କଳାହାଣ୍ଡିରେ ଭତ୍ତା ଯନ୍ତ୍ରଣା ! ବ୍ୟାଙ୍କ ଯିବାବେଳେ ବାଇକ୍ରୁ ପଡ଼ି ବୃଦ୍ଧା ମୃତ

ଭବାନୀପାଟଣା,୨୩/୦୫: ସୋମବାର କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକରୁ ଭତ୍ତା ଯନ୍ତ୍ରଣାର କରୁଣଚିତ୍ର ପୁଣି ସାମ୍ନାକୁ ଆସିଛି । ଭତ୍ତା ଆଣିବାକୁ ପରିଣତ ବୟସରେ ପୁଅ ସହ ବାଇକରେ ବସି ବ୍ୟାଙ୍କକୁ ଯାଉଥିବା ବେଳେ ବାଇକ୍ରୁ ପଡ଼ି ବୃଦ୍ଧାଙ୍କ ଜୀବନ ଯାଇଛି । କଲମପୁର ବ୍ଲକ ବାଲିଛଡ଼ା ଗାଁର ବୃଦ୍ଧା ମୁଲା ଦୁର୍ଗା ସୋମବାର ପୁଅ ଲକ୍ଷ୍ମୀକାନ୍ତଙ୍କ ସହ ବାଇକ୍ରେ ବସି ୫କିମି ଦୂର କଲମପୁର ଷ୍ଟେଟବ୍ୟାଙ୍କ ଶାଖାକୁ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଆଣିବାକୁ ଯାଉଥିଲେ । ଗାଁ ନିକଟରେ ହିଁ ବୃଦ୍ଧା ଜଣକ ବାଇକରୁ ପଡ଼ି ଯାଇଥିଲେ । ଗାଡ଼ି ଭାରସାମ୍ୟ ହରାଇବାରୁ ତାଙ୍କ ପୁଅ ମଧ୍ୟ ବାଇକରୁ ପଡ଼ି ଆହତ ହୋଇଥିଲେ । ଉଭୟଙ୍କୁ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ଆଣାଯାଇଥିଲା । ହେଲେ ଡାକ୍ତର ମୁଲାଙ୍କୁ ମୃତ ଘୋଷଣା କରିଥିଲେ । ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ପଞ୍ଚାୟତ ସ୍ତରରୁ ବୃଦ୍ଧବୃଦ୍ଧାଙ୍କୁ କିଭଳି ହାତ ପାହାନ୍ତାରେ ଭତ୍ତା ଟଙ୍କା ପହଞ୍ଚିବ ସେନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାକୁ ସାଧାରଣରେ ଦାବି ହେଉଛି ।