟନୀୟ ସ୍ଥିତି ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ନୁହେଁ, ଖୋଦ୍ ରାଜଧାନୀରେ ଦେଖିବାକୁ ମିଳୁଛି ।
ଏ ସଂକ୍ରାନ୍ତରେ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କଲେ କେତେବେଳେ ତାରର ଦୋଷ ତ ଆଉ କେତେବେଳେ ପୁରୁଣାକାଳିଆ ସାଜ ସରଞ୍ଜାମକୁ ଦୋଷ ଦେବାରେ ଲାଗିଛନ୍ତି । ଗ୍ରାହକମାନେ ଅଭିଯୋଗ କରି କରି ଅତିଷ୍ଠ ହୋଇପଡ଼ିଲେଣି ।
ବିଏସ୍ଏନ୍ଏଲ୍ର ବେଗ କେତେ ରହୁଛି ତାହା ମାପିବାରୁ ଜଣାପଡ଼ିଛି ଯେ ସର୍ବଭାରତୀୟ ତୁଳନାରେ ଏହା ଯଥେଷ୍ଟ କମ୍ । ଏହି ସୂଚନା ଅନୁଯାୟୀ ଅନ୍ତର୍ଜାତୀୟ ସ୍ତରରେ ଇଣ୍ଟରନେଟ୍ର ବେଗ ପ୍ରତି ସେକେଣ୍ଡରେ ୧୪.୯୧ ଏମ୍ବି ଥିବାବେଳେ ଜାତୀୟ ସ୍ତରରେ ଏହା ହାରାହାରି ୧୨.୩୦ ଏମ୍ବି ରହୁଛି । ହେଲେ ଭୁବନେଶ୍ୱରରେ ଏହାର ଗତି ଅଛି ସେକେଣ୍ଡ ପ୍ରତି ହାରାହାରି ୧.୧୬ ଏମ୍ବି । ଏହି ଧିମା ଗତିରେ କୌଣସି ଇଣ୍ଟରନେଟ୍ ପେଜ୍ ଖୋଲିବା କିମ୍ବା କୌଣସି ଲେଖା ଅଥବା ଫଟୋ ଅପଲୋଡ୍ କରିବା ସମ୍ଭବ ହେଉନାହିଁ ।
ବିଏସ୍ଏନ୍ଏଲ୍ ସେବାରେ ଅତିଷ୍ଠ ହୋଇ ଅନେକ ଗ୍ରାହକ ଏବେ ଏହି କେନ୍ଦ୍ରୀୟ ସରକାରୀ ସଂସ୍ଥାଠାରୁ ମୁହଁ ଫେରାଇବାରେ ଲାଗିଲେଣି । ବର୍ତ୍ତମାନ ରାଜଧାନୀରେ ବିଭିନ୍ନ ଘରୋଇ ଇଣ୍ଟରନେଟ୍ ସେବା ଯୋଗାଣକାରୀମାନେ ସେମାନଙ୍କ କେବୁଲ୍ ବିଛା କାମ ଜୋର୍ସୋର୍ରେ ଚଳାଇଥିବାବେଳେ ଖୁବ୍ଶୀଘ୍ର ଲୋକଙ୍କୁ ସଂଯୋଗ ଯୋଗାଇଦେବେ । ଏପରିକି କେତେକ ଘରୋଇ ସଂସ୍ଥା ଗୋଟିଏ ତାରରେ ବେଗଗାମୀ ଇଣ୍ଟରନେଟ୍ଠାରୁ ଆରମ୍ଭକରି ଟେଲିଭିଜନ ସୁବିଧା ଆଦି ପ୍ରଦାନ ଲାଗି ଆଗୁଆ ସୂଚନା ପ୍ରଦାନ କଲେଣି ।ଏଭଳି ସ୍ଥିତି ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷ ତାଙ୍କର ସେବାରେ ଉନ୍ନତି ଆଣିବା ବଦଳରେ ଭିତ୍ତିଭୂମିକୁ ଦୋଷ ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯଦି ଏଭଳି ସ୍ଥିତି ଲାଗିରୁହେ, ରାଜଧାନୀର ସଂଖ୍ୟାଧିକ ଗ୍ରାହକ ଘରୋଇ କମ୍ପାନୀର ସେବା ଉପଲବ୍ଧ ହେବାମାତ୍ରେ ବିଏସ୍ଏନଏଲ୍ ସହ ସମ୍ପର୍କ ତୁଟାଇବେ ବୋଲି କହିଛନ୍ତି ।